
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ବୁଧବାର ଭଞ୍ଜନଗର ରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଗ୍ରୀଷ୍ମ ପ୍ରବାହ କାରଣରୁ ଜଣେ ଅଚିହ୍ନା ବ୍ୟକ୍ତି ଟଳି ପଡ଼ିଛନ୍ତି। ଅଂଶୁଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଛି।ବୁଧବାର ଅପରାହ୍ନ ୩ ଟା ବେଳେ ସହରର ମରାଟି ସାହି ଛକ ରେ ଜଣେ ଅଜଣା ବ୍ୟକ୍ତିଙ୍କ ସମେତ ମୋଟ ୨ ଜଣ ବେହୋସ ହୋଇ ପଡିଥିବା ନେଇ ପୁଲିସ ସୂଚନା ପାଇବା ପରେ ଖୋଦ୍ ଥାନା ଅଧିକାରୀ ଜୀବନାନନ୍ଦ ଜେନା ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ଜଣକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣକୁ ଆଶୁ ଚିକିତ୍ସା କରାଯାଇଥିଲା। ଫଳରେ ଜଣକ ଜୀବନ ବଞ୍ଚି ଯାଇଥିଲା। ମିଳିଥିବା ସୁଚନା ପ୍ରକାରେ ବୁଧବାର ସହରରେ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଗରମ ଯୋଗୁଁ ଅପରାହ୍ନ ୩ ଟା ବେଳେ ମରାଟି ସାହି ଛକ ରେ ୨ ଜଣ ଅଚେତ ହୋଇ ପଡ଼ିଥିଲେ। ପୁଲିସ ଉଭୟଙ୍କୁ ଉଦ୍ଧାର କରିବା ପରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଗାଙ୍ଗପୁର ଗ୍ରାମର ଦାଶରଥି ନାୟକ ନାମକ ଜଣେ ଯୁବକ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ବେଳେ ଅନ୍ୟ ଜଣେ ଅଚିହ୍ନା ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି। ଏଯାଏଁ ମୃତକଙ୍କ ପରିଚୟ ମିଳି ପାରିନଥିବାବେଳେ ବେଳେ ଶବ ବ୍ୟବଚ୍ଛେଦ ଗୃହ ରେ ଶବକୁ ରଖାଯାଇଛି। ଗୁରୁବାର ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ପକ୍ଷେ ବକ୍ତି ଜଣକ ଅଂଶୁଘାତରେ ମୃତ୍ୟୁ ବରଣ କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ଜଣାପଡିବ ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।