ଭଞ୍ଜନଗର : ଲଣ୍ଡା ପାହାଡ଼ ପାଲଟିଲା ସବୁଜ ବନାନୀ, ବଢ଼ିଲାଣି କାଠ ଚୋରି

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ସରକାର ଜନସାଧାରଣଙ୍କ ହିତକୁ ଦେଖି ଯୋଜନା କରିଥାନ୍ତି। କିନ୍ତୁ ତଳସ୍ତରରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ ଯୋଜନାର ସୁଫଳ ନିର୍ଭର କରୁଛି। କିଛି ଯୋଜନା ସଫଳ ହେଉଥିବା ବେଳେ ଆଉ କିଛି ଯୋଜନା ବିଫଳ ମଧ୍ୟ ହେଉଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଗୋଟିଏ ଯୋଜନା ସଫଳ ହେଉଥିବା ବେଳେ ଆଉ ଗୋଟିଏ ଯୋଜନା ଫେଲ୍‌ ହେଉଥିବା ଲକ୍ଷ୍ୟ କରାଯାଇଛି। ଏହି ବନଖଣ୍ଡର ଗ୍ୟାଲେରି ରେଞ୍ଜର ତିଲିସିଙ୍ଗିରେ ଥିବା ଲଣ୍ଡା ପାହାଡ଼କୁ ବନ ବିଭାଗ କର୍ମଚାରୀ ଏକ ବର୍ଷ ମଧ୍ୟରେ ସବୁଜ ବନାନୀରେ ପରିଣତ କରିବାରେ ସକ୍ଷମ ହୋଇଛନ୍ତି। ଯାହାକି ବନ ବିଭାଗ ପାଇଁ ପ୍ରଶଂସା ଆଣିଛି। ଏଥିସହ ଅନ୍ୟ ରେଞ୍ଜ ପାଇଁ ତାହା ଉଦାହରଣ ପାଲଟିଛି।ସୂଚନାଯୋଗ୍ୟ, ତିଲିସିଙ୍ଗି ପାହାଡ଼ଟି ରାଜସ୍ବ ବିଭାଗ ଅଧୀନରେ ଥିଲା। ରାଜସ୍ବ ବିଭାଗ ଅଧିକାରୀମାନେ ବିଗତ ଦିନରେ ଉକ୍ତ ପାହାଡ଼ର ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ନ ଥିଲେ। ଗତବର୍ଷ ବନ ବିଭାଗ ଅଧିକାରୀ ଉକ୍ତ ଲଣ୍ଡା ପାହାଡ଼କୁ ବନୀକରଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

୫ ହେକ୍ଟର ଲଣ୍ଡା ପାହାଡ଼ରେ ପ୍ରାୟ ୮ ହଜାର ବଡ ଚାରା ଲଗାଯାଇଥିଲା। ବର୍ତ୍ତମାନ ଚାରାଗୁଡ଼ିକ ବହୁତ ବଡ଼ ହେବା ସହ ପାହାଡ଼ଟି ସବୁଜ ବନାନୀରେ ପରିଣତ ହୋଇଛି। ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି, ରେଞ୍ଜର ଆଶାଲତା ଦିଗାଲ, ବନପାଳ ଶୁଭସ୍ମିତା ପାତ୍ରଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଆଜି ଲଣ୍ଡା ପାହାଡ଼ ସବୁଜ ବନାନୀରେ ପରିଣତ ହୋଇପାରିଛି। କିନ୍ତୁ ଉକ୍ତ ଲଣ୍ଡା ପାହାଡ଼କୁ ଲାଗି ଏବେବି ଆହୁରି ଅନେକ ହେକ୍ଟର ଜମି ପଡ଼ିଆ ପଡ଼ିଛି। ତାକୁ ମଧ୍ୟ ସବୁଜ ବନାନୀରେ ପରିଣତ କରିବା ପାଇଁ ଦାବି ହୋଇଛି। ଅନ୍ୟପଟେ ଏହି ବନଖଣ୍ଡର ତାରସିଂ ରେଞ୍ଜ କାର୍ଯ୍ୟାଳୟଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ସଂରକ୍ଷିତ ଜଙ୍ଗଲରୁ ଦିନ ବେଳେ ଜାତୀୟ ରାଜପଥ କଡ଼ରୁ କାଠ ଚୋରି ହେଉଛି। ଲୋକେ ବିଭିନ୍ନ ସମୟରେ ଜଙ୍ଗଲକୁ ଯାଇ ବଡ଼ କାଠ ଗଣ୍ଡିକୁ ଜାଳେଣି କାଠ ଭାବେ କାଟି ଜଙ୍ଗଲରେ ପକାଇ ଦିଅନ୍ତି। କାଠଗୁଡ଼ିକ ଶୁଖିଲା ପରେ ତାକୁ ସୁବିଧା ସୁଯୋଗ ଦେଖି ବିଭିନ୍ନ ମାଧ୍ୟମରେ ନେଇଥାନ୍ତି। ଏଥିସହ କିଛି ମାସ ପୂର୍ବେ ରେଞ୍ଜ କାର୍ଯ୍ୟାଳୟକୁ ଲାଗିଥିବା ଏକ ସ୍ଥାନରୁ ଏକାଧିକ ଚନ୍ଦନ ଗଛ ଚୋରି ହୋଇଥିଲା। ଏହି ମାମଲାରେ ବନ ବିଭାଗ ଅଧିକାରୀ କାହାରିକୁ ମଧ୍ୟ ଗିରଫ କରିନାହିଁ। ଏହିଭଳି ଉକ୍ତ ରେଞ୍ଜରେ ଲୋକେ ଜଙ୍ଗଲରୁ ଅନେକ ସମୟରେ ମୂଲ୍ୟବାନ କାଠ କାଟି ନେଉଥିବା ଅଭିଯୋଗ ହେଉଛି। ଯାହାକି ଚିନ୍ତାଜନକ ବିଷୟ। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *