ପୁରୀ : ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ

ପୁରୀ ୩୦/୦୬ (ବଳରାମ ତ୍ରିପାଠି,ପୁରୀ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଜନ୍ମ ବେଦୀରେ ଦାରୁବ୍ରହ୍ମ। ଆଡପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚାଲିଛି ନୀତିକାନ୍ତି। ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ପ୍ରଥମ ଆଡ଼ପ ଅବଢ଼ା ଅର୍ପଣ ପରେ ଭକ୍ତ ପାଇଁ ବାହାରିଲା ଅବଢ଼ା। ସକାଳ ଧୂପରେ ୨୦ ହଜାର ଭକ୍ତଙ୍କ ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଆଡ଼ପ ଅବଢ଼ା ବ୍ୟବସ୍ଥା କରାଯାଇଛି। ଆସନ୍ତା ନବମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଆଡପ ଅବଢ଼ା ମିଳିବ । ଭକ୍ତମାନେ ଯେଭଳି ସୁବିଧାରେ ମହାପ୍ରସାଦ ସେବନ କରିପାରିବେ ସେନେଇ ଗୁଣ୍ଡିଚା ମନ୍ଦିର ଭିତରେ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି। ସେହିପରି ଅବଢ଼ା ଦର ଯେଭଳି ଚଢ଼ା ନ ହେବ ସେଦିଗରେ ନିଯୋଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। କୌଣସି ଭକ୍ତ ଅବଢ଼ା କିଣୁଥିବା ବେଳେ ଯଦି ଠକାମୀର ଶିକାର ହୁଅନ୍ତି ତେବେ ଅଭିଯୋଗ କରିପାରିବେ।ସେପଟେ ଆଜି ବନକଲାଗି ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ । ରାତି ୯ରୁ ରାତି ୨ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସକାଳୁ ସକାଳୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଆଡ଼ପ ଦର୍ଶନ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ଦୁଇଟି ଧାଡ଼ିରେ ବ୍ୟାରିକେଡରେ ଯାଇ ଆଡ଼ପ ଦର୍ଶନ କରି କୃତାର୍ଥ ହେଉଛନ୍ତି ।

Leave a Reply

Your email address will not be published. Required fields are marked *