
ବେଲଗୁଣ୍ଠା (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ) : ଦୀର୍ଘ ଗୋଟିଏ ବର୍ଷର ଅନ୍ତରରେ ବାପ ଘର ବେଲଗୁଣ୍ଠା କୋଳିସାହିକୁ ଆସିବେ ବେଲଗୁଣ୍ଠାର ଆରାଧ୍ୟ ଗ୍ରାମ୍ୟ ଦେବୀ ମା ବ୍ରାହ୍ମଣ ଦେବୀ । ଏଥିନେଇ ପୂର୍ବରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବୁଧୁବାର ଦିନ କୋଳିସାହି ସାହି କମିଟି ତରଫରୁ ମାଙ୍କ ଆଗମନ ପୂର୍ବରୁ ଶୁଭଖୁଣ୍ଟି ବା ଶୁଭ ସ୍ତମ୍ବ ସ୍ଥାପନ କରାଯାଇଛି ।ବୁଧୁବାର ଦିନ ପୂର୍ବାହ୍ନରେ ଏକ ନିରାଡମ୍ବର ଶୋଭାଯାତ୍ରାରେ ରୋଷଣୀ ,ବାଜା ବାଜଣା ସହିତ କୋଳି ସାହି ବାସିନ୍ଦା ଏବଂ ଗ୍ରାମବାସୀ କୋଳି ସାହିରୁ ବାହାରି ମାଁ ଙ୍କ ପୀଠରେ ପହଞ୍ଚି ଶୁଭ ଖୁଣ୍ଟି ଚୟନ ପରେ ପୂଜାର୍ଚ୍ଚନା କରାଯାଇ ଛେଦନ ପରେ ବାଜା ବାଜଣା ଓ ଶଙ୍ଖ ଧ୍ୱନିର ଏକ ଆଧ୍ୟାତ୍ମିକ ପରିବେଶରେ ମାଁଙ୍କ ପୀଠରୁ କୋଳି ସାହି ମାଙ୍କ ସମ୍ଭାବ୍ୟ ଅସ୍ଥାୟୀ ପୀଠକୁ ଅଣାଯାଇଥିଲା । ଅସ୍ଥାୟୀ ପୀଠ ନିକଟରେ ଅପରାହ୍ନ ପ୍ରାୟ ୫ଘଣ୍ଟ ସମୟରେ ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । କରୋନା କଟକଣା ଯୋଗୁଁ ୨୦୨୧ ମସିହାରେ ମା ବ୍ରାହ୍ମଣ ଦେବୀ ନିଜ ବାପ ଘରକୁ ଆସି ପାରି ନ ଥିଲେ ଏବଂ ଆପତତଃ ମାଙ୍କ ଯାତ୍ରା ବନ୍ଦ ରହିଥିଲା । ପରବର୍ଷ ୨୦୨୩ରେ ମାଙ୍କ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷର ମାଙ୍କ ଆଗମନକୁ ନେଇ କୋଳିସାହି ବାସିନ୍ଦା ଓ ସହରବାସୀଙ୍କ ମଧ୍ୟରେ ଅଦମ୍ୟ ଉତ୍ସାହ ଓ ଉତ୍କଣ୍ଠା ବେଶ ରହିଥିବା ବୁଧୁବାର ଦିନ ଅନୁଷ୍ଠିତ ଶୁଭ ଖୁଣ୍ଟି ସ୍ଥାପନ ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା ।
ପରମ୍ପରା ଅନୁଯାୟୀ ପ୍ରତି ଗୋଟିଏ ବର୍ଷ ଅନ୍ତରରେ ମା ବ୍ରାହ୍ମଣ ଦେବୀ ଗ୍ରାମ ବାସୀଙ୍କ ଶୁଭ ମନାସି ନିଜ ବାପ ଘର କୋଳିସାହି ଦେଶୀ ବେହେରାଙ୍କ ଘରକୁ ବୁଲିବାକୁ ଆସିଥାନ୍ତି ଏବଂ ଗ୍ରାମବାସୀ ମାଙ୍କ ଅସ୍ଥାୟୀ ପୀଠରେ ମାଙ୍କୁ ପୂଜାର୍ଚ୍ଚନା ସହିତ ବୈଠକ ଯାତ୍ରା ସମ୍ପନ୍ନ କରିଥାନ୍ତି । ମା ସିଂହବାହିନୀ ବେଶରେ ନିର୍ଦ୍ଧାରିତ ଦିନରେ ନଗର ପରିକ୍ରମା କରିବା ପରମ୍ପରା ମଧ୍ୟ ରହିଛି । ଶୁଭ ଖୁଣ୍ଟି ଶୋଭାଯାତ୍ରାରେ ପଣ୍ଡିତ ଶ୍ୟାମ ସୁନ୍ଦର ପଣ୍ଡା ,ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ,ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, କାଉନସିଲର ଦିଲ୍ଲୀପ କୁମାର ଆଚାରୀ, ଏସ.ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାଶ, ପ୍ରଦୀପ କୁମାର ସେଠୀ, ଗୋଷ୍ଠୀ ସଙ୍ଗଠକ ନିଳାଞ୍ଚଳ ମହାପାତ୍ର ଓରଫ ମଲ୍ଲୀ ମହାପାତ୍ର, ପୂର୍ବତନ କାଉନସିଲର ଜିତେନ୍ଦ୍ର କୁମାର ସୁବୁଦ୍ଧି,ରଜନୀ ମହାପାତ୍ର, ଗୋଷ୍ଠୀ ସଙ୍ଗଠକ ଏଲ.ସଞ୍ଜୀବ ରେଡ୍ଡୀ, ଯୁବ ନେତା ସୁନୀଲ କୁମାର ପାଣିଗ୍ରାହୀ ,ଅଶୋକ ପାତ୍ର, ଶ୍ରୀନିବାସ ଷଢଙ୍ଗୀ,କୋଳିସାହି କମିଟି ସଭାପତି ଲୋକନାଥ ପାତ୍ର,ସମ୍ପାଦକ ବିଭୂତି ଭୂଷଣ ପାତ୍ର, ଉପସଭାପତି ରାଧାକୃଷ୍ଣ ସ୍ୱାଇଁ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ର,ଉପଦେଷ୍ଟା ବିଜୟ କୁମାର ସାମଲ, ମଦନ ମୋହନ ମାହୁନ୍ତ ଏବଂ ବହୁ ପୂର୍ବତନ କାଉନସିଲର,ବହୁ ସଙ୍ଗଠକ ଓ କୋଳି ସାହି କମିଟିର ସମସ୍ତ ସଭ୍ୟ ସାହି ବାସିନ୍ଦା ଓ ଗ୍ରାମବାସୀ ସାମିଲ ହୋଇଥିଲେ । ଚଳିତ ବର୍ଷ ଆସନ୍ତା ଏପ୍ରିଲ ୩୦ ତାରିଖ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମା ନିଜ ବାପ ଘର କୋଳିସାହିକୁ ଆସିବାର କାର୍ଯ୍ୟକ୍ରମ ରହିଥିବା କୋଳି ସାହି କମିଟି ତରଫରୁ ସୂଚନା ଦିଆଯାଇଛି ।