ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ ବିଧାୟକମାନଙ୍କ ଧାରଣା ଜାରି, ଧାରଣାସ୍ଥଳରେ ପିସିସି ସଭାପତି ଓ ରାଜ୍ୟ କଂଗ୍ରେସ ପ୍ରଭାରୀ

ଭୁବନେଶ୍ବର: ଏବେ ବି ମାଷ୍ଟରକ୍ୟାଣ୍ଟିନ୍ ରେ କଂଗ୍ରେସ ବିଧାୟକମାନଙ୍କ ଧାରଣା ଜାରି ରହିଛି। ବିଧାୟକମାନଙ୍କ ସହ କଂଗ୍ରେସ କର୍ମୀମାନେ ବି ଧାରଣାରେ ବସିଛନ୍ତି। ତେବେ ଆଜି ସକାଳେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମ‌ାର ଲଲୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଣେ ଆଜି ବି ନିଲମ୍ବିତ କଂଗ୍ରେସ ବିଧାୟକମାନଙ୍କ ସହ ୧୪ ବିଧାୟକ ଘଣ୍ଟ, ଗିନି, ତୁରୀ ବଜାଇ ବିଧାନସଭାକୁ ଯିବେ। ଯଦି ନିଲମ୍ବିତ କଂଗ୍ରେସ ବିଧାୟକମାନଙ୍କୁ ଗୃହରେ ପ୍ରବେଶଲାଗି ଅନୁମତି ଦିଆଯିବ, ତେବେ ସମସ୍ତେ ବିଧାନସଭାକୁ ଯିବେ, ତାହା ନହେଲେ ‌କେହି ବିଧାୟକ ଗୃହ ଭିତରକୁ ଯିବେ ନାହିଁ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି। ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦେବାକୁ ବିଧାନସଭା ଗୃହ କମିଟି ଗଠନ କରିବା ଦାବି କଂଗ୍ରେସ ପାଇଁ ଭା‌ରି ପଡ଼ିଛି ।

ଏହି ଦାବିରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ୭ଦିନ ପାଇଁ ନିଲମ୍ବିତ ହୋଇଥିଲେ। ହେଲେ କଂଗ୍ରେସର ସ୍ବର କମିଲାନି, ବରଂ ବଢ଼ିଚାଲିଲା। ବିଧାୟକମାନେ ଘଣ୍ଟ, ଗିନି, ତୁରୀ ବଜାଇ ବିରୋଧ କରୁଥିଲେ। ବାଚସ୍ପତି ଓ ଉପବାଚସ୍ପତିଙ୍କ ତାଗିଦ୍‌ ନଶୁଣି ନିଜ ଜିଦ୍‌ରେ ଅଟଳ ଥିଲେ। ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରସ୍ତାବ ଦେଇଥିଲେ ଯେ କଂଗ୍ରେସ ବିଧାୟକମାନେ ଗୃହରେ ବିଶୃଙ୍ଖଳା ଆଚରଣ କରୁଛନ୍ତି। ବାଚସ୍ପତିଙ୍କ ଆସନକୁ ଅପମାନିତ କରୁଛନ୍ତି। ଶେଷରେ ଗତକାଲି ଅପରାହ୍‌ଣରେ ବାଚସ୍ପତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ସି.ଏସ୍‌ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉଣ୍ଟା, କାଡ୍ରାକା ଆପାଲାସ୍ବାମୀ, ନୀଳମାଧବ ହିକ୍‌କା ଓ ସୋଫିଆ ଫିର୍ଦ୍ଦୋସଙ୍କୁ ଚଳିତ ଅଧିବେଶନର ଶେଷ ତଥା ୭ଟି କାର୍ଯ୍ୟ ଦିବସ ପାଇଁ ଗୃହରୁ ନିଲମ୍ବନ କରାଯାଉ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ବାଚନିକ ଭୋଟ୍‌ରେ ଏହି ପ୍ରସ୍ତାବକୁ ପାରିତ କରିଥିଲେ। ଏହି ପ୍ରସ୍ତାବକୁ ବିଜେପି ସମର୍ଥନ କରିଥିବାବେଳେ ବିଜେଡି ବିଧାୟକମାନେ ନିରବ ରହିଥିଲେ ।

Leave a Reply

Your email address will not be published. Required fields are marked *