ଭଞ୍ଜନଗର : ସକାଳୁଆ ଅଫିସ ନିର୍ଦେଶକୁ ଅବମାନନା : ୧୦ଟାରେ ଖୋଲୁଛି ଆରଦବ୍ଲୁଏସଏସ, ଆରଡ଼ି ଅଫିସ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧିକୁ ଦେଖି ସରକାର ବୁଧବାର (ଆଜି ଠାରୁ) ବିଦ୍ୟାଳୟ ଓ କଲେଜ ଗୁଡିକ ବନ୍ଦ ଘୋଷଣା କରିଛନ୍ତି। ଯେଉଁଠି ପରୀକ୍ଷା ଚାଲିଛି ତାହା ସ୍ବାଭାବିକ ଭାବେ ଚାଲିବ। କିନ୍ତୁ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଜିଲା ସଦର ମହକୁମା ଏବଂ ରାଜଧାନୀକୁ ଛାଡି ଦେଲେ ଅନ୍ୟ ସବୁଆଡେ ସକାଳ ୭ଟାରେ କାର୍ଯ୍ୟାଳୟ ଖୋଲିବା ପାଇଁ ଗତ ୧୦ରୁ ନିର୍ଦ୍ଦେଶନାମା ଜାରି ହୋଇଛି।କିନ୍ତୁ ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷକ ଯନ୍ତ୍ରୀ କାର୍ଯ୍ୟାଳୟ ଏବଂ ଉକ୍ତ କାର୍ଯ୍ୟାଳୟଠାରୁ କିଛି ଦୂରରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷକ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ୧୦ଟା ପରେ ହିଁ ଖୋଲୁଥିବା ଜଣାପଡିଛି। ତାହା ମଧ୍ୟ ଠିକ ଭାବେ ଖୋଲୁ ନ ଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ଭଞ୍ଜନଗର ଉପଖଣ୍ଡର ଚାରିଆଡ଼େ ପିଇବା ପାଣି ସମସ୍ୟା। ଲୋକେ ପାଣି ସମସ୍ୟା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ସକାଳୁ ଆସିବା ସମୟରେ କାର୍ଯ୍ୟାଳୟ ଖୋଲା ହେଉ ନ ଥିବା ଯୋଗୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦୂର ଦୂର ଗ୍ରାମରୁ ଲୋକେ ଆସି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ କିଛି ବ୍ୟକ୍ତି ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ ସେମାନଙ୍କର ସମସ୍ୟା ଜଣାଇବା ପାଇଁ । ଏହି ସମୟରେ ଅଧିକାଂଶ ରୁମରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ଆଉ ଏକ ରୁମରେ କିଛି କର୍ମଚାରୀ ବସି କାମ କରୁଥିଲେ। ଏନେଇ ସେଠାରେ ଉପସ୍ଥିତ ଥିବା ଦୁଇଜଣ ପିଅନଙ୍କୁ କାର୍ଯ୍ୟାଳୟ ବିଳମ୍ବରେ ଖୋଲିବା ନେଇ ପଚାରିବାରୁ ଆମର ୧୦ଟାରେ ହିଁ କାର୍ଯ୍ୟାଳୟ ଖୋଲାଯାଉଛି ବୋଲି କହିଥିଲେ। ଏହାପରେ ଅଧିକ୍ଷକ ଯନ୍ତ୍ରୀଙ୍କୁ ଭେଟି ମତାମତ ନେବାକୁ ଚାହିଁଥିଲେ ।

କିନ୍ତୁ ତାଙ୍କ ରୁମ ମଧ୍ୟ ବନ୍ଦ ଥିଲା। ଏନେଇ ଦାୟିତ୍ୱରେ ଥିବା ପିଅନ ଜଣକ କହିଥିଲେ ସାର୍‌ ମିଟିଂ ଯାଇଛନ୍ତି। ସେଠାରୁ ପୁଣି ଉକ୍ତ ଲୋକ ଗ୍ରାମ୍ୟ ଉନ୍ନୟନ ଅଧିକ୍ଷକ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରାସ୍ତା ସମସ୍ୟା ଜଣାଇବାକୁ ଯାଇଥିଲେ। କିନ୍ତୁ ଦେଖିବା ବେଳକୁ କାର୍ଯ୍ୟାଳୟ ଖୋଲା ଅଛି। ଫ୍ୟାନ ଓ ଲାଇଟ ଜଳୁଛି। କିନ୍ତୁ ଅଫିସର୍‌, କିରାଣୀ ସହ କାହାର ମଧ୍ୟ ଦେଖା ନ ଥିଲେ। ଏତେ ବିଳମ୍ବ ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ କର୍ମଚାରୀମାନେ ଆସୁ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଏନେଇ ଆମ ପ୍ରତିନିଧି ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀଙ୍କ ମତାମତ ନେବାପାଇଁ ତାଙ୍କ ସରକାରୀ ମୋବାଇଲ ଫୋନ ନମ୍ବରରେ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଫୋନ ବନ୍ଦ ଥିବା ଯୋଗୁ ତାଙ୍କର ମତାମତ ନିଆଯାଇ ପାରିନାହିଁ। ସେହିପରି ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ସରକାରୀ ମୋବାଇଲ ଫୋନ ନମ୍ବର ମତାମତ ନେବା ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ତାହା ସମ୍ଭବପର ହୋଇପାରି ନ ଥିଲା। ସାଧାରଣ ଜନତାଙ୍କଠାରୁ ଉକ୍ତ ବିଭାଗ ଗୁଡ଼ିକ ଦୂରେଇ ଯାଉଥିବା ଅଭିଯୋଗ ହେଉଛି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *