
ଭଂଜନଗର ୩୦/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): କାଠର ରଥ ନଥିବାରୁ, ଅଟୋ ରେ ବିଜେ କରାଇ ସମ୍ପନ୍ନ ହେଲା ରଥଯାତ୍ରା । ପ୍ରଥମେ ଶଗଡ଼ରେ ରଥଯାତ୍ରା ହେଉଥିଲା । ଏବେ ଶଗଡ଼ର ଅଭାବ ଯୋଗୁଁ, ଅଟୋରେ ରଥଯାତ୍ରା ଆୟୋଜନ କରାଯାଉଛି । ଗତ ୩୫ ବର୍ଷ ଧରି ଚାଲିଛି ଏଭଳି ବ୍ୟବସ୍ଥା । ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ମାଧବରିଡା ଗାଁ ରେ ଗତ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆୟୋଜିତ ହୋଇଥିଲା ଏଭଳି ରଥଯାତ୍ରା । ଏଠାରେ ଥିବା ତ୍ରିବେଣୀ ଆଶ୍ରମ ଠାରେ ରହିଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିର ର ସାଧୁସନ୍ଥଙ୍କ ତତ୍ବାବଧାନରେ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ହୋଇଥିଲା ଏଭଳି ଯାତ୍ରା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡିବିଜେ ପରେ, ସୁସଜ୍ଜିତ ଅଟୋ ରେ ବିଜେ କରାଇ, ମାଧବରିଡା ଗାଁ ପରିକ୍ରମା କରାଯାଇଥିଲା । ଗାଁର ପ୍ରତ୍ୟକ ଘର ଆଗରେ ପୂର୍ଣ୍ଣିକୁମ୍ଭ ରଖି, ପୂଜାର୍ଚ୍ଚନା କରାଯାଇଥିଲା । ରଥଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ସମେତ, ଗ୍ରାମବାସୀ ଅପେକ୍ଷା କରି ରହିଥିଲେ । କୁହାଯାଉଛି ରଥ ନିର୍ମାଣ ସକାଶେ କାଠ ନମିଳିବାରୁ ବାଧ୍ୟହୋଇ ଏଭଳି ରଥଯାତ୍ରା କରାଯାଉଥିବା ନେଇ ମଠାଧୀଶ ଚିଦାନନ୍ଦ ଦାସ୍ କହିଛନ୍ତି । ଗତ ୧୯୯୦ ମସିହାରେ ମାଧବରିଡା ଆନିକଟ୍ କୁ ଲାଗି ରହିଥିବା ତ୍ରିବେଣୀ ଆଶ୍ରମରେ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଯାହାକି ବଡନଦୀର ବନ୍ୟାପାଣି ରେ ଭାସିଭାସି ଯାଉଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ କାଠର ବିଗ୍ରହକୁ ବଙ୍କା ଗ୍ରାମର ଜଣେ ମହିଳା ଉଧାର କରିଥିଲେ । ଏବଂ ପରବର୍ତ୍ତୀ ସମୟରେ ତ୍ରିବେଣୀ ଆଶ୍ରମ କୁ ଆଣିଥିଲେ । ସେହିଦିନ ଠାରୁ, ଏଠାରେ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା ସହ ରଥଯାତ୍ରା ପାଳିତ ହୋଇ ଆସୁଛି । ହେଲେ କାଠର ରଥ ଟିଏ ହୋଇ ନପାରିବାରୁ ପ୍ରଥମେ ଶଗଡ଼, ଆଉ ଏବେ ଭଡ଼ା ଅଟୋରେ ରଥଯାତ୍ରା କରାଯାଉଛି । ବର୍ଷବର୍ଷ ଧରି ଏଭଳି ବ୍ୟତିକ୍ରମ ବ୍ୟବସ୍ଥା ଭିତରେ ପାଳିତ ହୋଇଆସୁଛି, ଏଠାକାର ରଥଯାତ୍ରା । ଅର୍ଥାଭାବ ଅଭାବ ହେତୁ, କାଠର ରଥ ଟିଏ ନିର୍ମାଣ ହୋଇପାରୁନଥିବା କୁହାଯାଉଛି । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ଭିତରେ କ୍ଷୋଭ ପ୍ରକାଶ ପାଉଥିବା ଜଣାପଡ଼ୁଛି ।