
ବେଲଗୁଣ୍ଠା/ ଭଞ୍ଜନଗର ୨୯/୦୩ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଗାଙ୍ଗପୁର ଥାନାରେ ନୂତନ ଥାନାଧିକାରୀଣୀ ଭାବେ ଶୁଭଲକ୍ଷ୍ମୀ ପୂଜାରୀ ଶୁକ୍ରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀମତୀ ପୂଜାରୀ ପୂର୍ବରୁ କଟକ ସ୍ଥିତ କ୍ରାଇମ ବ୍ରାଞ୍ଚରେ ଅବସ୍ଥାପିତ ଥିଲେ। ଶ୍ରୀମତୀ ପୂଜାରୀ ପୂର୍ବରୁ ଛତ୍ରପୁର ରେ ଦୀର୍ଘ ୩ ବର୍ଷ ରେ ସବ-ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିଥିଲେ। ସେଠାରୁ ଆସିକା ଠାରେ ଅତିରିକ୍ତ ଥାନାଧିକାରିଣୀ ରୂପେ କାର୍ଯ୍ୟ କରିଥିଲେ। ଆସିକା ରୁ ପଦୋନ୍ନତି ପାଇ ଧରାକୋଟ ଥାନାଧିକାରିଣୀ ରୂପେ ୧ ବର୍ଷ କାର୍ଯ୍ୟ କରିବା ପରେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ରେ ଥାନାଧିକାରୀଣୀ ରୂପେ କାର୍ଯ୍ୟ କରିଥିଲେ। ସେଠାରୁ ପୁରୀ ତଳବଣିଆ ଥାନାରେ କାର୍ଯ୍ୟ କରିବା ସମୟରେ ଭାଗୁ ପ୍ରଧାନଙ୍କୁ ଏନକାଉଣ୍ଟର ମଧ୍ୟ କରିଥିଲେ। ଏହା ପରେ ପରେ ପୁରୀରେ ଅପରାଧୀ ମାନଙ୍କ ଛାତିରେ ପଶିଲା ଛନକା। ପରବର୍ତ୍ତୀ ମୁହୂର୍ତ୍ତରେ ଶ୍ରୀମତୀ ପୂଜାରୀ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଟାଉନ ମୋଡେଲ ପୋଲିସ ଷ୍ଟେସନ ରେ ଥାନାଧିକାରିଣୀ ଭାବେ କାର୍ଯ୍ୟ କରିବା ପରେ କଟକ କ୍ରାଇମ ବ୍ରାଞ୍ଚରେ ୨ ବର୍ଷ କାର୍ଯ୍ୟକରିବା ପରେ ପୁନର୍ବାର ଗଞ୍ଜାମ ଜିଲ୍ଲା କୁ ଆସିଛନ୍ତି। ଶ୍ରୀମତି ପୂଜାରୀ ଶୁକ୍ରବାର ଦିନ ଗାଙ୍ଗପୁର ଥାନାରେ ଯୋଗଦେଇଛନ୍ତି। ଗାଙ୍ଗପୁର ଥାନାରେ ଯୋଗଦେବା ପରେ ସାଧାରଣ ଲୋକଙ୍କୁ ନ୍ୟାୟ ଓ ଅପରାଧ ନିୟନ୍ତ୍ରଣ କରିବା ସହ ପୋଲିସ କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।
ସୂଚନା ଯୋଗ୍ୟ ପୁରୀ ଏନକାଉଣ୍ଟର ସମୟରେ ଶ୍ରୀମତୀ ପୂଜାରୀଙ୍କ ସ୍ୱାମୀ ଜୀବନାନନ୍ଦ ଜେନା ପୁରୀ ବାସୋଳିସାହି ଥାନାରେ ସେତେବେଳେ କାର୍ଯ୍ୟରତ ଥିଲେ, ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଥାନାଧିକାରୀ ରୂପେ ଶ୍ରୀ ଜେନା କାର୍ଯ୍ୟରତ ଅଛନ୍ତି । ଉଭୟ ପତି ପତ୍ନୀ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ଦୁଇ ପ୍ରମୁଖ ଥାନାର କାର୍ଯ୍ୟଭାର ନେଇ ଅପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାକୁ ସଜାଗ ରହିଛନ୍ତି ।