ଭଞ୍ଜନଗର ବ୍ଳକ୍ ସ୍ତରୀୟ “ନିପୁଣ ଓଡ଼ିଶା ମେଳା” ଅନୁଷ୍ଠିତ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଦେଶର ପ୍ରତ୍ୟେକ ବିଦ୍ୟାଳୟ ର ୧ମ ଶ୍ରେଣୀ ଠାରୁ ୩ୟ ଶ୍ରେଣୀ ପର୍ଯନ୍ତ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଦକ୍ଷତା ଅଭିବୃଦ୍ଧି କରିବା ତଥା ଛାତ୍ରଛାତ୍ରୀ ମାନେ ଭୟ ମୁକ୍ତ ହୋଇ ସ୍ଵାଧୀନ ଭାବେ ପ୍ରଶ୍ନ ପଚାରି ପାରିବେ, ଆନଂଦ ଉଲ୍ଲାସ ସହିତ ପାଠ ପଢ଼ିବେ, ଛାତ୍ରଛାତ୍ରୀ ମାନେ ମୁକ୍ତ ଭାବେ ନିଜର ସାଙ୍ଗସାଥୀ ଓ ଶିକ୍ଷକ ମାନଙ୍କ ସହିତ ବିଭିନ୍ନ ପ୍ରକାରର ଶୈକ୍ଷିକ ଆଲୋଚନା କରିପାରିବେ। ଏହି ଲକ୍ଷ୍ୟ ପୂରଣ ପାଇଁ ସାରା ଦେଶରେ ଓ ସମସ୍ତ ରାଜ୍ୟ ରେ ନିପୁଣ ଭାରତ ଏବଂ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହେଉଅଛି। ସେହିଭଳି ଆଜି ଭଞ୍ଜନଗର ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବଡକୋଦଣ୍ଡା କ୍ଲଷ୍ଟର ଅନ୍ତର୍ଗତ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଭଞ୍ଜନଗର ବ୍ଳକ୍ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ଗୋପବନ୍ଧୁ ମହାପାତ୍ର ସମସ୍ତ ଅତିଥି ମାନଙ୍କ ଗହଣରେ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭ‌‌‌ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ହୋଇଥିଲେ ବ୍ଳକ ଅଧ୍ୟକ୍ଷ ଶ୍ରୀ ନରୀସଭା ନାୟକ, ଏବିଇଓ ତଥା ବିଆରସିସି ଶ୍ରୀ ସୂର୍ଯ୍ୟ ନାଇକ, ଏବିଇଓ ଶ୍ରୀ ଗଜେନ୍ଦ୍ର କୁମାର ସେଠୀ, ଏବିଇଓ ଶ୍ରୀ ଚରଣ ବେହେରା ଏବଂ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସ୍ଵରାଜ କଅଁର। ସମସ୍ତ ଅତିଥି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଏକ ଛାତ୍ରଛାତ୍ରୀ କୈନ୍ଦ୍ରିକ ଶିକ୍ଷା ବଳୟ ତିଆରି ଓ ଆନନ୍ଦ ମଧ୍ୟ ଶିକ୍ଷା ପ୍ରଦାନ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା କେତେଯେ ଗୁରୁତ୍ଵପୂର୍ଣ୍ଣ ତାହା ଆଲୋଚନା କରିଥିଲେ। ଏକ ସୁସ୍ଥ ସମାଜ ଗଠନରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ ବିଷୟରେ ସମସ୍ତ ଅତିଥି ନିଜ ନିଜର ବକ୍ତବ୍ୟ ରେ ଉଲ୍ଲେଖ କରିଥିଲେ ।
ଭଞ୍ଜନଗର ବ୍ଳକ୍ ର ୧୬ ଟି କ୍ଲଷ୍ଟର ରୁ ଶ୍ରେଷ୍ଠତା ଅର୍ଜନ କରିଥିବା ଜଣେ ଜଣେ ଏଫ୍ ଏଲ୍ ଏନ୍ ଶିକ୍ଷକ ସେମାନଙ୍କର ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ଧରି ଏହି ମେଳାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏବିଇଓ ଚରଣ ବେହେରା, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ନାହାକ ଓ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀ ମତି କୁମୁଦିନୀ ବେହେରା ବିଚାର ପତି ରୂପେ କାର୍ଯ୍ୟ ନିର୍ବାହ କରିଥିଲେ। ପ୍ରକାଶ ଥାଉକି ଆଜିର ଏହି ବ୍ଳକ୍ ସ୍ତରୀୟ ନିପୁଣ ଓଡ଼ିଶା ମେଳାରେ ମୌଳିକ ସାକ୍ଷରତା ଶିକ୍ଷଣ ସାମଗ୍ରୀରେ ଶ୍ରେଷ୍ଠତା ଅର୍ଜନ କରିଥିବା ଲାଲ ସିଂ କ୍ଲଷ୍ଟର ର କାହ୍ନୁ ରାଉତ ନୋଡାଲ ହାଇ ସ୍କୁଲର ଏଫ୍ ଏଲ୍ ଏନ୍ ଶିକ୍ଷୟିତ୍ରୀ କଳ୍ପନା କୁମାରୀ ପ୍ରଧାନଙ୍କ ନିର୍ମିତ ଶିକ୍ଷଣ ସାମଗ୍ରୀ ଏବଂ ତୁରୁମୁ କ୍ଲଷ୍ଟର ରାଇଗୋଛା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ଦଳବେହେରାଙ୍କ ମୌଳିକ ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ଜିଲ୍ଲା ସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାପାଇଁ ଯୋଗ୍ୟ ବିବେଚିତ ହୋଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଏନ୍ ଏ ସି ସିଆରସିସି ବିଭୁ ପ୍ରସାଦ ମହାପାତ୍ର ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଭଞ୍ଜନଗର ବ୍ଳକର ସମସ୍ତ କ୍ଲଷ୍ଟରର ସିଆରସିସି, ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଏଫ୍ ଏଲ୍ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଇଓ ଅଫିସ୍ ଷ୍ଟାଫ୍ ସଂପୂର୍ଣ୍ଣ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ନାରାୟଣ ମହାପାତ୍ର ସଂଯୋଜନା କରିଥିଲେ। ବିଇଓ ଅଫିସ୍ ତରଫରୁ ଅନିଲ୍ କୁମାର ମୁଦୁଲି ଓ ଚିନ୍ମୟ କୁମାର କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *