
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ସବୁଜ ରଙ୍ଗରୁ ଗେରୁଆ ରଙ୍ଗ ହେବାକୁ ଯାଉଛି ରାସନ କାର୍ଡ। ଏହି ନୂଆ ରାସନ୍ କାର୍ଡ ଭଞ୍ଜନଗର ଉପଖଣ୍ଡର ୩୧ ହଜାର ୬୬୯ ଜଣ ହିତାଧିକାରୀ ପାଇବାକୁ ଯାଉଛନ୍ତି। ନୂଆ କାର୍ଡ ପାଇବାକୁ ଉପଖଣ୍ଡର ୮ଟି ବ୍ଲକ ଓ ୫ ଟି ଏନସିସିରୁ ୨୩,୫୪୧ ପରିବାରର ୫୨ ହଜାରରୁ ଅଧିକ ହିତାଧିକାରୀ ଉଭୟ ଅନଲାଇନ ଓ ଅଫଲାଇନ ରେ ଦରଖାସ୍ତ କରିଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୧,୬୬୯ ହିତାଧିକାରୀଙ୍କୁ ନୂଆ କାର୍ଡ ଦିଆଯିବ। ଅପ୍ରେଲ ୨୪ ତାରିଖ ପଞ୍ଚାୟତିରାଜ ଦିବସ ରୁ ନୂଆ ଖାଉଟିଙ୍କୁ ନୂଆ ରାସନ କାର୍ଡ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଉପଖଣ୍ଡର ସମସ୍ତ ଯୋଗାଣ ନୀରିକ୍ଷକଙ୍କୁ ପ୍ରତି ପଞ୍ଚାୟତ ଓ ଏନଏସି ଓ୍ବାରି ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଉପଖଣ୍ଡରେ ଯେଉଁ ଅଢେଇ ଲକ୍ଷରୁ ଉର୍ଦ୍ଧ୍ବ ସବୁଜ ରଙ୍ଗର କାର୍ଡ ରହିଛି ତାହାକୁ ଆସନ୍ତା ଦିନରେ ଗେରୁଆ ରଙ୍ଗ କରାଯିବ ବୋଲି ଜଣାପଡିଛି ।
ମିଳିଥିବା ତଥ୍ୟ ଅନୁସାରେ, ଭଞ୍ଜନଗର ଉପଖଣ୍ଡରେ ମୋଟ ୨ ଲକ୍ଷ ୫୭ ହଜାର ୮୮୨ ପରିବାରର ୮ ଲକ୍ଷ ୬୫ ହଜାର ୪୫ ସଦସ୍ୟ ରାସନ କାର୍ଡ ହିତାଧିକାରୀ ଭାବେ ନିୟମିତ ରାସନ୍ ସାମଗ୍ରୀ ପାଉଛନ୍ତି। ହେଲେ ପ୍ରାୟ ୫ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ରାସନକାର୍ଡ ପଞ୍ଜିକରଣ ବନ୍ଦ ରହିଥିବାରୁ ନୂତନ ତାଲିକା ପ୍ରସ୍ତୁତ ହୋଇ ପାରୁନଥିଲା। ଫଳରେ ଉପଖଣ୍ଡର ବହୁ ଗରିବ, ନିରୀହ, ଖଟିଖିଆ, ଦିନ ମଜୁରିଆ ଏହି ତାଲିକାରୁ ବାଦ୍ ପଡିଥିଲେ । ଏମାନେ ରାସନ କାର୍ଡଟିଏ ପାଇବା ପାଇଁ ବର୍ଷ ବର୍ଷ ଧରି ଆବେଦନ କରି ଅନାଇ ବସିଥିଲେ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ରାସନ କାର୍ଡରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି । ଜଣେ ବି ଯୋଗ୍ୟ ଲୋକ ଏଥିରୁ ଯେପରି ବଞ୍ଚିତ ନହୁଏ ସେଦିଗରେ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅଦ୍ୟାବଧି ନୁତନ ଭାବେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା ନେଇ ଉପଖଣ୍ଡର ଆସିକା ବ୍ଲକର ୩୬୫୦ ଓ ଏନଏସିର ୯୩୧ ,ବେଲଗୁଣ୍ଠା ବ୍ଲକର ୨୫୬୪ ଓ ଏନଏସିର ୨୮୧ ,ଭଞ୍ଜନଗର ବ୍ଲକର ୨୦୨୪ ଓ ଏନଏସିର ୪୩୦ ,ବୁଗୁଡା ବ୍ଲକର ୩୩୦୦ ଓ ଏନଏସିର ୨୯୦,ସୋରଡା ବ୍ଲକର ୧୮୪୪ ଓ ଏନଏସିର ୩୨୪, ଧରାକୋଟର ୨୩୦୮,ଜଗନ୍ନାଥପ୍ରସାଦର ୨୬୯୮ ଏବଂ ଶେରଗଡ ବ୍ଲକରୁ ୨୮୯୭ ପରିବାର ଆବେଦନ କରିଛନ୍ତି। ଯେଉଁଥିରେ ୫୨ ହଜାରରୁ ଅଧିକ ଆଶାୟୀ ହିତାଧିକାରୀ ରହିଛନ୍ତି। ଯାଞ୍ଚ ପରେ ପ୍ରଥମ ପର୍ଯ୍ୟାୟ ରେ ଉପଖଣ୍ଡ ର ୩୧, ୬୬୯ ଜଣଙ୍କୁ ରାସନ କାର୍ଡ ପ୍ରଦାନ କରାଯିବ ବୋଲି ଜଣାପଡିଛି ।