ଭଞ୍ଜନଗର : ଯାଆଁଳା ବିକ୍ରି ଲକ୍ଷ୍ୟ ଦୁଇ ଗୁଣ।

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଚଳିତ ବର୍ଷ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ତେଣୁ ଧାନ ଏବଂ ମାଛ ଚାଷ ପାଇଁ ଚାଷୀମାନେ ତତ୍ପର ହେଲେଣି। ଚଳିତ ବର୍ଷ କେବଳ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ ଫାର୍ମ ମାଧ୍ୟମରେ ୭୦ କୋଟି ୩୦ ଲକ୍ଷ ମତ୍ସ୍ୟ ଯାଆଁଳ ବିକ୍ରି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଗତବର୍ଷ ତୁଳନାରେ ଏହା ଦୁଇଗୁଣ ହୋଇଛି। ବିଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ମତ୍ସ୍ୟ ଚାଷୀ ଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଯୋଗୁ ଏହାକୁ ଆଖି ଆଗରେ ରଖି ସରକାର ଯାଆଁଳ ବିକ୍ରି ଲକ୍ଷ୍ୟକୁ ଦୁଇଗୁଣ କରିଛନ୍ତି। କିନ୍ତୁ ସରକାର ଏବଂ ସରକାର ଅଧିନରେ ଥିବା ନିଗମ ଫାର୍ମ ଗୁଡ଼ିକର ଭିତ୍ତିଭୂମି ଠିକ ନାହିଁ। କର୍ମଚାରୀର ମଧ୍ୟ ଅଭାବ ରହିଛି। ଏହିଭଳି ରାଜ୍ୟର ପୁରାତନ ଭଞ୍ଜନଗର ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ରରେ ବର୍ତ୍ତମାନ ନିୟମିତ କର୍ମଚାରୀ ନାହାନ୍ତି। ଦୁଇଜଣ ଅଫିସର୍‌ ହିଁ ନିୟମିତ କର୍ମଚାରୀ ଅଛନ୍ତି । ଠିକା ଶ୍ରମିକ ଙ୍କୁ ନେଇ କାମ ଚାଲିଛି। ଗତବର୍ଷ ଏହି କେନ୍ଦ୍ରରୁ ୪ କୋଟି ୨୦ ଲକ୍ଷ ଯାଆଁଳ ବିକ୍ରି ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଚଳିତ ବର୍ଷ ତାହା ୮ କୋଟି ୫୫ ଲକ୍ଷ କରିଦିଆଯାଇଛି।ଗୋଟିଏ ପଟେ କର୍ମଚାରୀ ଅଭାବ ଅନ୍ୟପଟେ ଭିତ୍ତିଭୂମି ଠିକ ନାହିଁ। ତେଣୁ ଲକ୍ଷ୍ୟ କିଭଳି ପୂରଣ ହେବ ତାହାକୁ ନେଇ କର୍ମଚାରୀ ମାନେ ଦ୍ବନ୍ଦରେ ଅଛନ୍ତି। ସେହିଭଳି ରାଜ୍ୟରେ ସର୍ବମୋଟ ୭୦ କୋଟି ୩୦ ଲକ୍ଷ ଯାଆଁଳ ବିକ୍ରି ଲକ୍ଷ୍ୟ ଅଛି। ଏଥିସହ ବେସରକାରୀ ଫାର୍ମଗୁଡିକ ମଧ୍ୟ ଯାଆଁଳ ବିକ୍ରି କରନ୍ତି। ଗଞ୍ଜାମ ଜିଲାରେ ଭଞ୍ଜନଗର, ଘୋଡ଼ାଦାଣ୍ଡି, ଦୁବ, ପୋଲସରା, ଦିଗପହଣ୍ଡିରେ ସରକାରୀ ଓ ବେସରକାରୀ ଯାଆଁଳ ଉତ୍ପାଦନ କେନ୍ଦ୍ର ଅଛି ।

ସରକାରୀ ଫାର୍ମଗୁଡ଼ିକରେ ଆସନ୍ତା ସପ୍ତାହରୁ ଯାଆଁଳ ବିକ୍ରି ଲକ୍ଷ୍ୟ ରଖାଯାଇଥିବା ବେଳେ ବେସରକାରୀ ଫାର୍ମ ଗୁଡ଼ିକରେ ବର୍ତ୍ତମାନ ଯାଆଁଳ ବିକ୍ରି ଆରମ୍ଭ ହୋଇଗଲାଣି। ବର୍ଷା ଯୋଗୁ ପୋଖରୀଗୁଡ଼ିକରେ ଧୀରେ ଧୀରେ ପାଣି ଭର୍ତ୍ତି ହେଉଛି। କିନ୍ତୁ ଜଳଭଣ୍ଡାର ଗୁଡ଼ିକ ଏବେବି ଶୁଖିଲା ପଡ଼ିଛି। ତେଣୁ ମତ୍ସ୍ୟ ଚାଷ ଯେତିକି ଅଗ୍ରଗତି ହେବା କଥା ହୋଇପାରୁନାହିଁ।ଗଞ୍ଜାମ ଜିଲାରେ ପ୍ରାୟ ଏକ ଲକ୍ଷ ମତ୍ସ୍ୟଚାଷୀ ଏବଂ ମତ୍ସ୍ୟଜିବୀ ଅଛନ୍ତି। ସେମାନଙ୍କର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ଏନେଇ ଭଞ୍ଜନଗର ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ରର ଅବସରପ୍ରାପ୍ତ ପରିଚାଳକ ସରିଫ ଅହମ୍ମଦ ଏଠାରେ କହିଛନ୍ତି ଯେ ବର୍ତ୍ତମାନ ଯାଆଁଳ ଛାଡ଼ିବା ସମୟ ହୋଇଯାଇଛି । କିନ୍ତୁ ଲଗାଣ ବର୍ଷା ହେଲେ ଯାଆଁଳ ଛାଡ଼ିଲେ ପାଣି ସମସ୍ୟା ଆଉ ରହିବ ନାହିଁ। ମତ୍ସ୍ୟଚାଷ ଆଗ୍ରହ ଦେଇ କଲେ ଏଥିରୁ ଲାଭ ଅଧିକ ମିଳିବ। ତେଣୁ ଯୁବ ଚାଷୀ ମାନେ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।ଭଞ୍ଜନଗର ଯାଆଁଳ କେନ୍ଦ୍ରର ପରିଚାଳକ ସୁଧାଂଶୁ ଶେଖର ସାହୁ ଏଠାରେ କହିଛନ୍ତି ଯେ ସରକାର ଚାଷୀଙ୍କୁ ଯାଆଁଳ ଏବଂ ଦାନା କିଣିବା ପାଇଁ ୪୦ ରୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ ଦେଉଛନ୍ତି। ଏଥିସହ ମତ୍ସ୍ୟଜିବୀଙ୍କୁ ମଧ୍ୟ ବିଭିନ୍ନ ଛାଡ଼ ଦିଆଯାଇଛି। ସରକାରଙ୍କ ଲକ୍ଷ୍ୟକୁ ପୂରଣ ପାଇଁ ଚେଷ୍ଟା ଚାଲିଛି ବୋଲି ସାହୁ କହିଛନ୍ତି। ରାଜ୍ୟରେ ସରକାର ଓ ନିଗମ ଅଧିନରେ ପ୍ରାୟ ୧୨୫ ଟି ଫାର୍ମ ଅଛି। ସେଥିମଧ୍ୟରୁ ୫୯ ଟି ଫାର୍ମ ରେ ଯାଆଁଳ ବିକ୍ରି ଲକ୍ଷ୍ୟ ରଖାଯାଇଛି। ଅନ୍ୟପଟେ ସରକାରଙ୍କ ବିଭିନ୍ନ ଯୋଜନାରେ ପୋଖରୀ ଖୋଳିବା ସଂଖ୍ୟା ବଢ଼ିଛି। ଏହିଭଳି ଜିଲ୍ଲାରେ ମଧ୍ୟ ବଢ଼ିଛି। କିନ୍ତୁ ଲକ୍ଷ୍ୟ କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *