
ବେଲଗୁଣ୍ଠା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ସମ୍ପ୍ରତି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରରେ ମା ବ୍ରାହ୍ମଣ ଦେବୀଙ୍କ ଯାତ୍ରା ମହୋତ୍ସବ ଜାରିରହିଥିବା ବେଳେ ଗୁରୁବାର ଦିନ ସନ୍ଧ୍ୟାରେ ରାଜ୍ୟ ଖଣି,ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମହାମାୟୀ ମା ବ୍ରାହ୍ମଣ ଦେବୀଙ୍କୁ ଦର୍ଶନ କରି କୃପାଲାଭ କରିଛନ୍ତି । ଯାତ୍ରା ମହୋତ୍ସବର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସିଥିବା ମନ୍ତ୍ରୀ ଶ୍ରୀଜେନା ପ୍ରଥମେ ଏନଏସି କାର୍ଯ୍ୟାଳୟ ଠାରେ କିଛି ସମୟ ଅବସ୍ଥାନ କରିବା ପରେ କାରଯୋଗେ କୋଳିସାହି ସ୍ଥିତ ମାଙ୍କ ଅସ୍ଥାୟୀ ମଣ୍ଡପରେ ପହଞ୍ଚି ମାଙ୍କୁ ଦର୍ଶନ କରି ପୁଷ୍ପମାଲ୍ୟ ପ୍ରଦାନ ସହ ମାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ମନ୍ତ୍ରୀବିଭୁତି ଭୂଷଣ ଜେନାଙ୍କ ସହ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ, ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର, ବିଜେପି ଘୁମୁସର ଜିଲ୍ଲା ସଭାପତି ନୀଳମାଧଵ ପାତ୍ର, ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀଜେନା ମାଙ୍କ ବିଷୟରେ କିଛି ତଥ୍ୟ ପୂଜକ ଓ ଦେବରାଜ ବେହରାଙ୍କ ଠାରୁ ପଚାରି ବୁଝୁଥିବା ଦେଖାଯାଇଥିଲା ।