
ବୁଗୁଡ଼ା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗ୍ରୀଷ୍ମ ଛୁଟି ଯୋଗୁ କଲେଜ ଏବଂ ସ୍କୁଲଗୁଡ଼ିକ ବର୍ତ୍ତମାନ ବନ୍ଦ ଅଛି। ଅଧ୍ୟାପକ ଏବଂ ଶିକ୍ଷକମାନେ ରୋଷ୍ଟର ଡ୍ୟୁଟିରେ ଯାଇ ଅଫିସ କିମ୍ବା କମନ ରୁମ୍ରେ ବସୁଛନ୍ତି।ଶ୍ରେଣୀଗୁଡ଼ିକ ବନ୍ଦ ଯୋଗୁ କେଉଁଠି କ୍ଲାସ ରୁମ୍ ଉଇ ଧରିଲାଣି ତ ଆଉ କେଉଁଠି ସାପ ସମେତ ଅନ୍ୟାନ୍ୟ ସରୀସୃପ ରୁମ୍ ଭିତରେ ପଶୁଛନ୍ତି। ଏହିଭଳି ପରିସ୍ଥିତିରେ ଗୁରୁବାର ବିଶ୍ବ ରେଡକ୍ରସ୍ ଦିବସ ଥିବାରୁ ଭଞ୍ଜନଗର ଅଞ୍ଚଳର ଅନେକ କଲେଜର କେତେକ କ୍ଲାସ ରୁମ୍ ଆଜି ଖୋଲିଥିଲା। ଏହିଭଳି ବୁଗୁଡ଼ା ପିପୁଲ୍ସ କଲେଜ ମଧ୍ୟ ରେଡକ୍ରସ୍ ଦିବସ ପାଳନ ପାଇଁ ଖୋଲିଥିଲା। ଏହି ସମୟରେ ଏକ ବିଷଧର ନାଗ ସାପ ରାଜନୀତି ବିଜ୍ଞାନ ବିଭାଗ କ୍ଲାସ ରୁମ୍ ଭିତରେ ପଶିଯାଇଥିଲା। ସେଠାରେ ଉପସ୍ଥିତ ଥିବା ଛାତ୍ରୀଛାତ୍ର ଏହା ଦେଖି ଭୟଭୀତ ହୋଇ ଅଧ୍ୟକ୍ଷ ହରେକୃଷ୍ଠ ନାୟକଙ୍କୁ ଜଣାଇଥିଲେ। ଏହାପରେ ଅଧ୍ୟକ୍ଷ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁଙ୍କୁ ଜଣାଇଥିଲେ। ସାହୁ ଆସି କବାଟ ଖୋଲିବା ପରେ ସାପ ଧରାଳିଙ୍କ ହାତରେ ସାପକୁ ଧରାଯାଇଥିଲା। ଏହାପରେ ସାପକୁ ନେଇ ଜଙ୍ଗଲରେ ଛଡ଼ାଯାଇଛି ।