
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।ଦକ୍ଷିଣ ଓଡ଼ିଶାରେ ମୌସୁମୀ ସକ୍ରିୟ ହୋଇ ଥିବା ବେଳେ ମୌସୁମୀ ପବନରେ ଘୋଡେଇ ହୋଇ ରହିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଆକାଶ। ମୌସୁମୀ ପ୍ରଭାବରେ ଉପଖଣ୍ଡର ବିଭିନ୍ନ ସ୍ଥାନରେ ବୁଧବାର ସକାଳୁ ତୁହାକୁ ତୁହା ବର୍ଷା ହୋଇଛି। ମୌସୁମୀ ଆସିବା ପରେ ଚାଷୀ ମନକୁ ସରାଗ ଛୁଇଁଛି। ଆସନ୍ତା ଖରିଫ୍ ଚାଷ ପାଇଁ ଆବଶ୍ୟକ ବିହନ ସଂଗ୍ରହ ରେ ଚାଷୀ ଲାଗି ପଡିଛି। ଆଉ କିଏ ଲଙ୍କଳ, ଜୁଆଳି ସମେତ ମଇ ଭଳି ଚାଷ କାର୍ଯ୍ୟ ରେ ବ୍ୟବହୃତ କୃଷି ଯନ୍ତ୍ରପାତି ସଜାଡିବାରେ ଲାଗି ପଡିଛନ୍ତି।ଏପଟେ ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ବିହନ ଓ ସାର ଯୋଗାଇ ଦେବା ଉପରେ ଗୁରୁତ୍ବ ଦେଇଛି। ଚଳିତବର୍ଷ ଉପଖଣ୍ଡ ରେ ୬୦ ହଜାର ହେକ୍ଟରରୁ ଅଧିକ ଜମିରେ ଖରିଫ ଧାନ ଚାଷ କରିବାକୁ କୃଷି ବିଭାଗ ଲକ୍ଷ୍ୟ ରଖିଛି। ଚଳିତ ଖରିଫ ଋତୁରେ ଭଞ୍ଜନଗର ଉପଖଣ୍ଡ ଅଧିନ ଭଞ୍ଜନଗର କୃଷି ଜିଲ୍ଲାର ଭଞ୍ଜନଗର,ବେଲଗୁଣ୍ଠା,ଜଗନ୍ନାଥପ୍ରସାଦ,ବୁଗୁଡ଼ା ଓ ଆସିକା କୃଷି ଜିଲ୍ଲାର ଧରାକୋଟ,ଶେରଗଡ଼, ଆସିକା ଓ ସୋରଡ଼ା ବ୍ଲକର ପ୍ରାୟ ୬୦ ହଜାର ହେକ୍ଟର ଜମିରେ ଧାନ ଚାଷ ହେବାର ଲକ୍ଷ୍ୟ ରଖାଯାଇଥିବା ବେଳେ ସରକାରଙ୍କ ପକ୍ଷ ରୁ ଅମଳକ୍ଷମ ଧାନ ବିହନ ବିକ୍ରି ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଛି ।
ଏଥିପାଇଁ ଉପଖଣ୍ଡରେ ଥିବା ୧୦୭ ଟି ପ୍ରାଥମିକ ସେବା ସମବାୟ ସମିତି ଏବଂ ୧୦୭ ଜଣ ବେସରକାରୀ ଡ଼ିଲରଙ୍କ ମାଧ୍ଯମରେ ଚଳିତ ଖରିଫ ଋତୁରେ ବିହନ ଧାନ ଚାଷୀଙ୍କୁ ବିକ୍ରି କରାଯାଉଛି। ସେଥି ମଧ୍ୟରେ ସଅଳ,ମଧ୍ୟମ ଏବଂ ବିଳମ୍ଭ କିସମର ବିହନ ଧାନ ରହିଛି। ଚାଷୀମାନେ ସେମାନଙ୍କ ଚାହିଦା ଅନୁଯାୟୀ ଏସବୁ ବିହନ ସରକାରୀ ରିହାତି ଦରରେ କିଣିପାରିବେ। ବିହନ ନିଗମ ପାଖରେ ଏବେ ୧୧୦ ରୁ ୧୬୦ ଦିନରେ ଅମଳ ହେଉଥିବା ବିଭିନ୍ନ ପ୍ରକାରର ଧାନ ବିହନ ମହଜୁଦ ରହିଛି।ମରୁଡ଼ି, ବନ୍ୟା ଓ ରୋଗପୋକ ଆକ୍ରମଣ ପ୍ରଭୃତି ଦୁର୍ବିପାକ ବିରୋଧରେ ଅଧିକ ସହନଶୀଳତା ବହନ କରୁଥିବା ଏହି ଅଧିକ ଅମଳକ୍ଷମ ବିହନ ଯେଭଳି ବ୍ୟାପକ ଭାବେ ଚାଷ ହେବ ସେନେଇ କୃଷି ବିଭାଗ ପକ୍ଷରୁ ପ୍ରଧାନ୍ୟ ଦିଆଯାଉଛି।ଚଳିତବର୍ଷ ମୌସୁମୀର ମିଜାଜ ଭଲ ରହିବ। ଗତ ବର୍ଷ ଅପେକ୍ଷା ଏଥର ଭଲ ବର୍ଷା ହେବ। ପୁଣି ଅଧିକ ଦିନ ପର୍ଯ୍ୟନ୍ତ ମୌସୁମୀ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫଳରେ ଏଥର ଭଲ ଚାଷ ହେବ ବୋଲି ଆଶା ରଖିଛି କୃଷି ବିଭାଗ ।