ପୁରୀଠାରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଉତ୍ତମ ଓ ଅନୁକରଣୀୟ ଅଭ୍ୟାସ ଏବଂ ନବୋନ୍ମେଷ ଉପରେ ନବମ ଜାତୀୟ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେ. ପି. ନଡ୍ଡା

ପୁରୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଓଡ଼ିଶାର ପୁରୀଠାରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଉତ୍ତମ ଏବଂ ଅନୁକରଣଯୋଗ୍ୟ ଅଭ୍ୟାସ ଏବଂ ନବୋନ୍ମେଷ ଉପରେ ନବମ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପୁରୀ ସାଂସଦ ଡ. ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏହି ଦୁଇ ଦିନିଆ ଶିଖର ସମ୍ମିଳନୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସେମାନଙ୍କ ଜନସ୍ୱାସ୍ଥ୍ୟ ଆହ୍ୱାନର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ସର୍ବୋତ୍ତମ ଅଭ୍ୟାସ ଓ ନବୋନ୍ମେଷର ପ୍ରଦର୍ଶନ ଏବଂ ଦସ୍ତାବିଜ ପ୍ରସ୍ତୁତ କରାଯିବ। ଏହା ମଧ୍ୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ ଏବଂ ବିନିମୟ ପାଇଁ ଏକ ସୁଯୋଗ ପ୍ରଦାନ କରିଛି।ଏହି ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ଜେ. ପି. ନଡ୍ଡା ଉଲ୍ଲେଖ କରିଥିଲେ ଯେ 2014 ମସିହାରୁ ଭାରତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି। ସେ କହିଥିଲେ ଯେ ଜାତୀୟ ସ୍ୱାସ୍ଥ୍ୟ ନୀତି 2017 ଆରୋଗ୍ୟକାରୀ ସ୍ୱାସ୍ଥ୍ୟସେବାର ଆଭିମୁଖ୍ୟରେ ଏକ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଆଣିଛି ଯାହା ଆରୋଗ୍ୟକାରୀ ସହ ପ୍ରତିଷେଧକ, ପ୍ରୋତ୍ସାହନକାରୀ ପରି ବ୍ୟାପକ ଦିଗକୁ ଅନ୍ତର୍ଭୁକ୍ତ କରେ। ସେହିଭଳି, କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପ୍ରାଥମିକ ଏବଂ ମାଧ୍ୟମିକ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ସହିତ ସରକାର ତୃତୀୟ ସ୍ତରର ସ୍ୱାସ୍ଥ୍ୟସେବାକୁ ମଧ୍ୟ ବହୁତ ପ୍ରୋତ୍ସାହନ ଦେଇଛନ୍ତି।ସେ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ର ସରକାର ଲୋକମାନଙ୍କ ପାଇଁ ଗୁଣାତ୍ମକ ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ।

ଏହି ପରିପ୍ରେକ୍ଷୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପରେ କରାଯାଇଥିବା କାର୍ଯ୍ୟ ସାମଗ୍ରିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରାଥମିକ ସ୍ୱାସ୍ଥ୍ୟସେବାର ମୂଳଦୁଆକୁ ସୁଦୃଢ଼ କରିଛି ବୋଲି ସେ କହିଥିଲେ।ଶ୍ରୀ ନଡ୍ଡା କହିଥିଲେ ଯେ ଭାରତରେ ମାତୃ ମୃତ୍ୟୁ ହାର (ଏମଏମଆର) ହ୍ରାସ ବିଶ୍ୱର ହ୍ରାସ ତୁଳନାରେ ଦୁଇଗୁଣ, ଯାହା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ଲାଗି ନିଆଯାଇଥିବା ପ୍ରୟାସ ଉପରେ ଆଲୋକପାତ କରେ। ନବଜାତ ଶିଶୁ ମୃତ୍ୟୁ ହାର (ଆଇଏମଆର) ଏବଂ 5 ବର୍ଷରୁ କମ୍ ମୃତ୍ୟୁ ହାରରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିଛି। ‘ଆଇଏମଆର ଏବଂ ଏମ୍ଏମ୍ଆରରେ ଉଲ୍ଲେଖନୀୟ ଅଗ୍ରଗତି ପାଇଁ ସେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଜାରି କରାଯାଇଥିବା ବିଶ୍ୱ ମ୍ୟାଲେରିଆ ରିପୋର୍ଟ 2024 ଭାରତରେ ମ୍ୟାଲେରିଆ ମାମଲାରେ ଉଲ୍ଲେଖନୀୟ ହ୍ରାସକୁ ସ୍ୱୀକାର କରିଛି। ସେହିଭଳି, 2015ରୁ 2023 ମଧ୍ୟରେ ଭାରତରେ ଯକ୍ଷ୍ମାର ପ୍ରକୋପ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶ୍ୱ ଯକ୍ଷ୍ମା ରିପୋର୍ଟ 2024 ଅନୁଯାୟୀ ବିଶ୍ୱର ହାରାହାରି ହ୍ରାସ 8.3% ଠାରୁ ଦୁଇଗୁଣ ଅଧିକ। ସେ ଉଲ୍ଲେଖ କରିଥିଲେ ଯେ କୋଭିଡ-19 ବ୍ୟାଘାତ ସତ୍ତ୍ୱେ ଭାରତ ଏହାର ଯକ୍ଷ୍ମା ଦୂରୀକରଣ ଲକ୍ଷ୍ୟକୁ ହ୍ରାସ କରିନାହିଁ। 33ଟି ରାଜ୍ୟର 455ଟି ଜିଲ୍ଲାରେ ଚାଲିଥିବା 100 ଦିନିଆ ଯକ୍ଷ୍ମା ଦୂରୀକରଣ ଅଭିଯାନ ଉପରେ ସେ ଆଲୋକପାତ କରିଥିଲେ, ଯେଉଁଥିରେ 5 ଲକ୍ଷ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇସାରିଛନ୍ତି।ଯେକୌଣସି ଅଭିଯାନର ସଫଳତା ପାଇଁ ଜନ ଭାଗିଦାରୀର ଗୁରୁତ୍ୱକୁ ସ୍ୱୀକାର କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଫଳତା ପାଇଁ ଆଶା କର୍ମୀ, ଏସଏଚଓ ଏବଂ ଅନ୍ୟ ତୃଣମୂଳ ସ୍ତରର ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ ସ୍ୱାସ୍ଥ୍ୟସେବା ଆଧାରକୁ ଆହୁରି ସୁଦୃଢ଼ କରିବା ଲାଗି ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ ଅଧିକ ସଶକ୍ତ କରାଯିବା ଉଚିତ।ଅଣସଂକ୍ରାମକ ରୋଗର ବିପଦ ଉପରେ ଶ୍ରୀ ନଡ୍ଡା ଜୀବନଶୈଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଏନଏଚଏମର ତୀବ୍ର ସ୍ୱତନ୍ତ୍ର ଏନସିଡି ସ୍କ୍ରିନିଂ ଡ୍ରାଇଭ୍ ପାଇଁ ପ୍ରଶଂସା କରିଥିଲେ, ଯାହା ମଧୁମେହ, ଉଚ୍ଚ ରକ୍ତଚାପ ଏବଂ 3 ପ୍ରକାରର କର୍କଟ-ମୁଖ, ସ୍ତନ ଏବଂ ଗର୍ଭାଶୟ କର୍କଟର ମାଗଣାରେ ସ୍କ୍ରିନିଂ ପ୍ରଦାନ କରୁଛି ।

ନିକଟରେ ଲାନସେଟ୍ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ, ଯେଉଁଥିରେ ଦର୍ଶାଯାଇଥିଲା ଯେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ପଞ୍ଜିକୃତ ରୋଗୀଙ୍କ କ୍ଷେତ୍ରରେ 30 ଦିନ ମଧ୍ୟରେ କର୍କଟ ନିଦାନ ସୁବିଧା 90 ପ୍ରତିଶତ ବୃଦ୍ଧି ପାଇଛି, ଯାହାଦ୍ୱାରା ଚିକିତ୍ସାରେ ବିଳମ୍ବ ହ୍ରାସ ପାଇଛି ଏବଂ କର୍କଟ ରୋଗୀଙ୍କ ଆର୍ଥିକ ବୋଝ ହ୍ରାସ ପାଇଛି।ଶ୍ରୀ ନଡ୍ଡା ଉଲ୍ଲେଖ କରିଥିଲେ ଯେ ଆଗାମୀ 3 ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଡେ-କେୟାର କର୍କଟ କେନ୍ଦ୍ର ପ୍ରତିଷ୍ଠା କରାଯିବ ଏବଂ ଚଳିତ ବର୍ଷ ହିଁ 200ଟି ଜିଲ୍ଲାକୁ ଏଥିରେ ସାମିଲ କରାଯିବ। ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ସେ ଟେଲି-ମେଡିସିନ୍ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶ୍ରେଷ୍ଠ ଅଭ୍ୟାସ ଉପରେ ନବମ ଜାତୀୟ ସମ୍ମିଳନୀ ଉପରେ ଏକ କଫି ଟେବୁଲ୍ ବୁକ୍, 16 ତମ ସାଧାରଣ ସମୀକ୍ଷା ମିଶନ ରିପୋର୍ଟ, ଏନଏଚଏମର ଚାରୋଟି ଆଞ୍ଚଳିକ ସମ୍ମିଳନୀ (2024-25) ରିପୋର୍ଟ ଏବଂ ଅଣ-ସଂକ୍ରାମକ ରୋଗ ସମ୍ମିଳନୀ ରିପୋର୍ଟ (ଜାନୁଆରୀ 2025) ଉନ୍ମୋଚନ କରିଥିଲେ।କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ସୁସ୍ଥ ଭାରତର ସ୍ୱପ୍ନରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ସେ କହିଥିଲେ ଯେ ‘‘ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା’’ ଲକ୍ଷ୍ୟକୁ ସାକାର କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ କାମ କରିବ ଏବଂ ମିଳିତ ଜାତିସଂଘର ସମସ୍ତ ଏସଡିଜି ଲକ୍ଷ୍ୟ ହାସଲ ଉପରେ ଧ୍ୟାନ ଦେବ।ଶ୍ରୀ ମାଝୀ କହିଥିଲେ ଯେ ଓଡ଼ିଶାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମଜେଏୱାଇ) ସହିତ ମିଶ୍ରଣ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, କାରଣ ଓଡ଼ିଶାର ଲୋକମାନେ ଏବେ ସାରା ଦେଶର 29,000ରୁ ଅଧିକ ଘରୋଇ ଡାକ୍ତରଖାନାକୁ ଯାଇପାରିବେ, ଯାହାଦ୍ୱାରା ରାଜ୍ୟର 4.5 କୋଟିରୁ ଅଧିକ ଲୋକ, ବିଶେଷ କରି ପ୍ରବାସୀ ଶ୍ରମିକମାନେ ଉପକୃତ ହୋଇପାରିବେ।ସେ ସୂଚନା ଦେଇଥିଲେ ଯେ ଜାତୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ପ୍ରତିଷ୍ଠାନ, ଜାତୀୟ ଫାର୍ମାସ୍ୟୁଟିକାଲ୍ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ (ଏନଆଇପିଇଆର୍) ଏବଂ ଜାତୀୟ ବକ୍ତବ୍ୟ ଓ ଶ୍ରବଣ ପ୍ରତିଷ୍ଠାନ ସମେତ ରାଜ୍ୟରେ ଅନେକ ଜାତୀୟ ଅନୁଷ୍ଠାନ ପ୍ରତିଷ୍ଠା କରାଯାଉଛି। ସେ ଏହା ମଧ୍ୟ କହିଥିଲେ ଯେ ଓଡ଼ିଶାରେ ଏକ ନୂତନ ସରକାରୀ ନର୍ସିଂ କଲେଜ ଏବଂ ଚାରୋଟି ଦନ୍ତ ମହାବିଦ୍ୟାଳୟ ଖୋଲାଯିବ।ଡକ୍ଟର ମୁକେଶ ମହାଲିଙ୍ଗ ଆଲୋକପାତ କରି କହିଥିଲେ ଯେ ସଂସ୍ଥାଗତ ପ୍ରସବ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି, ଯାହା ଆଜି 92 ପ୍ରତିଶତରୁ ଅଧିକକୁ ବୃଦ୍ଧି ପାଇଛି। ସେ କହିଥିଲେ ଯେ ଏମଏମଆର ଏବଂ ଆଇଏମଆର ମାମଲା ଦ୍ରୁତ ଗତିରେ ହ୍ରାସ ପାଇଛି ।

ଓଡ଼ିଶାର ଜିଲ୍ଲା ଡାକ୍ତରଖାନାଗୁଡ଼ିକରେ କର୍କଟ ଚିକିତ୍ସା ଏବଂ କେମୋଥେରାପି ପ୍ରଦାନ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଡାକ୍ତରଖାନା ସୁନିଶ୍ଚିତ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି।ମନ୍ତ୍ରଣାଳୟ ସଚିବ ଶ୍ରୀମତୀ ପୁଣ୍ୟ ସଲିଳା ଶ୍ରୀବାସ୍ତବ ଉଲ୍ଲେଖ କରିଥିଲେ ଯେ ଏନଏଚଏମ ଜାତୀୟ ସମ୍ମିଳନୀ ନ୍ୟାୟସଙ୍ଗତ, ଗୁଣାତ୍ମକ ଏବଂ ସୁଲଭ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ବିକଶିତ ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ ରାଜ୍ୟଗୁଡ଼ିକ ପୂର୍ବରୁ ଆୟୋଜିତ ସାଧାରଣ ସମୀକ୍ଷା ମିଶନ (ସିଆରଏମ) ରୁ ସର୍ବୋତ୍ତମ ଅଭ୍ୟାସ ଏବଂ ଶିକ୍ଷା ବାଣ୍ଟିବାରେ ସକ୍ଷମ ହେବେ ଯାହା ସେମାନଙ୍କୁ ଜନ ଭାଗିଦାରୀର ସମ୍ପ୍ରସାରଣ, ସମ୍ବଳକୁ ଅନୁକୂଳ କରିବା ଏବଂ ଆହ୍ୱାନର ମୁକାବିଲା କରିବାରେ ସାହାଯ୍ୟ କରିବ। ଗୁଣବତ୍ତା ବୃଦ୍ଧି ଉପରେ ଧ୍ୟାନ ଦେବା ଏବଂ ଅଧିକ ପ୍ରଭାବଶାଳୀ ସେବା ପ୍ରଦାନ ପାଇଁ ଅଧିକ ସମ୍ବଳର ଆବଶ୍ୟକତା ଥିବା କ୍ଷେତ୍ରଗୁଡ଼ିକର ଆକଳନ କରିବା ଲାଗି ସେ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ।ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉତ୍ତମ ଏବଂ ଅନୁକରଣୀୟ ଅଭ୍ୟାସ ଏବଂ ନବୋନ୍ମେଷ ଉପରେ ବାର୍ଷିକ ଜାତୀୟ ନବୋନ୍ମେଷ ସମ୍ମିଳନୀ ଆୟୋଜନ କରିଛି। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଜନସ୍ୱାସ୍ଥ୍ୟ ଆହ୍ୱାନର ମୁକାବିଲା ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ଗ୍ରହଣ କରାଯାଇଥିବା ସର୍ବୋତ୍ତମ ଅଭ୍ୟାସ ଏବଂ ନବସୃଜନର ପ୍ରଦର୍ଶନ ଏବଂ ଦସ୍ତାବିଜ ପ୍ରସ୍ତୁତ କରିବା। ଏହି ପଦକ୍ଷେପ 2013ରେ ଆରମ୍ଭ ହୋଇଥିଲା, ପୂର୍ବରୁ ସାତଟି ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଅଷ୍ଟମ ଶିଖର ସମ୍ମିଳନୀ, ଚିନ୍ତନ ଶିବିର ସହିତ, ମେ 2022 ରେ ଗୁଜରାଟର କେୱଡିଆରେ ଅନୁଷ୍ଠିତ ହୋଇଥିଲା।ପୁରୀରେ ଅନୁଷ୍ଠିତ ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *