
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଦେଶ ସ୍ବାଧିନ ହେବାର ଦିର୍ଘ ବର୍ଷ ପରେ ବି ଗାଁ ଲୋକ ଙ୍କ ପାଖରେ ପହଞ୍ଚି ନାହିଁ ସରକାରୀ ଯୋଜନା। ବିଜୁଳି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟଜଳ ଗ୍ରାମବାସୀ ଙ୍କ ପାଇଁ ସାତସପନ ପାଲଟିଛି। ମୌଳିକ ସୁବିଧା ଓ ବିକାଶରୁ ବଞ୍ଚିତ ହୋଇ ଭିଟାମାଟି ଛାଡୁଛନ୍ତି ଗାଁ ଲୋକେ। ଯାହାର ଜ୍ବଳନ୍ତ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ କୋକଳବା ପଞ୍ଚାୟତର ଦୁର୍ଗମ ଗ୍ରାମ ହାତୀଗଡ଼ାରେ। ଦିନ ଥିଲା ଏହି ଗାଁରେ ୨୦ରୁ ଅଧିକ ପରିବାର ରହୁଥିଲେ। କିନ୍ତୁ ଏହି ଗାଁ କୁ ସରକାରଙ୍କ ବିକାଶର ଗାଡି ନ ଗଡିବାରୁ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଲେ। ଫଳରେ ଗୋଟିଏ ପରେ ଗୋଟିଏ ପରିବାର ଗାଁ ଛାଡୁଛନ୍ତି। ଗାଁ ରେ ବର୍ତ୍ତମାନ ମାତ୍ର ୭ଟି ପରିବାର ରହୁଛନ୍ତି। ବ୍ଲକ ମୁଖ୍ୟାଳୟ ରୁ ୪୦ କିମି ଦୁର ହାତୀଗଡ଼ା ଗ୍ରାମଟି ପାହାଡ଼ ଉପରେ ରହିଛି। ଗାଁରେ ପ୍ରାୟ ୧୦୦ ଏକରରୁ ଉର୍ଦ୍ଧ୍ୱ ସମତଳ ଭୂମି ରହିଥିବା ବେଳେ କାହିଁ କେଉଁ କାଳରୁ ଲୋକେ ଏଠାରେ ରହି ଧାନ,ବିରି,ମୁଗ,କୋଳଥ,ରାଶି,ମକା,କାଜୁ ଓ ଆମ୍ବ ଭଳି ବିଭିନ୍ନ ଫସଲ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ପରିତାପର ବିଷୟ ହେଉଛି ଜଙ୍ଗଲ ପାହାଡ଼ ଘେରା ଏହି ଗ୍ରାମକୁ ରାସ୍ତା, ପାଣି, ବିଦ୍ୟୁତ୍, ଶିକ୍ଷା, ସ୍ବାସ୍ଥ୍ୟ ଭଳି ବିଭିନ୍ନ ମୌଳିକ ସୁବିଧା ଆଜି ବି ସାତସପନ ପାଲଟିଛି। ଗାଁକୁ ପକ୍କା ରାସ୍ତା ନଥିବାରୁ ତିନି କିଲୋମିଟର ପାହାଡ଼ ଚଢ଼ି ଗାଁ ରେ ପହଞ୍ଚିବାକୁ ପଡୁଛି। ଗାଁ ରେ ସୋଲାର ଲାଇଟ୍ ଲାଗିଥିଲେ ବି ଡିବିରି ଆଲୁଅ ଭରସାରେ ଗାଁ ଲୋକେ ନିର୍ଭର କରୁଛନ୍ତି। ଯାହା ଫଳରେ ଲୋକେ ଅନ୍ଧାରରେ ଜୀବନ ବିତାଉଛନ୍ତି । ଅନ୍ୟପଟେ ସନ୍ଧ୍ୟା ହେଲେ ବନ୍ୟପ୍ରାଣୀ ଓ ହାତୀର ଭୟରେ ଥରୁଛି ଗାଁ। ଗାଁକୁ ହାତୀପଲ ଆସିବା ଜାଣିପାରି ଭୟରେ ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ ଗାଁ ମୁଣ୍ଡରେ ନିଆଁ ଜାଳି ଜଗି ରହୁଛନ୍ତି। ଗାଁରେ ବିଦ୍ୟୁତ୍ ନଥିବା ଯୋଗୁଁ ଏପରି ପରିସ୍ଥିତି ସାମ୍ନା କରିବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି ।
ଏହି ଗାଁର ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ସଲପତଇଲା ଗାଁ ଠାରୁ ଏହି ଗାଁ ୪ କିମି ଦୂର ରହିଥିବା ବେଳେ ଗାଁ କୁ କେବଳ ପାଦଚଲା ରାସ୍ତା ଅଛି। ଗାଁକୁ ଆମ୍ବୁଲାନ୍ସ ଯିବା ଦୂରର କଥା ବାଇକ୍ ଯିବା କଷ୍ଟକର ହୋଇ ପଡୁଛି। ଗୁରୁତର ରୋଗୀ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ସଲପତଇଲା ପର୍ଯ୍ୟନ୍ତ ଖଟିଆରେ ବୋହି କି ନେବାକୁ ପଡୁଛି। ଗାଁରେ ସ୍କୁଲ ନଥିବା ଯୋଗୁଁ ପିଲା ମାନେ ଗାଁ ନିକଟ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଯିବାକୁ ପଡ଼ୁଛି। ସେହିପରି ଗାଁରେ ପିଇବା ପାଣିର ବ୍ୟବସ୍ଥା ନାହିଁ | ଏକ କୂଅ ଉପରେ ପ୍ଲେଟ୍ ପକାଇ ହ୍ୟାଣ୍ଡପାଇପ୍ ବସାଇ ଏଥିରୁ ଜଳ ସଂଗ୍ରହ କରାଯାଉଛି। ୧୨ ମାସ ଗ୍ରାମବାସୀ ପିଇବା ପାଣି ସମସ୍ୟା ଭୋଗୁଛନ୍ତି। ଏହା ଏକ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିଲେ ମଧ୍ୟ ବିକାଶ ପାଇଁ ରାଜ୍ୟ ସରକାର ଓ ପ୍ରଶାସନର ନଜର ନପଡ଼ିବା ଦୁଃଖର ବିଷୟ ବୋଲି ପ୍ରଫୁଲ୍ଲ ମଳିକ, ବିଜୟ ଜାନି,ନରେନ୍ଦ୍ର ମଳିକ,ମାଧବ ମଳିକ,ଦିପୁ ମଳିକ, ଦାଶରଥୀ ମଳିକ,କାହ୍ନୁ ମଳିକ,ଶୁକଦେବ ମଳିକ ଓ ଲକ୍ଷ୍ମୀଧର ମଳିକ ପ୍ରମୁଖ କହିଛନ୍ତି। ଗ୍ରାମର ବିକାଶ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଦାବି ହେଲେ ବି ବିଭାଗୀୟ ଅଧିକାରୀ ଶୁଣୁନଥିବା ଗାଁ ଲୋକେ କହୁଛନ୍ତି। ହାତୀଗଡ଼ା ଗ୍ରାମର ଆଦିବାସୀ ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ରୂପରେଖ ପ୍ରସ୍ତୁତ କରନ୍ତୁ ବୋଲି ମାଳ ବିକାଶ ମଞ୍ଚ ସଭାପତି ଶତ୍ରୁଘ୍ନ ଗୌଡ଼ ଦାବି କରିଛନ୍ତି ।