
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ ) : ପବିତ୍ର ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବବର୍ଷ। ଓଡ଼ିଶା ସଂସ୍କୃତିର ଆଦିପର୍ବ। ବର୍ଷର ପ୍ରଥମ ସଂକ୍ରାନ୍ତି। ଏହି ଦିନଟି ପ୍ରତ୍ୟେକ ଓଡ଼ିଆଙ୍କ ସ୍ଵାଭିମାନ, ସଂସ୍କୃତି,ପରମ୍ପରା ଓ ଅସ୍ମିତାର ପ୍ରତୀକ। ଘରେ ଘରେ ସମସ୍ତଙ୍କ ମନରେ ଆଣିଥାଏ ଉତ୍ପାତ, ଉଦ୍ଦୀପନା। ମନ୍ଦିରରେ ସ୍ବତନ୍ତ୍ର ପୂଜାପାଠ ସାଙ୍ଗକୁ ପଣା ଭୋଗରେ ମହକି ଉଠେ ଚର୍ତୁଦିଗ। ଏଥିପାଇଁ ସୋମବାର ମହା ବିଷୁବ(ପଣା) ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ଭଞ୍ଜନଗର ସହର ଉତ୍ସବ ମୁଖର ହୋଇ ଉଠିଛି।ସହରର ବିଭିନ୍ନ ସ୍ଥାନରେ ଥିବା ମନ୍ଦିର ରେ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସକାଳୁ ସକାଳୁ ଲଣ୍ଡେଇସାହି ସ୍ଥିତ ଶ୍ରୀରାମ ମନ୍ଦିର,ରଘୁନାଥ ମନ୍ଦିର ଓ ପୁରୁଣା ଜେଲ୍ ନିକଟ ହନୁମାନ ମନ୍ଦିର ରେ ଭକ୍ତ ଙ୍କ ଭିଡ ଦେଖିବାକୁ ମିଳିଥିବା ବେଳେ ଭଞ୍ଜନଗର ଥାନା ପକ୍ଷରୁ ଥାନା ଛକରେ ଛେନା ପଣା ସହ ଲଡ଼ୁ ବଣ୍ଟନ କରାଯାଇଛି। ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଣା ବଣ୍ଟନ ଉଦଘାଟନ କରିଥିଲେ। ଏହା ସହ ନିଜେ ଏସଡିପିଓ ଶ୍ରୀ ନାୟକ ବାଟୋଇଙ୍କୁ ପଣା ଓ ଲଡୁ ବାଣ୍ଟିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଥାନାଧିକାରୀ ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠି, ଲକ୍ଷ୍ମୀଧର ମାହାନ୍ତି, ଲିପିନା ବିଶ୍ୱାଳ, ଏଏସଆଇ ସୁଶାନ୍ତ ପଟ୍ଟନାୟକ,କେ.ପ୍ରଶାନ୍ତ ରେଡି ପ୍ରମୁଖ ଙ୍କ ସମେତ ଥାନା କର୍ମଚାରୀ ଉପସ୍ଥିତ ରହି ପଣା ବଣ୍ଟନରେ ସହଯୋଗ କରିଥିଲେ।ସେହିପରି ସହରର ରୋଟାରୀ କ୍ଲବ,ହନୁମାନ ସଂଘଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପଣା ଓ ପ୍ରସାଦ ବଣ୍ଟନ କରାଯାଇଥିଲା ।