
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ବ୍ରିଟିଶ ଶାସକ ମାନେ ଘୁମୁସର କୁ ଶାସନ କରିବାକୁ ଆସିବା ପରେ ଏହି ଅଞ୍ଚଳର ଉନ୍ନତି ମଧ୍ୟ ଯୋଜନା କରିଥିଲେ। ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ ର ଉନ୍ନତି ସହ ଘୁମୁସର ଜଙ୍ଗଲର ସୁରକ୍ଷା ପାଇଁ ପଦକ୍ଷେପ ନେଇଥିଲେ। ତେଣୁ ସେମାନେ ୧୯୦୪ରେ ବାଲିଙ୍କିଆ ପାହାଡ଼ ଉପରେ ଏକ କାଚ ଘର ନିର୍ମାଣ କରିଥିଲେ। ସେଠାରେ ବ୍ରିଟିଶ ଶାସକମାନେ ରହି ମନୋରଞ୍ଜନ କରିବା ସହ ଜଙ୍ଗଲ କର୍ମଚାରୀମାନେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ରହୁଥିଲେ।ବର୍ତ୍ତମାନ ଉକ୍ତ କାଚଘର ଭଗ୍ନ ଅବସ୍ଥାରେ ଥିବା ବେଳେ ସେଠାକୁ ଯିବାକୁ ଗମନାଗମନ ସୁବିଧା ମଧ୍ୟ ନାହିଁ। ଯେହେତୁ ଉକ୍ତ ପାହାଡ଼ର ଚତୁଃପାର୍ଶ ଘଞ୍ଚ ଜଙ୍ଗଲ ଘେରି ରହିଛି। ଏହାପରେ ବ୍ରିଟିଶ ଶାସକମାନେ ୧୯୧୩ରେ ରମ୍ଭା ଡାକବଙ୍ଗଳା କରିଥିଲେ। ଉକ୍ତ ଅଞ୍ଚଳଗୁଡ଼ିକ ମୁଜାଗଡ଼ ରେଞ୍ଜ ଅଧୀନରେ ଆସୁଥିଲା।୧୯୧୫ରେ ମୁଜାଗଡ଼ ରେଞ୍ଜ ଗଠନ ହୋଇଥିବା ବେଳେ ତାହାର କୋଠା ୧୯୨୫ରେ ନିର୍ମାଣ ହୋଇଥିଲା। ତାହା ପୂର୍ବରୁ ୧୯୨୨ରେ ଘୁମୁସର ଉତ୍ତର ବନଖଣ୍ଡ ପ୍ରତିଷ୍ଠା ହୋଇଥିଲା। ୧୮୫୬ ବର୍ଗଫୁଟରେ ଡିଏଫ୍ଓ କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା। ଉକ୍ତ କାର୍ଯ୍ୟାଳୟକୁ ବର୍ତ୍ତମାନ ୧୦୩ ବର୍ଷ ପୂରିଛି। କୋଠାର କେତେକ ଅଂଶ ବର୍ତ୍ତମାନ ଦୁର୍ବଳ ଅଛି। ଅନ୍ୟପଟେ ବର୍ତ୍ତମାନ କର୍ମଚାରୀ ଏବଂ ଅଫିସର ବୃଦ୍ଧି ଘଟିଛି। ସମସ୍ତ ଅଫିସର ଏବଂ କର୍ମଚାରୀ ବସିବା ପାଇଁ ଉପଯୁକ୍ତ ସ୍ଥାନ ଅଭାବ ଦେଖାଦେଇଛି। ତେଣୁ ଆଉ ଗୋଟିଏ ନୂତନ କାର୍ଯ୍ୟାଳୟ ବର୍ତ୍ତମାନ ଆବଶ୍ୟକ ରହିଛି। ଏନେଇ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଜାଣିବା ପରେ ନୂତନ କୋଠା ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ନୂତନ କୋଠା ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେଣୁ କଲେଜ ରୋଡ୍ ଲାଲସିଂ ସ୍ଥାୟୀ ନର୍ସରୀ ପରିସରରେ ନୂତନ ଡିଏଫ୍ଓ କାର୍ଯ୍ୟାଳୟ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ତେଣୁ ବନ ବିଭାଗ ପକ୍ଷରୁ କାର୍ଯ୍ୟାଳୟର ନକ୍ସା ପ୍ରସ୍ତୁତ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇଁ ପଠାଇବାକୁ ପ୍ରସ୍ତୁତି ଚାଲିଛି। ନକ୍ସା ଅନୁମୋଦନ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ। ନର୍ସରୀରେ ଡିଏଫ୍ଓ କାର୍ଯ୍ୟାଳୟ ନିର୍ମାଣ ହେଲେ ତାହାର ଠିକଣା ବଦଳିବ। ପ୍ରାୟ ୧୮ ହଜାର ବର୍ଗଫୁଟ ମଧ୍ୟରେ ଦୁଇ ମହଲା କୋଠା ନିର୍ମାଣ ହେବ ।