ରାସନ କାର୍ଡରୁ କଟିବ ବିଦେଶୀଙ୍କ ନାଁ: ପୂର୍ବରୁ ବାଂଲାଦେଶୀଙ୍କ ରାସନ କାର୍ଡ କାଟିବା ନିଷ୍ପତ୍ତି ବିଫଳ ହୋଇଥିଲା

ଭୁବନେଶ୍ବର: ନାଗରିକତା ନ ଥିବା ସତ୍ତ୍ବେ ଓଡ଼ିଶାରେ ପାକିସ୍ତାନୀ, ବାଂଲାଦେଶୀ ଓ ରୋହିଙ୍ଗ୍ୟା ରାସନ କାର୍ଡ ହାତେଇଛନ୍ତି। ବର୍ଷ ବର୍ଷ ଧରି ସେମାନେ ସରକାରଙ୍କ ସବୁ ସୁବିଧା ସୁଯୋଗ ନେଉଛନ୍ତି। ତେବେ ବିଦେଶୀମାନେ ରାସନ କାର୍ଡ ହାତେଇଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ସେମାନଙ୍କୁ ଚିହ୍ନଟ କରି ରାସନ କାର୍ଡରୁ ସେମାନଙ୍କ ନାଁ ବାଦ୍ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ଶ୍ରୀ ପାତ୍ର କହିଛନ୍ତି ଯେ ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର ସମେତ ଯେଉଁ ସ୍ଥାନରେ ବିଦେଶୀ ରହିଛନ୍ତି ସେମାନଙ୍କୁ ଚିହ୍ନଟ କରି ରାସନ କାର୍ଡ କଟାଯିବ। ରାଜନୈତିକ ଚାପ କିମ୍ବା ଅନ୍ୟ ଉପାୟରେ ସେମାନେ ରାସନ କାର୍ଡ ହାତେଇଛନ୍ତି। ଏହି ବିଦେଶୀମାନଙ୍କୁ ଚିହ୍ନଟ କରି ସେମାନଙ୍କ କାର୍ଡ କାଟିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚିହ୍ନଟ ପ୍ରକ୍ରିୟା ସରିଲେ ସେମା‌ନଙ୍କ ପ୍ରକୃତ ସଂଖ୍ୟା କେତେ ତାହା ସ୍ପଷ୍ଟ ହେବ। ଏବେ ରାଜ୍ୟରେ ୬ଲକ୍ଷ ‌ନୂଆ ରାସନ କାର୍ଡ ବଣ୍ଟା ଯାଉଛି ।

କାର୍ଡ ବାଣ୍ଟିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ଟି ବୃହତ କାର୍ଯ୍ୟକ୍ରମ କରାଯିବ। ୬ଲକ୍ଷ ୭୨ହଜାର ୨୩୮ଜଣ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ଧୀରେ ଧୀରେ ସେମାନଙ୍କୁ କାର୍ଡ ଦିଆଯିବ। ପାକିସ୍ତାନୀ, ବାଂଲାଦେଶୀ ଓ ରୋହିଙ୍ଗ୍ୟା ହାତେଇଛନ୍ତି ରାସନ କାର୍ଡ: ମନ୍ତ୍ରୀପୂର୍ବରୁ ବାଂଲାଦେଶୀଙ୍କ ରାସନ କାର୍ଡ କାଟିବା ନିଷ୍ପତ୍ତି ବିଫଳ ହୋଇଥିଲାଉଲ୍ଲେଖ ଯେ ରାଜ୍ୟରେ ଥିବା ବହୁ ବାଂଲାଦେଶୀ ନାଗରିକ ତଞ୍ଚକତା କରି ରାସନ କାର୍ଡ ହାତେଇଛନ୍ତି। ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ସେମାନଙ୍କ ସଂଖ୍ୟା ହେଉଛି ୧ଲକ୍ଷ ୫୭ହଜାର ୪୩୨। ମାଲକାନଗିରିରେ ସର୍ବାଧିକ ୧ଲକ୍ଷ ୪ହଜାର, ନବରଙ୍ଗପୁରରେ ୪୬ହଜାର ୮୪୮, କୋରାପୁଟରେ ୪୬୫୩ ବାଂଲାଦେଶୀ ରହୁଛନ୍ତି। ସେମାନଙ୍କ କାର୍ଡ କାଟିବା ଲାଗି ୫ମାସ ତଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାର ସେମାନେ ବିଦେଶୀ ବୋଲି ପ୍ରମାଣ କରିପାରିଲେ ନାହିଁ। ଏପରିକି ଇ-କେୱାଇସି ପ୍ରକ୍ରିୟାରେ ମଧ୍ୟ ଚିହ୍ନଟ ହୋଇପାରିଲେ ନାହିଁ। ବହୁ ସ୍ଥାନରେ ବାଂଲାଦେଶୀ କୁହାଯାଉଥିବା ଲୋକଙ୍କ ନିକଟରେ ବହୁବର୍ଷର ପୁରୁଣା ଜମି ରେକର୍ଡ ରହିଥିବା ନଜରକୁ ଆସୁଛି। ତେଣୁ ସେମାନଙ୍କ କାର୍ଡ କିଭଳି କଟାଯିବ ତାହା ମଧ୍ୟ ସ୍ପଷ୍ଟ ହୋଇପାରୁନି। ଏଭଳି ପରିସ୍ଥିତିରେ ବିଦେଶୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ରାସନ କାର୍ଡ କିଭଳି କଟାଯିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *