‘ଆୟୁଷ୍ମାନ ଭାରତ ଯୋଜନା’ ସମେତ ୧୦ ପ୍ରସ୍ତାବକୁ ମିଳିଳା କ୍ୟାବିନେଟ୍‌ରେ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗ(ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା)ରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସନ୍ଧ୍ୟାରେ ଏନେଇ ଗୃହରେ ସୂଚନା ଦେଇଛନ୍ତି।ଶ୍ରୀ ମାଝୀ କହିଛନ୍ତି, ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ବାରା ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ। ୭୦ ବର୍ଷ ବୟସରୁ ଅଧିକ ଲୋକଙ୍କ ଲାଗି ‘ଆୟୁଷ୍ମାନ ବାୟୋ ବନ୍ଧନ’କୁ ମଞ୍ଜୁରୀ ମିଳିଛି। ସେହିପରି ପରିବାର ପିଛା ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିବ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ମିଳିତ ଭାବେ କାମ କରିବ। ଏହି ଯୋଜନା ଦ୍ବାରା ହିତାଧିକାରୀମାନେ କ୍ୟାସ୍‌ଲେସ୍‌ ସୁବିଧା ପାଇପାରିବେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ସରକାର ରାଜ୍ୟ ସଡ଼କ ନୀତିକୁ କ୍ୟାବିନେଟରେ ଅନୁମୋଦନ ଦେଇଛନ୍ତି। ସେହିପରି ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଚାକିରି ନେଇ ନିୟମ ସଂଶୋଧିତ ହୋଇଛି। ରାଜ୍ୟରେ ଚଳିତ ବର୍ଷ ଅପ୍ରେଲ୍‌ ପହିଲାରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁହେବ। ପ୍ରଧାନମନ୍ତ୍ରୀ-ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ୮୦ ହଜାର ପରିବାର ହେବେ ଉପକୃତ। ସେହିପରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୩୫ ଲକ୍ଷ ୮୪ ହଜାରରୁ ଅଧିକ ପରିବାର ଉପକୃତ ହେବେ। ବ୍ୟକ୍ତିଗତ ଭାବେ ୩.୪୬ କୋଟିରୁ ଅଧିକ ଲୋକ ଲାଭ ପାଇବେ। ଦୁଇଟି ଯୋଜନା ଓଡ଼ିଶାରେ ସଂଯୁକ୍ତ ଭାବରେ କାର୍ଯ୍ୟକାରୀ କରାଯିବ। ଦୁଇଟି ଯୋଜନା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ କାର୍ଡ ଯୋଗାଇ ଦିଆଯିବ ।

Leave a Reply

Your email address will not be published. Required fields are marked *