ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ବହୁ କୋଟି ଟଙ୍କାର ଆର୍ଥିକ ହେରଫେର ମାମଲା: ସାମ୍ନାକୁ ଆସିଲା ଆଉ ତିନି ନୂଆ ନାମ

ଭୁବନେଶ୍ବରର/ କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ୍ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ଲିମିଟେଡ୍ରେ ବହୁ କୋଟି ଟଙ୍କାର ଆର୍ଥିକ ହେରଫେର ମାମଲାରେ ଗିରଫ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କ ଆଉ ୩ ସହଯୋଗୀଙ୍କ ନାଆଁ ସାମ୍ନାକୁ ଆସିଛି। ସେମାନଙ୍କୁ ପୁଲିସ ଗିରଫ କରିବ ବୋଲି ଜଣାଯାଇଛି। ଅବଶ୍ୟ ଏଯାଏ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଉକ୍ତ ତିନି ନୂଆ ନାମ ଘୋଷଣା କରିନାହିଁ। ଗିରଫ ୪ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ବେଳେ ଏମାନଙ୍କ ନାମ ସାମ୍ନାକୁ ଆସିଛି। ଏମାନେ ବହୁ କୋଟି ଟଙ୍କାର ଆର୍ଥିକ ହେରଫେର ମାମଲାରେ ଜଡ଼ିତ ଥିବାରୁ ଏମାନଙ୍କୁ ପଚରାଉଚରା ପରେ ଇଓଡବ୍ଲ୍ୟୁ ଗିରଫ କରିପାରେ ବୋଲି କୁହାଯାଉଛି।୨୦୧୭-୧୮ରୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ଲିଃ ୧୮୫ କୋଟି ଟଙ୍କା ଲାଭ କରିଥିବା ଖାତାରେ ଦର୍ଶାଇଥିଲେ ମଧ୍ୟ ୨୦୧୨-୧୩ରୁ ୨୦୨୪ ପର୍ଯ୍ୟନ୍ତ ସୋସାଇଟିର କୌଣସି ଅଡିଟ୍ କରାଯାଇନାହିଁ। ସ୍ଥାନୀୟ ଅଞ୍ଚଳର ପାରିପାର୍ଶ୍ବିକ ବିକାଶ ପାଇଁ ସଂସ୍ଥା ପକ୍ଷରୁ ୩୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି ।

ମାତ୍ର ସେଥିରେ କୌଣସି ଅର୍ଥ ଖର୍ଚ୍ଚ ହୋଇ ନଥିବା ମଧ୍ୟ ଦୁଇ ଜଣ ବିଡିଓ ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିସହ ସୋସାଇଟିର ଗାଡ଼ି ବଦଳରେ ରାଜା ଚକ୍ରଙ୍କ ନିଜ ଗାଡ଼ି, ମେସିନାରି ବ୍ୟବହାର କରି ସେଥିରେ ୯.୧ କୋଟି ଟଙ୍କାର ତେଲ ପକାଇବା ବାବଦରେ ତାଙ୍କ ନାଁରେ ଥିବା ମା’ କାଳୀ ପେଟ୍ରୋଲ ପମ୍ପକୁ ଏହି ଟଙ୍କା ପ୍ରଦାନ କରିଛି ଗନ୍ଧମାର୍ଦ୍ଦନ ଏଜେନ୍ସି। ସେହିପରି ୪ ବର୍ଷ ଭିତରେ ବିଭିନ୍ନ ଗାଁ ଲୋକଙ୍କ ମୁହଁକୁ ଚୁପ୍ କରି ସମର୍ଥନ ପାଇବା ପାଇଁ ସଂସ୍ଥା ପକ୍ଷରୁ ୩୩ କୋଟି ଟଙ୍କା ବଣ୍ଟନ କରାଯାଇଛି। ଶ୍ରମିକଙ୍କୁ ଦେୟ ଓ ଲୋଡିଂ ଖର୍ଚ୍ଚ ପାଇଁ ୭୪ କୋଟି ଟଙ୍କା ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଏହି ମାମଲାରେ ରାଜା ଚକ୍ର ଏବଂ ତାଙ୍କ ପତ୍ନୀ ରୂପାଲି ପଟ୍ଟନାୟକଙ୍କ ନାଁରେ ଥିବା ୨ଟି ଯାତ୍ରୀବାହୀ ଗାଡ଼ି, ୪୦ଟି ହାଇୱା ଗାଡ଼ିକୁ କ୍ରାଇମ୍ ବ୍ରାଞ୍ଚ ଜବତ କରିଛି। ଉଭୟଙ୍କ ନାଁରେ ୯୦ରୁ ଅଧିକ ଗାଡ଼ି ରହିଥିବା ବେଳେ ସେଗୁଡ଼ିକର କାଗଜପତ୍ର ମଧ୍ୟ ଯାଞ୍ଚ୍ ଚାଲିଛି ।

Leave a Reply

Your email address will not be published. Required fields are marked *