
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର- ଭଂଜନଗର ମୁଖ୍ୟ ରାସ୍ତାର କେଶରାପଲ୍ଲୀ ଗାଁରେ ରବିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି।
ଘର ବାରଣ୍ଡାରେ ବସିଥିବା ବେଳେ ଘର ଉପରକୁ କାର୍ ମାଡି ଯାଇ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ଶିଶୁ ଏବଂ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ କେଶରାପଲ୍ଲୀ ଗାଁର ସଂଯୁକ୍ତା ବିଷୋୟୀ ବୋଲି ଜଣାପଡ଼ିଛି।
ପ୍ରତିବାଦରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ବ୍ରହ୍ମପୁର-ଭଂଜନଗର ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ କରିଥିଲେ। ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା କରିବା ସହ ସଂପୃକ୍ତ କାର୍ ଚାଳକକୁ ଅଟକ ରଖି ପଚରା ଉଚରା କରୁଛି ।
ସୂଚନାପ୍ରକାରେ, କେଶରାପଲ୍ଲୀ ଗାଁର ମୁଖ୍ୟ ରାସ୍ତାକଡରେ ଥିବା ଏକ ଘର ବାରଣ୍ଡାରେ କିଛି ମହିଳା ଏବଂ ଛୋଟ ଛୁଆ ବସିଥିଲେ। ଶନିବାର ବିଳମ୍ବିତ ରାତିରେ ବ୍ରହ୍ମପୁରରୁ ଭଂଜନଗର ଅଭିମୁଖେ ଆସୁଥିବା ଏକ କାର୍ ଭାରସାମ୍ୟ ହରାଇ ଘର ଉପରକୁ ମାଡି ଯାଇଥିଲା। ଘଟଣା ସ୍ଥଳରେ ହିଁ ଗାଡ଼ିରେ ଚାପି ହୋଇ ସଂଯୁକ୍ତା ଙ୍କ ମୃତ୍ୟୁ ହୋଇଥିଲା । ଏହା ସହ ନିକଟରେ ଥିବା ଜଣେ ମହିଳା ଏବଂ ଜଣେ ଶିଶୁ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ବାସୀନ୍ଦା ତୁରନ୍ତ ସମସ୍ତ ଆହାତ ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆସିକା ମେଡିକାଲ ରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିକରି ଗାଁ ଛକରେ ଗ୍ରାମବାସୀ ବ୍ରହ୍ମପୁର ଓ ଭଞ୍ଜନଗର ରାସ୍ତାରେ ଟାୟାର୍ ଜାଳି ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଦିର୍ଘ ସମୟ ପର୍ଯ୍ୟନ୍ତ ଯାନବାହାନ ଅଟକି ରହିଥିଲା। ଖବର ପାଇ ଗାଙ୍ଗପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।