ଗଞ୍ଜାମର ଗର୍ବ – ଗୌରବ କୃଷ୍ଣସାର ମୃଗ : ଭରି ରହିଛି ଲୋକଙ୍କ ଆଧ୍ୟାତ୍ମିକ ବିଶ୍ୱାସ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ମୃଗ ପ୍ରତି ଲୋକଙ୍କ ଆଧ୍ୟାତ୍ମିକ ବିଶ୍ୱାସ ଭରି ରହିଛି। ତେଣୁ ମୃଗ କୁ ଲୋକେ ଶିକାର କରନ୍ତି ନାହିଁ। ଦୁର୍ଘଟଣା ସମେତ ବିଭିନ୍ନ କାରଣ ଯୋଗୁ ପ୍ରାୟ ମୃଗ ମରନ୍ତି। ଆହତ ମୃଗ ମାନକ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ମୃଗମାନଙ୍କ ସୁରକ୍ଷା ପାଇଁ ଚାଷୀଙ୍କୁ ମାଗଣାରେ ଶସ୍ୟ ବିହନ ବଣ୍ଟନ ସହ ପାରିତୋସିକ ବ୍ୟବସ୍ଥା ଓ ଜଳାଶୟ ଖନନକରାଯାଇଛି। ଆସିକା ତହସିଲର ଭେଟନଈ, ନାରାୟଣପୁର, ବଜ୍ରକୋଟ, ପାଣ୍ଡିଆପଥର, ଭେଜିପୁଟ, ସାମନ୍ତପୁର, ସିଧନଇ, ଗହଙ୍ଗୁ, ଧନିଜା, ଦାନ, ଚନ୍ଦନପେଡ଼ି, ଫାପଲପୁର ଏବଂ ବୁଗୁଡ଼ା ତହସିଲର ଢେଉକା, ତାଳସାକର, ଖୋଳଖାଳି, ବୁରୁଝୋଲା, କାଞ୍ଚିଆପଲ୍ଲୀ, ରାମଣ୍ଡା, ବାଲିପଦର ଅଞ୍ଚଳରେ ମୃଗମାନେ ବିଚରଣ କରନ୍ତି। ତେଣୁ ଉକ୍ତ ୭୬୦୦ ହେକ୍ଟର ଅଞ୍ଚଳକୁ ଗୋଷ୍ଠୀ ସଂରକ୍ଷଣ ସ୍ଥଳୀ ଘୋଷଣା କରିବା ପାଇଁ ଦାବି ହୋଇଛି। ଉକ୍ତ ପ୍ରସ୍ତାବ ସରକାରଙ୍କ ପାଖରେ ବିଚାରାଧୀନ ଅଛି। ଗୋଷ୍ଠୀ ସଂରକ୍ଷଣ ସ୍ଥଳୀ ଘୋଷଣା ହେଲେ ସେମାନଙ୍କ ସୁରକ୍ଷା ଏବଂ ସଂମ୍ପୃକ୍ତ ଅଞ୍ଚଳବାସୀଙ୍କ ଆର୍ଥିକ ମନଦଣ୍ଡରେ ଉନ୍ନତୀ ପାଇଁ ସ୍ବତନ୍ତ୍ର ଅନୁଦାନ ଆସିବ। ସରକାର ଏନେଇ ପଦକ୍ଷେପ ନେବାକୁ ଦାବି ହୋଇଛି। ଉକ୍ତ ଅଞ୍ଚଳରୁ ମୃଗମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଘୁମୁସର ଉତ୍ତର ବନଖଣ୍ଡ ଏବଂ ବ୍ରହ୍ମପୁର ବନଖଣ୍ଡକୁ ବ୍ୟାପିଥିବା ଜଣାପଡ଼ିଛି। ଅଧିକାଂଶ ସମୟ ମୃଗ, ମଣିଷ ଏବଂ ଗୃହ ପାଳିତ ପଶୁ ମିଳିତ ଭାବେ ଖୋଲା ଜମିରେ ବିଚରଣ କରୁଥିବା ଦେଖିବାକୁ ମିଳୁଛି। ଯାହାକି ବିରଳ।ଚଳିତ ବର୍ଷ କୃଷ୍ଣସାର ମୃଗ ଗଣନା ଅନୁସାର ଘୁମୁସର ଦକ୍ଷିଣ ବନଖଣ୍ଡରେ ୫୭୫୬ଟି ମୃଗ ଥିବା ବେଳେ ବ୍ରହ୍ମପୁର ବନଖଣ୍ଡରେ ପ୍ରାୟ ୧୫ ଶହ ଏବଂ ଉତ୍ତର ଘୁମୁସର ବନଖଣ୍ଡରେ ୬୫୪ଟି ମୃଗ ଥିବା ଜଣାପଡ଼ିଛି ।

ଏହାର ସୁରକ୍ଷା ପାଇଁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଗତ ଗଣନା ଅନୁସାରେ ୨୧ ପ୍ରତିଶତ ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ହିଁ ଚଳିତ ବର୍ଷ ବୃଦ୍ଧି ପାଇଛି। ରାଜ୍ୟର ଅନ୍ୟ ଜିଲାରେ ମଧ୍ୟ ଉକ୍ତ ମୃଗର ବଂଶ ବିସ୍ତାର ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ତେଣୁ କିଛି ମାସ ପୂର୍ବେ ଘୁମୁସର ବନଖଣ୍ଡରୁ ୪ଟି ମୃଗକୁ ପୁରୀ ବନଖଣ୍ଡରେ ନେଇ ଛଡ଼ାଯାଇଛି। ମୃଗମାନେ ଘାସ ଓ ଧାନ, ମୁଗ, ବିରି ଓ ପନିପରିବା ଫସଲ ଖାଇଥାନ୍ତି। ଲୋକଙ୍କ ଫସଲ କ୍ଷତି କଲେ ମଧ୍ୟ ଲୋକେ ମୃଗର କିଛି କ୍ଷତି କରିନଥାନ୍ତି। ତେଣୁ ମୃଗମାନେ ଅଧିକାଂଶ ସମୟ ଗ୍ରାମ ଭିତରେ ଏବଂ ଗ୍ରାମକୁ ଲାଗି ବିଚରଣ କରିଥାନ୍ତି। ଏନେଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ କୃଷ୍ଟସାର ମୃଗ ହେଉଛି ଏକ ବିରଳ ବନ୍ୟପ୍ରାଣୀ। ସେମାନଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି।ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଳପାଣି ଶତପଥୀ କହିଛନ୍ତି, ଯେଉଁ ଅଞ୍ଚଳରେ ମୃଗ ମାନେ ବିଚରଣ କରନ୍ତି ସଂପୃକ୍ତ ଅଞ୍ଚଳରେ ମରୁଡି ହୁଏ ନାହିଁ, ଲୋକଙ୍କ ଉନ୍ନତି ମଧ୍ୟ ହୋଇଥାଏ। ତେଣୁ ଏଭଳି ଏକ ବିରଳ ବନ୍ୟପ୍ରାଣୀ ଆଜି ସମସ୍ତଙ୍କ ସହଯୋଗରେ ସୁରକ୍ଷିତ ଅଛି ।

Leave a Reply

Your email address will not be published. Required fields are marked *