୨ରୁ ୩ ମାସ ଭିତରେ ସରିବ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର: ଚଳିତ ମାସ ୧୧ ତାରିଖରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ସ୍ୱାସ୍ଥ୍ୟ କାର୍ଡ ଲୋକାର୍ପିତ ହେବ। କଟକର ବାଲିଯାତ୍ରା ପଡ଼ିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ରାଜ୍ୟର ସମସ୍ତ ୧୪୦୫ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜ୍ୟର ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଆୟୁଷ୍ମାନ ‘ବୟୋବନ୍ଦନା’ ଯୋଜନାରେ ସାମିଲ କରାଯିବ। ଏହି ଲୋକଙ୍କ ସଂଖ୍ୟା ୨୩ ଲକ୍ଷ ୧୨ହଜାର ୯୭୯ ରହିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୭ ଲକ୍ଷ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ଥିବାରୁ ଅଧିକ ୬ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଯୋଡ଼ି ହେବେ। ନୂତନ ଏକକ କାର୍ଡ ପାଇବା ପର୍ଯ୍ୟନ୍ତ ହିତାଧିକାରୀମାନେ ତାଲିକାଭୁକ୍ତ ହସ୍ପିଟାଲମାନଙ୍କରେ ନିଜର ଆଧାର କାର୍ଡ କିମ୍ବା ବର୍ତ୍ତମାନ ପାଖରେ ଥିବା ସ୍ୱାସ୍ଥ୍ୟ କାର୍ଡ ନମ୍ବର ଦେଇ ଚିକିତ୍ସା ପାଇପାରିବେ। ସାଧାରଣ ଜନସେବା କେନ୍ଦ୍ରଗୁଡ଼ିକ ସମ୍ପୃକ୍ତ ଅଞ୍ଚଳର ଆଶାକର୍ମୀ-ବହୁମୁଖୀ ଜନସ୍ୱାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ହିତାଧିକାରୀମାନଙ୍କୁ କାର୍ଡ ବାଣ୍ଟିବେ। ଆସନ୍ତା ୨ରୁ ୩ମାସ ଭିତରେ ୩.୫ କୋଟି ନୂତନ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟ ଶେଷ କରାଯିବ ।

୨୦୧୮ରେ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ ହୋଇଥିବା ବେଳେ ଓଡ଼ିଶା ସାମିଲ ନ ହେବା କାରଣରୁ ରାଜ୍ୟ ପ୍ରାୟ ୩ହଜାର କୋଟି ଟଙ୍କା କେନ୍ଦ୍ର ଅନୁଦାନ ପାଇବାରୁ ବଞ୍ଚିତ ହୋଇଛି। ଏବେ ଦେଶର ୨୯ହଜାର ତାଲିକାଭୁକ୍ତ ଅଗ୍ରଣୀ ଘରୋଇ ଓ ସରକାରୀ ଚିକିତ୍ସାଳୟରେ ଲୋକମାନେ ଦେୟମୁକ୍ତ ଚିକିତ୍ସା ସେବା ପାଇପାରିବେ। କୌଣସି ପରିବାରର ସଦସ୍ୟ ଅନ୍ୟ ସଦସ୍ୟଙ୍କ କାର୍ଡ ଉପଯୁକ୍ତ ଡକ୍ୟୁମେଣ୍ଟ ଦାଖଲ କରି ନେଇପାରିବେ। ତା’ ସହ କାର୍ଡରେ ଯଦି କିଛି ଅନିଚ୍ଛାକୃତ ତ୍ରୁଟି ଥାଏ, ତାହେଲେ ସମ୍ପୃକ୍ତ ହିତାଧିକାରୀଙ୍କୁ ଅଳ୍ପ ଦିନ ମଧ୍ୟରେ ନିର୍ଭୁଲ କାର୍ଡ ପ୍ରଦାନ କରାଯିବ। ପ୍ରତିଦିନ କେତେ ଜଣ ହିତାଧିକାରୀ କାର୍ଡ ଗ୍ରହଣ କଲେ ତା’ର ସମ୍ପୂର୍ଣ୍ଣ ଡାଟାବେସ୍‌ ରହିବ। ହିତାଧିକାରୀଙ୍କ ପାଇଁ ଇ-କେୱାଇସି ସହ କାର୍ଡ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ। ପଶ୍ଚିମବଙ୍ଗରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇ ନ ଥିବାରୁ ସେଠାର କିଛି ଅଗ୍ରଣୀ ହସ୍ପିଟାଲ ସହ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। ପଶ୍ଚିମବଙ୍ଗରେ ରହୁଥିବା ଓଡ଼ିଆ କିପରି ଏହି ସଂଯୁକ୍ତ ଯୋଜନାର ସୁଫଳ ପାଇପାରିବେ ସେ ସମ୍ପର୍କରେ ସରକାର ମାନସ ମନ୍ଥନ କରୁଛନ୍ତି। ସଚେତନତା ପାଇଁ ମାର୍ଚ୍ଚ ୧୧ ରୁ ଏକ ସପ୍ତାହ ବ୍ୟାପୀ ଗାଁକୁ ଗାଁ ‘ସ୍ୱାସ୍ଥ୍ୟ ଚେତନା ରଥ’ ପରିଭ୍ରମଣ କରିବ। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଇରାଶିଷ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *