ମୁଁ ଓ ମୌସୁମୀ

ମୁଁ ତ ଆଜୀବନ ନିଃସଙ୍ଗତା ଭୋଗେ,
କ୍ରୂର କୋଳାହଳକୁ ଅକ୍ଳେଶରେ ଲଙ୍ଘି
ନିରବତାର ଶପ ପାରି ଶୁଏ
ଉଆଁସରେ ତାରା ଗଣି ଗଣି ।

ନିର୍ବାଣ ପ୍ରାପ୍ତି ପରେ
ଶାନ୍ତିରେ ଶୋଇଥୁବା ଉଦାର ମରୁକୁ
ହୃଦୟରେ ବୋହି
ବାହୁଥାଏ ମୌସୁମୀର ସବୁତକ ଛିଟା
ଛେଁ ଛା ଶବ୍ଦରେ ସ୍ତମ୍ଭୀଭୂତ
ଧ୍ୟାନମଗ୍ନ, ନିରୁଦବିଗ୍ନ ତତଲା ତାଓ୍ବାରେ ।

କର୍କଶତାରେ ବି ଥାଇପାରେ
ରୋଗିଣା ରାଗିଣୀଟିଏ
ଘର୍ଘରତାରେ ବି ଶୁଭିପାରେ
ଘାତକ ଘୁଙ୍ଗୁରର ଶବ୍ଦ
କାହା ଫଟା ବଇଁଶୀର ବେସୁରା ସୁର ବି
ତୋଳିପାରେ ଜୀବନରେ
ତାଳ ବେତାଳର ବିରହ ବିଳାପ ।

ଭୈରବର କିଳିକିଳା ଶବ୍ଦରେ
ଯେଉଁଠି ତାବଡ଼ା ପଡେ କାନ
ମେଘ ଓ ମେଘର ପ୍ରତିସ୍ପର୍ଦ୍ଧା ଲଢେଇରେ
ଫୁଟିଯାଏ ଚାତକ ନୟନ
ରଙ୍ଗ ସବୁ ଧୋଇଗଲା ପରେ
କଷ ଗାମୁଛାରେ କି ଥାଏ ଆଉ
କାନ୍ଦୁଥୁବା କାନ୍ଧଟିର ମନ ।

ମୌସୁମୀ ଯାଉ ତା ବାଟରେ
ଅନୂଢ଼ା ଯୌବନକୁ ଧରି
ମୁଁ ବାଡ଼ ପକେଇ ବସିଥାଏ ସେମିତି
ଦୁର୍ଦ୍ଦିନର ମେରିଖୁଣ୍ଟକୁ ଆଉଜି
ଆନମନା ମନର ମୂର୍ଚ୍ଚନା ଉସେଇଁ ।

ଡ଼ ଦୀପକ କୁମାର ମିଶ୍ର
SDPO, ଭଞ୍ଜନଗର

Leave a Reply

Your email address will not be published. Required fields are marked *