ଭଞ୍ଜନଗର : ଛଅ ଟି ଚୋରି ର ଅପରାଧୀ ଗିରଫ


ଭଞ୍ଜନଗର (ଅରକ୍ଷିତ ପରିଛା ,ଓଡ଼ିଶା ଟୁଡେ) : ଗଂଜାମ ଜିଲ୍ଲା ଭଂଜନଗର ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ପାଇଁ ଚିନ୍ତା ବଢାଇଥିବା ଏକ ଲୁଟେରା ଗ୍ୟାଙ୍ଗ୍ କୁ ଧରିବାରେ ସଫଳ ହୋଇଛି ଭଂଜନଗର ଥାନା ପୋଲିସ । ଆନ୍ତଃରାଜ୍ୟ ଏହି ଲୁଟେରା ଦଳର ୫ ଅଭିଯୁକ୍ତ ସମେତ ଲକ୍ଷାଧିକ ଚୋରି ଟଙ୍କା ଉଧାର କରିଛି ପୋଲିସ ।
ରାତିରେ ଗୋଟିଏ ପରେ ଗୋଟିଏ ବିଦେଶୀ ମଦ ଦୋକାନର ଲୁହାକବାଟ ତାଡି, ଲୁଟି ନେଉଥିଲେ ଲକ୍ଷଲକ୍ଷ ଟଙ୍କା । ଗଲା ଏକମାସରୁ ଊର୍ଦ୍ଧ୍ବ ସମୟ ଧରି ଗଂଜାମ ଜିଲ୍ଲା ପୋଲିସର ନିଦ ହଜାଇ ଦେଇଥିଲେ ଏହି ଗ୍ୟାଙ୍ଗ୍ । ଜିଲ୍ଲାର ୬ ଟି ବିଦେଶୀ ମଦ ଦୋକାନରୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିଲେ, ଲୁଟେରା ଗ୍ୟାଙ୍ଗ । ଶେଷରେ ଗତ ୮ ତାରିଖରେ ଭଂଜନଗର ସହର ଉପକଣ୍ଠରେ ଥିବା ବିଦେଶୀ ମଦ ଦୋକାନରୁ ୯୦ ହଜାର ଟଙ୍କା ଲୁଟିନେବା ପରେ, ଆକ୍ସନ ମୁଡ୍ କୁ ଆସିଥିଲା, ଭଂଜନଗର ପୋଲିସ । ଗଂଜାମ ଏସପି ଏବଂ ଭଂଜନଗର ଏସିଡିପିଓ ଙ୍କ ପରାମର୍ଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍ ଗଠନକରି, ଏହି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି, ଭଂଜନଗର ପୋଲିସ ।

ପୂର୍ବରୁ ଏହି ଲୁଟେରା ମାନେ ଗଂଜାମ ଜିଲ୍ଲାର ଛତ୍ରପୁର, ରମ୍ଭା, ବେଗୁନିଆପଡା ଓ ଗଂଜାମ ଥାନା ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନ ମାନଙ୍କରୁ ଲୁଟ୍ କରିଥିଲେ । ଏଥିପାଇଁ ସଂପୃକ୍ତ ଥାନା ଅଞ୍ଚଳରେ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା ।

ଏନେଇ ଭଂଜନଗର ଥାନା ପରିସରରେ ଏକ ସାମ୍ୱାଦିକ ସମ୍ମୀଳନୀରେ ସୂଚନା ଦେଇଥିଲେ ଗଂଜାମର ପ୍ରୋବେସନାରୀ ଆଇପିଏସ୍ ଅଫିସର ଏବଂ ଭଂଜନଗର ଏସଡିପିଓ । ଗିରଫ ୫ ଅଭିଯୁକ୍ତ ମାନେ ହିଞ୍ଜିଳି, ପୁରୁଷୋତ୍ତମପୁର, ବୁଗୁଡ଼ା ଥାନା ଅଞ୍ଚଳର ହୋଇଥିବା ବେଳେ, ଏହି ଗ୍ୟାଙ୍ଗ୍ ମୁଖ୍ୟ କାର୍ପେଟଦାର୍ କୁ ଖୋଜୁଛି ପୋଲିସ । ଏମାନଙ୍କ ଠାରୁ ନଗଦ ୨ଲକ୍ଷ ୧୮ ହଜାର ଟଙ୍କା, ଗୋଟିଏ କାର୍ ଓ ଲୁଟ୍ ସମୟରେ ବ୍ୟବହୃତ ଲୁହା ଶାବକକୁ ଜବତ କରିଛି ପୋଲିସ ।

ଲକ୍ଷଲକ୍ଷ ଟଙ୍କା ଲୁଟିବାର ନୂଆଁ ଫର୍ମୁଲା ଥିଲା, ବିଦେଶୀ ମଦ ଦୋକାନ । ଯଦିଓ ଏହି ଲୁଟେରା ଦଳ, ଛୋଟମୋଟ ଚୋରି କରୁଥିଲେ, ତଥାପି ମଦଦୋକାନ ରେ କାରବାର ହେଉଥିବା ଲକ୍ଷଲକ୍ଷ ଟଙ୍କାକୁ ନଜର ରେ ରଖି ଆପଣେଇଥିବା ଏହି ତରିକାକୁ, ଏବେ ଭଣ୍ଡୁର କରିଛି ଗଂଜାମ ତଥା ଭଂଜନଗର ପୋଲିସ ।

Leave a Reply

Your email address will not be published. Required fields are marked *