
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ସମୟ ଥିଲା ଯେତେବେଳେ ଖାଇବାକୁ କିଛି ନ ହେଲେ ବି ପଖାଳ ସାଙ୍ଗକୁ ଲଙ୍କା,ଲୁଣ ଓ ଦେଶୀ ପିଆଜ ଖାଇ ପେଟ ଓ ମନ ବୁଝିଯାଉଥିଲା। ଅଳ୍ପ ଖର୍ଚ୍ଚରେ ପିଆଜ ଉତ୍ପାଦନ ହେଉଥିବାରୁ ଯେକୌଣସି ସମୟରେ ବି ଏହା ବ୍ୟାପକ ପରିମାଣରେ ମିଳିଯାଉଥିଲା। ମାତ୍ର ଆଜି ଖରା ହେଉକି ଶୀତ, ପିଆଜ ଦର ଯେଉଁଭଳି ଆକାଶଛୁଆଁ ହେଉଛି, ସମାନ୍ତରାଳ ଭାବେ ଶ୍ରମଜୀବୀଙ୍କ ପଖାଳ କଂସା ସହିତ ପିଆଜକୁ ଆଉ ଦେଖିବାକୁ ମିଳୁନି। ଏମିତିକି ନିମ୍ନ ମଧ୍ୟବିତ୍ତଙ୍କ ଘରକୁ ବି ପିଆଜ ପଶି ପାରୁନାହିଁ। କମ୍ପାନି ବିହନର ଲାଭ ପାଇଁ ଦେଶୀ କୋଳ ପିଆଜ ଚାଷକୁ ପରୋକ୍ଷ ଭାବରେ ମାରିଦିଆଯିବା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଓଡ଼ିଶାରେ ନିଜ ଆବଶ୍ୟକତା ପାଇଁ ଘରେ କୋଳ ପିଆଜ ଏବଂ ବ୍ୟବସାୟ ପାଇଁ ହାଇବ୍ରିଡ୍ ( ଉଲି)ପିଆଜ ଚାଷ ହୁଏ । ବର୍ଷର ଯେକୌଣସି ସମୟରେ ଘର ବଗିଚା ବା କୂଅ ମୂଳରେ ଗୋଟିଏ କୋଳ(ଦେଶି) ପିଆଜ ପୋତିଦେଲେ ଖୁବ ଶୀଘ୍ର ଫଳ ବାହାରିଯାଏ। ମଞ୍ଜିରୁ ଚାରା କରିବା ଆବଶ୍ୟକତା ପଡ଼େ ନାହିଁ। ଅତି ଅଳ୍ପ ଖର୍ଚରେ ଗୋଟିଏ ଏକର ଜମିରେ ୬୦ରୁ ୭୦ କ୍ବିଣ୍ଟାଲର ଦେଶୀ କୋଳ ପିଆଜ ଉତ୍ପାଦିତ ହୋଇପାରେ। ରସାୟନିକ ସାର ନୁହେଁ, ବରଂ ଗୋବର ଖତରେ ମଧ୍ୟ ହୋଇପାରେ। ମାତ୍ର ଉଲି ପିଆଜ ଚାଷ ପାଇଁ ବିହନ କମ୍ପାନି କିମ୍ବା ନିଗମରୁ କ୍ରୟ କରିବାକୁ ପଡ଼େ। ପିଆଜ ମଞ୍ଜିରୁ ଚାରା କରିବାକୁ ୪୦ରୁ ୪୫ ଦିନ ଲାଗିଯାଏ। ଯଦି ବନ୍ୟା, ବାତ୍ୟା ହେଲା, ତେବେ ଏହି ପିଆଜ ଉତ୍ପାଦନ ମାଡ଼ ଖାଇଯାଏ ।
ଆହୁରି ମଧ୍ୟ ଏହି ବିହନରୁ ପିଆଜ ଫଳିବାର ସମୟ ସୀମା ୩ ମାସ ଥାଏ। ତେଣୁ ପୁରୁଣା ବିହନ ଚାଷୀ ହାତରେ ପଡ଼ିଗଲେ, ଚାଷୀ ବରବାଦ୍ ହୋଇଯାଏ । ଯାହା ଅନେକ ସମୟରେ ଚାଷୀଙ୍କୁ ତଳିତଳାନ୍ତ କରିଦିଏ । ରସାୟନିକ ସାର ବ୍ୟବହାର ଯୋଗୁଁ ଉତ୍ପାଦନ ଖର୍ଚ୍ଚ ମଧ୍ୟ ବଢେ। କୋଳ ପିଆଜ ତୁଳନାରେ ଉଲି ପିଆଜ ଏକର ପିଛା ୧୦୦ରୁ ୧୮୦ କ୍ବିଣ୍ଟାଲର ଉତ୍ପାଦନ କ୍ଷମତା ଥିବାରୁ ସରକାରଙ୍କ ପକ୍ଷରୁ କେବଳ ଉଲି ପିଆଜ ଚାଷକୁ ପ୍ରୋତ୍ସାହିତ ନକରି ଦେଶୀ କୋଳ ପିଆଜ ଚାଷ କରିବାକୁ ରିହାତି ସହିତ ପ୍ରୋତ୍ସାହିତ କରାଗଲେ ସଂପ୍ରତି ଏହାର ଚାଷ ବୃଦ୍ଧି ପାଇଥାନ୍ତା ବୋଲି ମତ ପ୍ରକାଶ ପାଇଛି।ବର୍ତ୍ତମାନ ଏଭଳି ହେଲାଣି ଯେ ବିହନ ଠାରୁ ସାର ପର୍ଯ୍ୟନ୍ତ ଆତ୍ମନିର୍ଭରଶୀଳ କୋଳ ପିଆଜ ଚାଷକୁ ମାରି ପରନିର୍ଭରଶୀଳ ଉଲି ଆମ ପାଇଁ ଶର୍ବସ୍ବ ହୋଇପଡ଼ିଛି। ଭଞ୍ଜନଗର ଉପଖଣ୍ଡର ଗ୍ରାମାଞ୍ଚଳରେ ବ୍ୟାପକ ପରିମାଣରେ ହେଉଥିବା କୋଳ ପିଆଜ ଚାଷ ଏବେ ପ୍ରାୟତଃ ହେଉନାହିଁ। କାଁ ଭାଁ କେଉଁଠି ସ୍ବଲ୍ପ ଜମିରେ ଏହି ଚାଷ ହେଉଛି। ଫଳରେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଯେକୌଣସି ଅବସ୍ଥାରେ ପିଆଜ ସଙ୍କଟ ହେଲେ ଗ୍ରାହକଙ୍କ ପାଇଁ ତାହା ସ୍ବପ୍ନ ହୋଇପଡ଼ୁଛି। ଆଗ ଭଳି ଅବସ୍ଥା ନାହିଁ ଯେ ବାଡ଼ିବଗିଚାରୁ ତୋଳି ଆଣି ଖାଇବ ବା ବଜାର ଆବଶ୍ୟକତାକୁ ଛୋଟ ପିଆଜ ପୂରଣ କରିବା। ତେଣୁ ପିଆଜର ଦୈନନ୍ଦିନ ଚାହିଦା କୁ ଦେଖି କୋଳ ପିଆଜ ଚାଷକୁ ଅଧିକ ପ୍ରୋତ୍ସାହିତ କରିବା ସହ ପୁଣି ଘରେ ଘରେ ଉତ୍ପାଦନ ବୃଦ୍ଧି କରିବାକୁ କୃଷି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।