ଭଞ୍ଜନଗର ଓକିଲ ସଂଘ ନିର୍ବାଚନ: ଲକ୍ଷ୍ମୀକାନ୍ତ ସଭାପତି, ସନ୍ତୋଷ ଉପସଭାପତି, ଜ୍ୟୋତିରାଜ ସମ୍ପାଦକ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବରେ ସମାପ୍ତ ହେବା ସହ ନିର୍ବାଚିତ ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରାଯାଇଛି । ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀକାନ୍ତ ମହାପାତ୍ର ସଭାପତି ଭାବେ, ସନ୍ତୋଷ କୁମାର ବେହେରା ଉପସଭାପତି ଭାବେ ଏବଂ ସଂଗ୍ରାମ କେଶରୀ ମିଶ୍ର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଜ୍ୟୋତିରାଜ ପତି ସମ୍ପାଦକ ଭାବେ ଏବଂ ଗିରିଜା ଶଙ୍କର ଭୂୟାଁ ଯୁଗ୍ମ ସମ୍ପାଦକ ଭାବେ ଅପ୍ରତିଦ୍ଵନ୍ଦୀ ରହି ନିର୍ବାଚିତ ଘୋଷିତ ହୋଇଛନ୍ତି । ଶନିବାର ପୂର୍ବାହ୍ନ ୭.୩୦ ସମୟରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ୩.୦୦ ପର୍ଯ୍ୟନ୍ତ ଚାଲିଥିଲା । ଅପରାହ୍ନ ୪.୦୦ ରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ ଲଡୁକିଶୋର ଆଳତିଆ, ସହଯୋଗୀ ତ୍ରିନାଥ ମଳିକ, ସ୍ନିଗ୍ଧା ଦାଶ, ଜ୍ୟୋତିରଂଜନ ପ୍ରଧାନ ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲେ ।

ସଭାପତି ପଦରେ ଲଢୁଥିବା ଲକ୍ଷ୍ମୀକାନ୍ତ ମହାପାତ୍ର ୧୪୪ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରତିଦ୍ବନ୍ଦୀ ସହସ୍ରାଂଶୁ ରାଉତ ୭୨ ଖଣ୍ଡ ଭୋଟ ପାଇଥିଲେ । ଉପସଭାପତି ପଦରେ ଲଢୁଥିବା ସନ୍ତୋଷ କୁମାର ବେହେରା ୧୮୭ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରତିଦ୍ବନ୍ଦୀ ନିଶାକର ପାତ୍ର ୩୨ ଖଣ୍ଡ ଭୋଟ ପାଇଥିଲେ। କୋଷାଧ୍ୟକ୍ଷ ପଦରେ ଲଢୁଥିବା ସଂଗ୍ରାମ କେଶରୀ ମିଶ୍ର ୧୨୧ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରତିଦ୍ବନ୍ଦୀ ହିମାଂଶୁ ମହାରଣା ୯୮ ଖଣ୍ଡ ଭୋଟ ପାଇଥିଲେ । ନିର୍ବାଚିତ ଘୋଷିତ ହେବା ପରେ ବିଜୟୀ ପ୍ରାର୍ଥୀ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ଥିଲେ । ବିଧାୟକ ବିଜୟୀ ପ୍ରାର୍ଥୀ ମାନଙ୍କୁ ମିଠା ଖୁଆଇ ଶୁଭେଚ୍ଛା ବ୍ୟକ୍ତ କରିଥିଲେ ଏବଂ ଓକିଲ ସଂଘର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଜାରି ରହିବ ବୋଲି କହିଥିଲେ । ସମସ୍ତ ଓକିଲ ବନ୍ଧୁ ମିଳିମିଶି ନିରପେକ୍ଷ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *