ନିଯୁକ୍ତି ମେଳା: ୫ ବିଭାଗରେ ୮୧୨ ଜଣଙ୍କୁ ନିଯୁକ୍ତି ପତ୍ର

ଭୁବନେଶ୍ୱର: ସରକାରୀ ଚାକିରୀ ସର୍ବଦା ଜନସେବା ପାଇଁ ଉତ୍ସର୍ଗୀକୃତ। ତେଣୁ ନିଜକୁ ଜନସାଧାରଣଙ୍କର ସେବକ ଭାବେ ସାଧାରଣ ଲୋକଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବା ଏବଂ ସେମାନଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ରହିବା ଆବଶ୍ୟକ। ଆପଣମାନେ ଲୋକଙ୍କ ସେହି ଭରସାକୁ କୌଣସି ସମୟରେ କିମ୍ବା କୌଣସି ପରିସ୍ଥିତିରେ ଭାଙ୍ଗିବେ ନାହିଁ ବୋଲି ମୋର ଆଶା। ଆପଣଙ୍କ ଦ୍ଵାରା ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ଏବଂ କାର୍ଯ୍ୟ ଜନମଙ୍ଗଳ ଉପରେ ଆଧାରିତ ହେବା ଉଚିତ୍ ।ମଙ୍ଗଳବାର ସ୍ଥାନୀୟ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମୁଦାୟ ୫ଟି ବିଭାଗର ୮୧୨ ଜଣ ନବନିଯୁକ୍ତ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ପରାମର୍ଶ ଦେଇ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ସାମର୍ଥ୍ୟ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।

ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗର ଆୟୁଷ ନିର୍ଦ୍ଦେଶାଳୟରେ ୪୪୨ ଜଣ ଆୟୁଷ ଆସିଷ୍ଟାଣ୍ଟ, କୃଷି ବିଭାଗରେ ୬୫ ଜଣ ମୃତ୍ତିକା ସଂପ୍ରସାରଣ କର୍ମଚାରୀ ଏବଂ ୩୩ ଜଣ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଶକ୍ତି ବିଭାଗରେ ୪୮ ଜଣ ମ୍ୟାନେଜମେଣ୍ଟ ଟ୍ରେନି, ଜଳ ସମ୍ପଦ ବିଭାଗରେ ୧୨ଜଣକନିଷ୍ଠ ସହାୟକ ଓ ୧୪ ଜଣ ଅମିନ ଏବଂ ଇସ୍ପାତ ଓ ଖଣି ବିଭାଗରେ ୧୮୯ ଜଣ କନିଷ୍ଠ ଖଣି ଅଧିକାରୀ ଓ ୯ ଜଣ କନିଷ୍ଠ ସହାୟକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ବିକାଶ ଧାରାକୁ କ୍ରିୟାଶୀଳ ଏବଂ ଫଳପ୍ରସୁ କରିବା ଦିଗରେ ଦକ୍ଷ ଓ ଉତ୍ତମ ମାନବ ସମ୍ବଳ ଅପରିହାର୍ଯ୍ୟ । ଦକ୍ଷ ମାନବ ସମ୍ବଳ ମାଧ୍ୟମରେ ସରକାରୀ ବ୍ୟବସ୍ଥା ସକ୍ରିୟ ଓ ସଜାଗ ରହେ ଏବଂ ଜନସାଧାରଣଙ୍କୁ ସଠିକ୍ ସମୟରେ ଆବଶ୍ୟକ ସେବା ଯୋଗାଇ ଦିଆଯାଇଥାଏ । ଏହି ମୌଳିକ ସତ୍ୟକୁ ଉପଲବ୍ଧି କରି ଆମ ସରକାର ଦାୟିତ୍ଵ ନେବା ପରେ ପରେ ଦୀର୍ଘ ବର୍ଷ ଧରି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକରେ ଉପଯୁକ୍ତ ମାନବ ସମ୍ବଳ ନିଯୁକ୍ତି ଆରମ୍ଭ କରିଛନ୍ତି । ରାଜ୍ୟର ବିକାଶ ଦିଗରେ ଆମ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଣୁ ଆପଣମାନଙ୍କ ପରି ଯୁବ ଏବଂ ଦକ୍ଷ ଅଧିକାରୀ ଓ କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ଵାରା ହିଁ ଲୋକମାନେ ଏହି ପଦକ୍ଷେପ ଗୁଡିକର ସୁଫଳ ପାଇବାକୁ ସକ୍ଷମ ହେବେ ।

Leave a Reply

Your email address will not be published. Required fields are marked *