
ଜଗନ୍ନାଥ ପ୍ରସାଦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ପୁରୁଷ ପିତଳ ହାଣ୍ଡି ସଫାକରି ଦେଲେ ଚକ୍ ଚକ୍ ଦିଶେ କିନ୍ତୁ ନାରୀ ମାଟି ହାଣ୍ଡି ଥରେ ଭାଙ୍ଗିଲେ ସବୁ ସରେ। ଏଭଳି ପ୍ରଥାସିଦ୍ଧ ଧାରଣା ଭୁଲ୍ ବରଂ ଭଙ୍ଗା ମାଟି ହାଣ୍ଡିରୁ ପାଣି ବିଚ୍ଛୁରିତ ହୋଇ ପଡିଲେ ବୀଜ ଯେପରି ଅଙ୍କୁରୋଦ୍ ଗମ ହୋଇ ସୁନ୍ଦର ବୃକ୍ଷରେ ପରିଣତ ହୁଏ। ଠିକ୍ ସେହିଭଳି ଦୁଃଖ ଯନ୍ତ୍ରଣା ରୂପକ ଭଙ୍ଗା ହୃଦୟରେ ନାରୀଟି ବଂଚି ରହି ସମାଜ କୁ ଏକ ସୁ ସନ୍ତାନ ଜନ୍ମ ଦିଏ। ତେଣୁ ନାରୀ ସଦାସର୍ବଦା ମହାନ୍ । ସେହିପରି ଆଜିକାଲି ଛାତ୍ରଛାତ୍ରୀ ମାନେ ପ୍ରମାଣ ପତ୍ର ପାଇବା ପାଇଁ ଯେତିକି ବ୍ୟଗ୍ର ତାଠାରୁ ବାପା,ମା, ଏବଂ ଗୁରୁଜନଙ୍କୁ ପ୍ରଣାମ କରିବା ତତୋଧିକ ଆବଶ୍ୟକ ରହିଛି କାରଣ ଏହି ନମ୍ର ଭାବ ହିଁ ତୁମ ଜୀବନକୁ ସୁନ୍ଦର କରି ଗଢିତୋଳିବ ବୋଲି ମଂଚାସୀନ ଅତିଥିବୃନ୍ଦ ମତପ୍ରକାଶ କରିଥିଲେ। ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଶେଷବର୍ଷର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଚିନଂ ବଦ୍ରି ନାରାୟଣ ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟ ର ଶୈକ୍ଷିକ ଅଧିକାରୀ ଅଧ୍ୟାପକ ଅଲେଖ ଚନ୍ଦ୍ର ଘଡାଇ, ମୁଖ୍ୟ ଅତିଥି ଭାବେ ଇକାକ୍ ସଂଯୋଜକ ଡ଼ଃ ଭଂଜ କିଶୋର ରଣା ଏବଂ ସମ୍ମାନିତ ଅତିଥି ଭାବେ ଷ୍ଟାଫ୍ କାଉନସିଲ୍ ସେକ୍ରେଟାରୀ ଡଃ ନଟବର ଜେନା ଯୋଗ ଦେଇ ବିଦାୟୀ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଗଳ୍ପ ମାଧ୍ୟମରେ ସୁନ୍ଦର ଉପଦେଶ ଏବଂ ଜୀବନ ଗଠନ ର କୈାଶଳ ତଥା ଓଡିଆ ଭାଷା ରେ ସ୍ନାତକ ଡିଗ୍ରୀ ହାସଲ କଲାପରେ ସରକାରୀ ସ୍ତରରେ କିଭଳି ବିଭିନ୍ନ ସୁବିଧା ସୁଯୋଗ ରହିଛି ତାହା ଉପସ୍ଥାପନ କରିଥିଲେ ।
ସେହିପରି ଓଡିଆ ବିଭାଗ ମୁଖ୍ୟ ଅଧ୍ୟାପକ ବସନ୍ତ କୁମାର ଶତପଥୀ, ବିଭାଗୀୟ ଅଧ୍ୟାପକ ସଞ୍ଜୁ ଖାଡିଆ, ଏବଂ ବିଭାଗୀୟ ଅଧ୍ୟାପିକା ସୁଶ୍ରୀ ରୋଜାଲିନ ପାତ୍ର ମଂଚାସୀନ ରହି ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେବା ସହ ସେମାନଙ୍କର ଭବିଷ୍ୟତ କିଭଳି ଉଜ୍ଜ୍ୱଳ ହେବ ତା’ର ମାର୍ଗ ଦର୍ଶାଇଥିଲେ। ପାଠ ଚକ୍ର ସଂପାଦିକା ସୁଶ୍ରୀ ମନୀଷା ପ୍ରଧାନ ଅତିଥିମାନଙ୍କୁ ସ୍ବାଗତ କରିଥିବାବେଳେ ଛାତ୍ର ମାନସ ଏବଂ ଛାତ୍ରୀ କାବେରୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଅଧ୍ୟକ୍ଷ ଚିନଂ ବଦ୍ରି ନାରାୟଣ ପାତ୍ର ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ନିଜ ଅଭିଭାଷଣରେ କହିଥିଲେ ଯେ,ଖୁବ୍ ଶୀଘ୍ର ଏ ମହାବିଦ୍ୟାଳୟ ରେ ସ୍ନାତକୋତ୍ତର ଓଡିଆ ଏବଂ ଇଂରାଜୀ ବିଭାଗ ଖୋଲୁଅଛି ଯାହାକି ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନଙ୍କ ଉଚ୍ଚଶିକ୍ଷା ଲାଭ କରିବାର ଆଶା କୁ ପୂରଣ କରିବାରେ ସହାୟ ହେବ। ଛାତ୍ରୀ ମନୀଷା ପ୍ରଧାନ, ସରସ୍ବତୀ ଦଳାଇ, ଲିଜାରାଣୀ ପ୍ରଧାନ, ସୁଜାତା ଦିହୁଡି,ମୁନି ବିଷୋୟୀ, ଗୀତି ସାହୁ,ପୂଜା ବେହେରା,ରେଶ୍ମା ରାଣୀ ବିଷୋୟୀ ଏବଂ ଛାତ୍ର ମାନସ ସାହୁ ନିଜ ନିଜର ଅନୁଭୂତି ପ୍ରଦାନ କରିଥିଲେ। ଇତ୍ୟବସରରେ ବିଦାୟୀ ଛାତ୍ରଛାତ୍ରୀ ମାନଙ୍କ ମନୋରଞ୍ଜନ ନିମନ୍ତେ ଛାତ୍ର ମାନସ ଏକ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ପାଠଚକ୍ର ସହ-ସଂପାଦକ ଶ୍ରୀମାନ ମାନସ ସାହୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଭାଗ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।