
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ (ପ୍ଲାନିଂ ଆଣ୍ଡ ଡ଼ିଜାଇନ୍) ଇଂ. ଲିଙ୍ଗରାଜ ଗୌଡ଼ ଦୁଇଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସି ବିଭିନ୍ନ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହ ପ୍ରସ୍ତାବିତ ଅନେକ ନୂଆ ପ୍ରକଳ୍ପକୁ ସେ ବୁଲି ଦେଖିଛନ୍ତି। ପରେ ମଙ୍ଗଳବାର ସନ୍ଧ୍ୟାରେ ସେ ଭୁବନେଶ୍ୱର ଫେରିଯାଇଛନ୍ତି। ଏହି ସମୟରେ ସର୍ବୋଚ୍ଚ ଯନ୍ତ୍ରୀ ଗୌଡ଼ ଧରିତ୍ରୀ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ, ରାଜ୍ୟରେ ଜଳସଚେନ ସୁବିଧା ପାଇଁ ଅନେକ ନୂଆନୂଆ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଚଳିତ ବର୍ଷ ୩ହଜାର ନୂଆ ଚେକ୍ ଡ୍ୟାମ୍ କରିବା ଯୋଜନା ରହିଛି। ଏଥିପାଇଁ ସ୍ଥାନ ଚିହ୍ନଟ ଚାଲିଛି। ଆବଶ୍ୟକ ପଡ଼ିଲେ ଏହାଠାରୁ ଆହୁରି ଅଧିକ ପ୍ରକଳ୍ପ ହେବ। ଏଥିସହ ସୋରଡ଼ା ନିକଟସ୍ଥ ପିପଳପଙ୍କା ଭଳି କିଛି ବଡ଼ ଜଳସେଚନ ପ୍ରକଳ୍ପ ରାଜ୍ୟରେ କରିବା ପାଇଁ ପଦକ୍ଷେପ ନିଆଯାଉଛି। ସରକାର କୃଷକମାନଙ୍କ ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି। ରାଜ୍ୟରେ ୬୧ ଲକ୍ଷ ୮୦ ହେକ୍ଟର ଚାଷ ଜମି ରହିଛଇ। ସେଥିରୁ ୫୧ଲକ୍ଷ ୩୪ ହେକ୍ଟର ଜମିକୁ ବିଭିନ୍ନ ମାଧ୍ୟମରେ ମାର୍ଚ୍ଚ ୨୦୨୫ ସୁଦ୍ଧା ଜଳସେଚନ ସୁବିଧା ରହିଛି। ବଳକା ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଉଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଗୌଡ଼ କହିଥିଲେ ।
ଏଥିସହ ହରିଗଡ଼ ବୃହତ ଉଠା ଜଳସଚେନ ପ୍ରକଳ୍ପ ମାଧ୍ୟମରେ ଜମିକୁ ପାଣି ଦେବା ବ୍ୟବସ୍ଥା ହୋଇଛି। ମାତ୍ର ପ୍ରକଳ୍ପରେ ପାଣି ନାହିଁ। ତେଣୁ ଉକ୍ତ ପ୍ରକଳ୍ପକୁ ପାଣି କିଭଳି ଆସିବ ସେଥିପାଇଁ ହରିଗଡ଼ଠାରେ ବ୍ୟବସ୍ଥା କରାଯିବ। ଏଥିସହ ତିଳିସିଙ୍ଗି, ଉଲିଦନଠାରେ ଆଉ ୨ଟି ନୁଆ ଚେକ୍ ଡ୍ୟାମ୍ ହେବା ନେଇ ସେ ସୂଚନା ଦେଇଥିଲେ।ସୂଚନାଯୋଗ୍ୟ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବଡ଼ନଦୀ ଉପରେ ୩ଟି ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହା ହେଲେ ଭଞ୍ଜନଗର ବ୍ଲକର ଅନେକ ଅଞ୍ଚଳକୁ ଜଳସେଚନ ସୁବିଧା ହୋଇପାରିବ। ଏଥିସହ ଜଗନ୍ନାଥପ୍ରସାଦ ବ୍ଲକର ମାଣିତରା, ବନ୍ଥ ସମେତ ବିଭିନ୍ନ ନଦୀରେ ଚେକ୍ ଡ୍ୟାମ୍ କରିବା ପାଇଁ ବିଧାୟକ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏଭଳି ସ୍ଥିତିରେ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଦୁଇ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସି ବିଭିନ୍ନ ଅଞ୍ଚଳର ଭିତିଭୂମି ବୁଲି ଦେଖିଥିଲେ ।