ଭଞ୍ଜନଗର : ୩ ଛେଳିକୁ ବାଘ ଆକ୍ରମଣ ଅଭିଯୋଗ

ଭଞ୍ଜନଗର,୦୩/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ଅଞ୍ଚଳରେ ପୁଣି ବାଘ ଛେଳିକୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ତେବେ ଏହା ବାଘ ନା ଅନ୍ୟ କୌଣସି ଜଙ୍ଗଲର ହିଂସ୍ରଜନ୍ତୁର ଦ୍ବାରା ହୋଇଛି ତାହା ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନଥିବା ବେଳେ ଖବର ପାଇ ବିଭାଗୀୟ ଅଧିକାରୀ ଘଟଣାର ଛାନଭିନ ଚଳାଇଥିଲେ ମଧ୍ୟ କୌଣସି ଟେର ପାଇ ପାରିନଥିବା ପ୍ରକାଶ କରିଛନ୍ତି। ଗତମାସ ୨୫ ତାରିଖ ଦିନ ମୁଜାଗଡ ବନାଞ୍ଚଳର ଦରପଙ୍ଗିଆ ଗ୍ରାମର ଚିତୁନ ଦିଗାଲଙ୍କ ଘର ନିକଟରେ ରହିଥିବା ଗୁହାଳରୁ ଛେଳିକୁ ଗୋଟିଏ ବାଘ ଆକ୍ରମଣ କରି ମାରିଥିବା ଅଭିଯୋଗ ହୋଇଥିବା ବେଳେ ମଙ୍ଗଳବାର ରାତିରେ ଏହି ଗ୍ରାମ ଠାରୁ କିଛି ଦୂର ନବଗୋଚ୍ଛା ଗ୍ରାମରେ ୨ଟି ଛେଳିକୁ ଆକ୍ରମଣ କରି ମାରିବା ସହ ଗୋଟିଏ ଛୁଆ ଛେଳିକୁ ନେଇ ଜଙ୍ଗଲ ଭିତରକୁ ପଳାଇଥିବା ଅଭିଯୋଗ ଆସିଛି। ଏହାପରେ ସ୍ଥାନୀୟ ଇଲାକାରେ ଜନସାଧାରଣ ଏକ ପ୍ରକାର ଭୟରେ ରହୁଥିବା ପ୍ରକାଶ କରିଛନ୍ତି। ଗତ ପ୍ରାୟ ଏକ ବର୍ଷ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ଓ ଦକ୍ଷିଣ ଘୁମୁସର ବନଖଣ୍ଡର ବିଭିନ୍ନ ସ୍ଥାନରେ ଏକ ମହାବଳ ବାଘ ଘୂରି ବୁଲିବା ସହ ଗୃହପାଳିତ ପଶୁଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଥିବା ବେଳେ ଚାରିଆଡେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହାପରେ ଦୀର୍ଘ ଏକ ବର୍ଷ ହେଲା ସେଭଳି କୌଣସି ଘଟଣା ସାମ୍ନାକୁ ଆସିନଥିବା ବେଳେ ଗତମାସରେ ପୁଣି ଗୁହାଳୁ ଛେଳିକୁ ଆକ୍ରମଣ କରି ହତ୍ୟା ଅଭିଯୋଗ ସାମ୍ନାକୁ ଆସୁଛି। କାନବିନ୍ଧା ଗ୍ରାମର ବିକ୍ରମ ଦିଗାଲଙ୍କ ଗୁହାଳରେ ୨ଟି ଛେଳିକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଟିକିମା ଦିଗାଲଙ୍କ ଗୋଟିଏ ଛୁଆ ଛେଳିକୁ ଟାଣି ନେଇଥିବା ଅଭିଯୋଗ ଆସିଛି। ଖବର ପାଇଁ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ ଓ ବନପାଳ ଅଭିମନ୍ୟୁ ମଳିକ ଘଟଣାସ୍ଥଳରେ ପହଞ୍ଚି ମୃତ ଛେଳିର ବ୍ୟବଚ୍ଛେଦ ବ୍ୟବସ୍ଥା କରିବା ସହ ଘଟଣାସ୍ଥଳରେ ପଡିଥିବା ହିଂସ୍ରଜନ୍ତୁର ଛୋଟ ପାଦ ଚିହ୍ନକୁ ଦେଖି ଅନୁଧ୍ୟାନ କରିଥିଲେ। ଏନେଇ ରେଞ୍ଜର ଶ୍ରୀ ସାହୁ କହିଛନ୍ତି ଯେ, ଏଭଳି ଅଭିଯୋଗ ଆସିବା ପରେ ଜଙ୍ଗଲର ବିଭିନ୍ନ ସ୍ଥାନରେ ୮ଟି ଟ୍ରାପ୍ କ୍ୟାମେରା ଲଗାଯାଇଥିଲେ ମଧ୍ୟ କୌଣସି ଚିତ୍ର ସେଥିରେ ଆସିନାହିଁ। ଏହା କଲରାପତରିଆ କିମ୍ବା ହେଟା ବାଘ ଭଳି ଅନ୍ୟ କୌଣସି ହିଂସ୍ରଜନ୍ତୁ ଏଭଳି ଆକ୍ରମଣ କରିଥାଇ ପାରେ ବୋଲି କହିଛନ୍ତି। ତଥାପି ବିଭାଗୀୟ କର୍ମଚାରୀ ଘଟଣା ଉପରେ ନଜର ରଖିଥିବା ସେ କହିଛନ୍ତି। ଲୋକଙ୍କୁ ସର୍ତ୍ତକତା ଅବଲମ୍ବନ କରିବା ସହ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *