
ବେଲଗୁଣ୍ଠା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ବଡ଼ ଆଳୁ ଚୋରିକୁ ନେଇ ଗଣ୍ଡଗୋଳ ଏବଂ ମରଣାନ୍ତକ ଆକ୍ରମଣ । ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନ ଝାଡ଼ବନ୍ଧ ଗ୍ରାମରେ । ଝାଡ଼ବନ୍ଧ ଗ୍ରାମର ଦେବରାଜ ବେହେରାଙ୍କ ଅଭିଯୋଗ ପ୍ରକାରେ ଗ୍ରାମରେ ନାମଯଜ୍ଞ ଚାଲିଥିବା ବେଳେ ରୋଷେଇଶାଳାରେ ଥିବା ବଡ଼ ଆଳୁ ମଞ୍ଜି କେହି ଚୋରି କରି ନେଉଥିଲା । ଗ୍ରାମରେ କଳସ ଯାତ୍ରା ଚାଲିଥିବା ସମୟରେ ସେହି ଗ୍ରାମର ଦୁରୁଜ ପ୍ରଧାନଙ୍କ ଉପରେ ସନ୍ଦେହ କରି ପଚରାଉଚରା କରିଥିଲେ । ଏହି ସମୟରେ ଅଭିଯୁକ୍ତ ମାରଣାସ୍ତ୍ର ରେ ଆକ୍ରମଣ କରି ଅଭିଯୋଗକାରୀଙ୍କୁ ଲହୁଲୁହାଣ କରିଦେଇଥିଲେ ଏବଂ ଜୀବନରେ ମାରିବାକୁ ଧମକ ମଧ୍ୟ ଦେଇଥିଲେ । କ୍ଷତାକ୍ତ ହୋଇ ପଡ଼ିଯାଇଥିବା ବେଳେ ଦେବରାଜଙ୍କୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଧରାକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଗାଙ୍ଗପୁର ପୋଲିସ କେସ ନଂ ୩୦୨/୨୫ ରୁଜୁ କରି ଭାରତୀୟ ନ୍ୟାୟ ସଂହିତା ସେକ୍ସନ ୧୨୬(୨), ୧୧୫(୨), ୩୫୧(୨), ୨୯୬, ୧୦୮(୧), ୧୦୯(୧) ଅଧୀନରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି ।