ବୁଗୁଡ଼ା : ଘରେ ଓ ମନ୍ଦିରରେ ସାବିତ୍ରୀ ବ୍ରତ ପାଳନ

ବୁଗୁଡ଼ା (ସୋରେନ କୁମାର ପ୍ରଧାନ,ଓଡ଼ିଶା ଟୁଡେ): ପବିତ୍ର ଜ୍ୟେଷ୍ଠ ଅମବାସ୍ୟା ତିଥିରେ ବୁଗୁଡା ଅଞ୍ଚଳର ଘରେ ଘରେ ଏବଂ ବିଭିନ୍ନ ମନ୍ଦିରେ ସାବିତ୍ରୀ ବ୍ରତ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ବାଧୀ ନାରୀମାନଙ୍କ ପକ୍ଷରୁ ସ୍ବାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ଏହି ବ୍ରତ ପାଳନ କରାଯାଉଥିବା ବେଳେ ବ୍ରତକାରିଣୀମାନେ ବ୍ୟକ୍ତିଗତ ଭାବେ ନିଜ ନିଜ ଘରେ ନତୁବା ସାମୁହିକ ଭାବେ ମନ୍ଦିର କିମ୍ବା ଅନ୍ୟ କୌଣସି ସ୍ଥାନରେ ଲକ୍ଷ୍ମୀନାରାୟଣଙ୍କୁ ଭକ୍ତିପୂତ ଭାବରେ ପୂଜା କରିଥିଲେ । ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ କାଟି ଗଣପତି ଘଟ ସ୍ଥାପନା ସାଙ୍ଗକୁ ଶିଳପୁଆକୁ ପଞ୍ଚାମୃତ ଜଳରେ ସ୍ନାନ କରାଇ ନୂତନ ବସ୍ତ୍ର ଓ ଅଳଙ୍କାର ଦ୍ବାରା ଯତ୍ନରେ ସଜାଇ ଲକ୍ଷ୍ମୀନାରାୟଣ ରୂପେ ସ୍ଥାପନ କରି ଧୂପ, ଦୀପ, ଗନ୍ଧ, ପୁଷ୍ପ ଅର୍ପଣ ପୂର୍ବକ ସାବିତ୍ରୀ ବ୍ରତ ପାଳନ କରିଥିଲେ । ପାଚିଲା ଆମ୍ବ,ପଣସ,ସପୁରୀ, ତାଳସଜ, ନଡିଆ, କଦଳୀ ପ୍ରଭୃତି ନାନା ଜାତିର ପକ୍ବ ଫଳ ଓ ଧୁଆ ମୁଗ ନୈବେଦ୍ୟ ରୂପେ ବଢାଯାଇ ପୁରୋହିତଙ୍କ ଦ୍ବାରା ସାବିତ୍ରୀ ବ୍ରତ କଥା ଶ୍ରବଣ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା | ବ୍ରତ ପାଳନକାରିଣୀମାନେ ଆନନ୍ଦ ମନରେ ପୂଜା ସାରି ଠାକୁରଙ୍କୁ ପୁଷ୍ପାଞ୍ଜଳି ଦେଇଥିଲେ ।

Leave a Reply

Your email address will not be published. Required fields are marked *