ଭଞ୍ଜନଗର: ମନ୍ଦିରରୁ ଚୋରି ଘଟଣାରେ ୨ ଗିରଫ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଛେଦାଭୁମି ବିଶନାଥ ମନ୍ଦିର ଏବଂ ଶ୍ରୀରାମ ନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠ ପରିସରରୁ ବୁଧବାର ରାତିରେ ଚୋରି ହୋଇଥିଲା। ଉଭୟ ମନ୍ଦିରରୁ ପ୍ରାୟ ୩ ଲକ୍ଷ ଟଙ୍କାର ମୂର୍ତ୍ତି ସମେତ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିଲା। ଏହି ମାମଲାରେ ପୋଲିସ ଗୁରୁବାର ଦୁଇ ଜଣକୁ ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟ ଜିନିଷ ଉଦ୍ଧାର କରିଛି। ଏହାପରେ ଉଭୟ ମନ୍ଦିର କମିଟି କୁ ଉଦ୍ଧାର ଜିନିଷ ହସ୍ତାନ୍ତର କରାଯାଇଛି । ଗିରଫ ଦୁଇଜଣ ହେଲେ ମୁନା ନାଇକ, ରୋଶନ ନାଇକ।ଭଞ୍ଜନଗର ଏସଡିପିଓ ସୁଜିତ୍‌ କୁମାର ନାୟକ ଏକ ଖବରଦାତା ସମ୍ମିଳନୀରେ ତାହା ପ୍ରକାଶ କରିଛନ୍ତି।ଏହି ସମୟରେ ଥାନା ଅଧିକାରୀ ଜିବନାନନ୍ଦ ଜେନା, ଏସଆଇ ସମୀର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଏସଡିପିଓ ଶ୍ରୀ ନାୟକ କହିଥିଲେ ଯେ ଅଭିଯୁକ୍ତମାନେ ଆଉ କିଛି ମାମଲାରେ ମଧ୍ୟ ଜଡିତ ଅଛନ୍ତି। ଏନେଇ ତଦନ୍ତ ଚାଲିଛି। ଏଥିସହ ସାଇ ମନ୍ଦିର ସମେତ ଅନ୍ୟାନ୍ୟ ଚୋରି ସମ୍ପର୍କରେ ତଦନ୍ତ ଚାଲିଛି। ଖୁବଶୀଘ୍ର ଅନ୍ୟ ଚୋରି ଘଟଣାର ଅଭିଯୁକ୍ତ ମାନକୁ ମଧ୍ୟ ଗିରଫ କରାଯିବ ବୋଲି ଏସଡିପିଓ କହିଥିଲେ।ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତମାନେ ଘଟଣା ରାତିରେ ପ୍ରଥମେ ଶ୍ରୀ ଅରବିନ୍ଦ ଶକ୍ତିପୀଠରୁ ବିଭିନ୍ନ ଜିନିଷ ଚୋରି କରିଥିଲେ। ଏହାପରେ ବିଶନାଥ ମନ୍ଦିରରୁ ଚୋରି କରିଥିଲେ। ଲୋକେ ଏନେଇ ସନ୍ଦେହରେ ଅଭିଯୁକ୍ତ ମାନକୁ ଠାବ କରି ପଚରାଉଚରା କରିବା ପରେ ଲୁଟ ଜିନିଷ ମିଳିଥିଲା। ଏହାପରେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରି ଆଣିଥିଲା।

Leave a Reply

Your email address will not be published. Required fields are marked *