ଚିକିଟି : ମୂଷା ଯନ୍ତାରେ ପଡ଼ିଲା ସାପ,ଉଦ୍ଧାର କରିଲା ସ୍ନେକ ହେଲ୍ପଲାଇନ

ଚିକିଟି (ଅମରେନ୍ଦ୍ର କୁମାର ପଟ୍ଟନାୟକ , ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ପିତାତଳି ସୁବର୍ଣ୍ଣପୁର ଗ୍ରାମର ଆଲୋକ ରଞ୍ଜନ ପାତ୍ରଙ୍କ ଘରେ ମୂଷା ମାନେ ବହୁତ ଉପଦ୍ରବ କରୁଥିଲେ । ମୂଷା ଦମନ କରିବା ପାଇଁ ଆଲୋକ ନିଜ ଘରେ ଅଠା ଯନ୍ତା ବା Glue trap ବସେଇ ଥିଲେ । ଏହି ଯନ୍ତା ରେ ଲାଗିଥିବା ଅଠାରେ ମୂଷା କଣ ପଡ଼ିବ…
ମୂଷାଙ୍କୁ ଖାଇବା ପାଇଁ ଘରେ ପଶୁଥିବା ଏକ ବଡ ନାଗ ସାପ ଲାଖି ଯାଇଥିଲା । ଥରେ ଅଠା ରେ ଲାଗିବା ପରେ ଯେତେ ଛଟ ପଟ ହେଲା ସେତେ ଅଧିକ ସେଇ ଅଠା ନାଗ ଦେହରେ ଲାଗିବାକୁ ଲାଗିଲା । ଏହାପରେ ସାପଟି ଆଉ ଛଟ ପଟ ହୋଇ ନପାରି ନିସ୍ତେଜ୍ ହୋଇ ପଡ଼ି ରହିଲା ।

ତେଣେ ଘର ଭିତରେ ଏତେ ବଡ଼ ନାଗ ସାପକୁ ଦେଖି ଭୟଭୀତ ହୋଇ କଣ କରିବେ ଜାଣି ନ ପାରି ସ୍ନେକ୍ ହେଲ୍ପ ଲାଇନ କୁ ଉଦ୍ଧାର ପାଇଁ ଫୋନ୍ କରିଥିଲେ ଆଲୋକ ।

ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ରାମଚନ୍ଦ୍ର ସାହୁ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ସାପକୁ ଅଠା ଯନ୍ତା ରୁ ଭିଡ଼ି ବାହାର କରିଥଲେ । କିନ୍ତୁ ସାପ ମୁହଁ ଠାରୁ ନେଇ ଦେହ ଯାକ ଯେଉଁ ଅଠା ଲାଗି ଯାଇଥିଲା, ତାକୁ ଛଡ଼େଇବା ଏକୁଟିଆ ସମ୍ଭବ ନଥିଲା । ଯେନତେନ ପ୍ରକାରେ ସେଇ ଅଠା ଲାଗିଥିବା ଅବସ୍ଥାରେ ସାପ ଟିକୁ ଏକ କାଗଜ ପେଟି ରେ ଭର୍ତ୍ତି କରି ଘଟଣା ସ୍ଥଳରୁ ନେଇ ଆସିଥିଲେ ।

ସାପ ଦେହରୁ ଏତେ ଅଠା ଛଡ଼େଇବା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା କାରଣ ଦୀର୍ଘ ସମୟ ଧରି ଅଠାରେ ପଡ଼ି ରହି ଅତ୍ୟନ୍ତ ରାଗି ଯାଇଥିଲା । ସାପ ମୁଣ୍ଡକୁ ଧରିଲେ ନିଜ ହାତରୁ ମଧ୍ୟ ଅଠା ଆଉ ଛାଡ଼ିବ ନାହିଁ, ଏବଂ ଏହା ଉଦ୍ଧାରକାରୀ ଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରିବ । ତେଣୁ, ରାମଚନ୍ଦ୍ର ସ୍ନେକ୍ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଙ୍କୁ ଫୋଟୋ ଏବଂ ଭିଡ଼ିଓ ପଠେଇ ପରାମର୍ଶ ଲୋଡିଥିଲେ । ଶୁଭେନ୍ଦୁ ଙ୍କ ପରାମର୍ଶ କ୍ରମେ ନଡ଼ିଆ ତେଲ ଲଗାଇ 4 ଫୁଟ ଲମ୍ବର ବିଷଧର ନାଗ ସାପ ଦେହରେ ଲାଗିଥିବା ଅଠା ଛଡ଼େଇବା ପାଇଁ ସ୍ଥିର କରାଗଲା । ରାମଚନ୍ଦ୍ର ଙ୍କୁ ଏଇ କାମରେ ସହଯୋଗ କରିଥିଲେ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ଜଗନ୍ନାଥ ସାହୁ । ଅତ୍ୟନ୍ତ ଯତ୍ନ ସହକାରେ ପ୍ରାୟ 20 ମିନିଟ ପରିଶ୍ରମ କରି ନଡ଼ିଆ ତେଲ ଲଗେଇ କପଡ଼ା ରେ ଧୀରେ ଧୀରେ ଘଷି ନାଗ ସାପ ଦେହରେ ଲାଗିଥିବା ସବୁ ଅଠା ଛଡ଼େଇବା ରେ ସଫଳତା ମିଳିଥିଲା ।

ସାପଟିକୁ ଗ୍ରାମ ଠାରୁ ଦୂରରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଥିଲା । ସାପଟି ପାଣିରେ ପହଁରି ଯିବା ବେଳେ ସତେ ଯେମିତି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟଙ୍କୁ ଧନ୍ୟବାଦ ଦେଇ ଯାଇଥିଲା ।

ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “କିରୋସିନି ବ୍ୟବହାର କଲେ ହୁଏତ ଅଠା ଛାଡ଼ି ଥାଆନ୍ତା, କିନ୍ତୁ କିରୋସିନି ଦ୍ଵାରା ସାପ ଶରୀରରେ ବିଷାକ୍ତ ପ୍ରଭାବ ମଧ୍ୟ ପକେଇ ଥାଆନ୍ତା । ନଡ଼ିଆ ତେଲ ବ୍ୟବାହର କରିବା ଦ୍ଵାରା ସାପର କୌଣସି କ୍ଷତି ହୋଇ ନଥିଲା । ସେଇ ଅଠା କୁ ସାପ ଦେହରୁ ଛଡ଼େଇ ନଥିଲେ ସେ ଆଉ ଶୀକାର କରି ଖାଦ୍ୟ ଗ୍ରହଣ କରିବା ସମ୍ଭବ ହୋଇ ପାରି ନଥାନ୍ତା” ।

Leave a Reply

Your email address will not be published. Required fields are marked *