
ଭଞ୍ଜନଗର(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ସ୍ଵାଧୀନତା ର ଦୀର୍ଘ ବର୍ଷ ପରେ ମଧ୍ୟ ଗଞ୍ଜାମ କନ୍ଧମାଳ ସୀମାନ୍ତ ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତ ଗିଡ଼ିପାବାଲି ଗାଁ ଲୋକଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ନଥିବା ଗୁରୁବାର ଓଡ଼ିଶା ଟୁଡେ ଏବଂ ପ୍ରତିଧ୍ଵନି ଖବର ପ୍ରକାଶନ କରିଥିଲେ । ଏହା ପ୍ରଶାସନ ନଜରକୁ ଆସିବା ପରେ ଭଞ୍ଜନଗର ବ୍ଲକ୍ ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି। ପ୍ରକାଶ ଥାଉ କି ଗିଡ଼ିପାବାଲି ଗାଁ କୁ ରାସ୍ତା ନାହିଁ କି ପିଇବା ପାଣିର ସୁବିଧା ନାହିଁ। ବର୍ଷା ଦିନେ ଗ୍ରାମବାସୀଙ୍କ ଦୁଃଖ ଦୁଇ ଗୁଣ ହୋଇଯାଏ । ରାତି ଅଧରେ କାହାରି ଦେହ ଖରାପ ହେଲେ ଆହୁରି ଦୟନୀୟ ଅବସ୍ଥା ଭୋଗିବାକୁ ପଡେ ଗ୍ରାମବାସୀଙ୍କୁ । ଗ୍ରାମର ୧୦ରୁ ଉର୍ଦ୍ଧ୍ୱ ପରିବାର ବିଭିନ୍ନ ସମସ୍ୟା ଦେଇ ଦୀର୍ଘ ବର୍ଷ ହେବ ଘାଣ୍ଟି ହେଉଥିବା ବେଳେ ସରକାରଙ୍କ ବିକାଶ ମୂଳକ ଯୋଜନା ଏଠି ପହଞ୍ଚି ପାରିନାହିଁ। ଆଜି ବି ଗ୍ରାମବାସୀଙ୍କୁ ଅନ୍ଧାରୀ ମୂଲକର ଜୀବନ ବିତାଇବାକୁ ପଡ଼ୁଛି। ଗାଁ କୁ ଭଲ ରାସ୍ତା ନଥିବାରୁ ଗୁରୁତର ରୋଗୀ କିମ୍ବା ଗର୍ଭବତୀଙ୍କୁ ଖଟିଆରେ ବୋହିବାକୁ ପଡ଼ୁଛି। ଗାଁରେ ପାନୀୟ ଜଳର ସମସ୍ୟା ଲାଗି ରହିଛି ।
ଲୋକେ ଗାଁ ଦେଇ ଯାଇଥିବା ନାଳର ଦୂଷିତ ପାଣିରେ ଶୋଷ ମେଣ୍ଟାଉଛନ୍ତି।ଶୁକ୍ରବାର ଭଞ୍ଜନଗର ବ୍ଲକ୍ ପ୍ରଶାସନ ପହଞ୍ଚି ଗ୍ରାମର ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଭଞ୍ଜନଗର ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପାଢୀ, ସହକାରୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସନୁଜ୍ ନାୟକଙ୍କ ସମେତ କନିଷ୍ଠ ଯନ୍ତ୍ରୀ ମଙ୍ଗଳବାର ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।ପାନୀୟଜଳ ଓ ଗମନାଗମନ ପାଇଁ ରାସ୍ତା ନିହାତି ଆବଶ୍ୟକ ଥିବା ସମ୍ପର୍କରେ ଗ୍ରାମବାସୀ ପ୍ରଶାସନିକ ଅଧିକାରୀ ଙ୍କୁ ଜଣାଇଥିଲେ। ପ୍ରଥମେ ପାନୀୟଜଳ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ କରାଯାଉଥିବା ବିଡିଓ ଶ୍ରୀ ପାଢୀ କହିଛନ୍ତି।ବିଭିନ୍ନ ଗଣମାଧ୍ୟମ ରେ ଏନେଇ ଖବର ପ୍ରକାଶନ ପରେ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇ ଦୁଇଟି ପାହାଡ ଓ ତିନୋଟି ନାଳ ଡେଇଁ ଚାଲିଚାଲି ବହୁକଷ୍ଟରେ ଗ୍ରାମରେ ପହଞ୍ଚିଥିଲେ। ନିଜେ ବିଡ଼ିଓ ଶ୍ରୀ ପାଢୀ ଗ୍ରାମବାସୀଙ୍କ ସମସ୍ୟା ବାବଦରେ ବୁଝିଥିଲେ। ସାମାଜିକ ସୁରକ୍ଷା ଯୋଜନାରେ ଜଣେ ବ୍ୟକ୍ତି ଭତ୍ତା ପାଇବାରୁ ବଞ୍ଚିତ ଥିବା ଜାଣିଥିଲେ। ପରେ ଉକ୍ତ ବ୍ୟକ୍ତି ଙ୍କ ଆବଶ୍ୟକ କାଗଜ ପତ୍ର ଆଣି ଭତ୍ତା ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ପ୍ରଥମେ ପାନୀୟ ଜଳ ସମସ୍ୟା ଦୁର କରାଯିବ। ପରେ ଅନ୍ୟ ସମସ୍ୟା ଗୁଡିକର ସମାଧାନ କରିବେ ବୋଲି ବ୍ଲକ ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ଗ୍ରାମର ଯୁବକ ମୃତ୍ୟୁଞ୍ଜୟ ପ୍ରଧାନ କହିଛନ୍ତି ।