“ମୋ ସ୍ତ୍ରୀକୁ ମାରିଦେଲେ…”; ଗର୍ଭବତୀ ଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିବା ନେଇ ଭଞ୍ଜନଗର ଡାକ୍ତରଖାନାରେ ଉତ୍ତେଜନା

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ) :ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ବେଲଗୁଣ୍ଠା ବ୍ଲକ ଉଢୁରା ଗ୍ରାମର ମିଲୁ ସାମଲଙ୍କ ପତ୍ନୀ ଟିକିନା ସାମଲ(୩୨)। ମହିଳାଙ୍କ ମୃତ୍ୟୁ କୁ ନେଇ ପରିବାର ଲୋକେ ମେଡ଼ିକାଲ କର୍ତ୍ତୃପକ୍ଷ ଙ୍କୁ ଦାୟୀ କରିଛନ୍ତି ।ଡାକ୍ତର ଠିକ୍ ଭାବେ ଚିକିତ୍ସା କରିନଥିବା ଅଭିଯୋଗ ଆଣି ଶନିବାର ସକାଳୁ ଡାକ୍ତରଖାନାରେ ପରିବାର ଓ ସମ୍ପର୍କୀୟ ମାନେ ପାଟିତୁଣ୍ଡ କରିଥିଲେ।ଏହାକୁ ନେଇ ପୁର୍ବାହ୍ନ ସମୟରେ ମେଡିକାଲ ରେ ଉତ୍ତେଜନା ପ୍ରକାଶ ପାଇଥିଲା।ଏଥି ସହ ମେଡ଼ିକାଲ ଅଧିକ୍ଷକ ଙ୍କୁ ଘେରି ଘଟଣାର ତଦନ୍ତ କରିବାକୁ ଦାବି କରିଥିଲେ। ଉତ୍ତେଜନା କୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ଅଧିକାରୀ ମେଡିକାଲ ରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଦୀର୍ଘ ସମୟ ଧରି ମେଡ଼ିକାଲ ପରିସରରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବା ବେଳେ ମୃତ ମହିଳା ଙ୍କ ପରିବାର ଲୋକ ଅନ୍ତିମ ସତ୍କାର ପାଇଁ ମୃତଦେହକୁ ଗ୍ରାମକୁ ନେଇ ଯାଇଥିଲେ। ସୂଚନାନୁସାରେ, ବେଲଗୁଣ୍ଠା ବ୍ଲକ ଉଢୁରା ଗ୍ରାମର ମିଲୁ ସାମଲଙ୍କ ପତ୍ନୀ ଟିକିନା ସାମଲ ଛଅ ମାସର ଗର୍ଭବତୀ ରହିଥିବା ବେଳେ ଗତ ୨୬ ତାରିଖ ଦିନ ଅସୁସ୍ଥ କାରଣରୁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ।ତାଙ୍କ ଶରୀର ରେ ରକ୍ତ ଅଭାବ ଥିବା ଦର୍ଶାଇ ଦୁଇ ୟୁନିଟ୍ ରକ୍ତ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଏହା ପରେ ମିଲୁ ବନ୍ଧୁ ବାନ୍ଧବଙ୍କ ସହଯୋଗରେ ରକ୍ତ ଯୋଗାଡ କରି ଗୋଟିଏ ୟୁନିଟ ଗୁରୁବାର ଓ ଅନ୍ୟ ଟି ଶୁକ୍ରବାର ସନ୍ଧ୍ୟାରେ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି। ଶୁକ୍ରବାର ରକ୍ତ ଦେବା ସମୟରେ ଟିକିନା ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ନର୍ସଙ୍କୁ ଅବଗତ କରାଇଥିଲେ।ଏହା ପରଠୁ ଟିକିନା ଗୁରୁତର ହୋଇ ପଡିଥିବା ବେଳେ ଡାକ୍ତରଙ୍କୁ ମଧ୍ୟ ଅବଗତ କରାଇଥିଲେ। ଟିକିନା ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ କୁ ରେଫର କରିଥିଲେ।ସ୍ଥାନାନ୍ତର କରିବା ପୁର୍ବରୁ ଶୁକ୍ରବାର ବିଳମ୍ବିତ ରାତିରେ ମେଡ଼ିକାଲ ମଧ୍ୟରେ ହିଁ ଟିକିନାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା। ମେଡିକାଲ ରେ ଚାରିଜଣ ପ୍ରସୂତି ବିଶେଷଜ୍ଞ ଥିବା ସତ୍ୱେ ମଧ୍ୟ ଶୁକ୍ରବାର ଦିନ ବିଶେଷଜ୍ଞ ଡାକ୍ତର ରାଉଣ୍ଡ କରିନାହାନ୍ତି।ଯାହାକୁ ନେଇ ଶନିବାର ସକାଳୁ ଡାକ୍ତର ଙ୍କ ଚିକିତ୍ସା ଅବହେଳା କୁ ଦାୟୀ କରି ପରିବାର ଲୋକେ ମେଡିକାଲ ରେ ପାଟିତୁଣ୍ଡ କରିବା ସହ ଚିକିତ୍ସା ଅଭାବ ରୁ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ପୋଲିସ ର ବୁଝାସୁଝା ପରେ ଉତ୍ୟକ୍ତ ଲୋକେ ମୃତଦେହ ନେଇ ଗାଁ କୁ ଯାଇଥିଲେ।ଗାଁରେ ମୃତଦେହ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏହା ବ୍ୟତୀତ ଚିକିତ୍ସା ଅବହେଳା ରୁ ଏପରି ଅନକେ ନିରୀହ ରୋଗୀଙ୍କ ମୃତ୍ୟୁ ଘୁଟୁଥିବ ସାଧରଣ ରେ ଆଲୋଚନା ହୋଇଛି।ଏହିଭଳ ଚଏନେଇ ମେଡ଼ିକାଲ ଅଧିକ୍ଷକ ସିତାଂଶୁ ଶେଖର ଶତପଥୀ ଦୁଃଖ ପ୍ରକାଶ କରିବା ଏଭଳି ଘଟଣା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *