ଭଞ୍ଜନଗର : ଚିତା ବାଘ ଖାଇଗଲା ଛେଳି

ଭଞ୍ଜନଗର ୨୬/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବନ୍ୟପ୍ରାଣୀ ଯଥା ବାଘ, ଭାଲୁ, ହାତୀ, ବାର୍‌ହା ବିଭିନ୍ନ ସମୟରେ ଜଙ୍ଗଲ ବାହାରକୁ ଆସି ଲୋକଙ୍କ ଧନ ଜୀବନ କ୍ଷତି କରୁଛନ୍ତି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ବିଭିନ୍ନ ସମୟରେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏହିଭଳି ପରିସ୍ଥିତିରେ ବୁଧବାର ରାତିରେ ଏହି ବନଖଣ୍ଡର ମୁଜାଗଡ଼ ରେଞ୍ଜ ଦୁର୍ଗାପ୍ରସାଦ ତଳସାହିରେ ଚିତାବାଘ ଏକ ଛେଳି ଗୁହାଳରେ ପଶି ଗୋଟିଏ ଛେଳିକୁ ମାରି ଅଧା ଖାଇ ଚାଲି ଯାଇଥିଲା। ଏହି ଘଟଣା ଗୁରୁବାର ସକାଳେ ଜଣାପଡ଼ିବା ପରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଏହାପରେ ଖବରପାଇ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ ପ୍ରମୁଖ ଆଜି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ କ୍ଷତିଗ୍ରସ୍ତ ପରିବାରଙ୍କୁ କିଭଳି ସହାୟତା ମିଳିପାରିବ ସେନେଇ ଆବଶ୍ୟକ ପଦକ୍ଷେପ ବିଭାଗ ପକ୍ଷରୁ ନିଆଯାଇଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ, ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ବେଳେ ବେଳେ ଦିନ ବେଳେ ମଧ୍ୟ ଚିତାବାଘ ରାସ୍ତା ଉପରକୁ ଚାଲିଆସୁଛି। ଗତକାଲି ରାତିରେ ଘାଟି ତଳେ ଥିବା ଦୁର୍ଗାପ୍ରସାଦରେ ଏହି ଘଟଣା ଘଟିଛି। ଅପରପକ୍ଷେ ମଙ୍ଗଳବାର ରାତିରେ ଏହି ରେଞ୍ଜର ଦଦରାଲୁଣ୍ଡାରେ ହାତୀପଲ ଉପଦ୍ର ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ୨୪ ଟିକିଆ ହାତୀପଲ ଜଙ୍ଗଲରୁ ବାହାରି ଦୁର୍ଗାପ୍ରସାଦ ଗ୍ରାମ ନିକଟରେ ଥିବା ଦଦରଲୁଣ୍ଡା ଗ୍ରାମ ଭିତରେ ପଶି ଗୋଟିଏ ଗୋ’ଖାଦ୍ୟ ଗୋଦାମର କବାଟ ଭାଙ୍ଗି ପଶିଥିଲେ। ସେଠାରେ ଥିବା ଗୋଖାଦ୍ୟ ବସ୍ତାଗୁଡିକୁ ହାତୀପଲ ପାଦରେ ଦଳି ଶୁଣ୍ଢରେ ଏଣେ ତେଣେ ଫୋପାଡ଼ିବା ସହ ଖାଇ ନଷ୍ଟ କରିଥିଲେ। ଗତକାଲି ସକାଳୁ ଫ୍ୟାକ୍ଟ୍ରି ମାଲିକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଜାଣିବା ପରେ ବନ ବିଭାଗ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *