
ଭଞ୍ଜନଗର ୦୭/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଶିଳ୍ପ ଶୂନ୍ୟ ଗଞ୍ଜାମ ଜିଲ୍ଲାବାସୀଙ୍କ ମୁଖ୍ୟ ଜୀବିକା ଚାଷ। ଏହି ଜିଲ୍ଲାର କୃଷି ଓ କୃଷକର ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ଚାଷୀଙ୍କୁ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମେତ ବୈଜ୍ଞାନିକ ପରାମର୍ଶ ଦେବା ପାଇଁ ଆବଶ୍ୟକ କର୍ମଚାରୀ ନଥିବାରୁ ଚାଷୀ ଚିନ୍ତାରେ। ସେମିତି କିଛି ଦେଖିବାକୁ ମିଳିଛି ଭଞ୍ଜନଗର କୃଷି ଜିଲ୍ଲାରେ । କୃଷି ଜିଲାରେ ମୋଟ ୮୯ଟି ପଦବୀରୁ ୫୩ଟି ପଦବୀ ଖାଲି ପଡିଛି। ଗୋଟିଏ ବ୍ଲକରେ କୃଷି ଅଧିକାରୀ ପଦବୀ ଖାଲି ପଡିଥିବା ବେଳେ ସହକାରୀ କୃଷି ଅଧିକାରୀ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ସେହିଭଳି ୨ ଟି ସହକାରୀ କୃଷି ଅଧିକାରୀ ଓ ୩ ଟି କୃଷି ଓଭରସିୟର ଏବଂ ୪୦ ଟି ଗ୍ରାମ୍ୟ କୃଷି କର୍ମଚାରୀ ପଦବୀ ଦୀର୍ଘଦିନ ହେବ ଖାଲି ପଡିଥିଲେ ମଧ୍ୟ ପଦବୀ ପୁରଣ ଦିଗରେ ସରକାରଙ୍କ ଦୃଷ୍ଟି ପଡୁନି । ଯାହା ଫଳରେ ବୈଜ୍ଞାନିକ ପରାମର୍ଶକୁ ଆଧାର କରି କ୍ଷେତରେ ସୁନାର ଫସଲ ଫଳାଇବାକୁ ଆଶା ବାନ୍ଧିଥିବା ଚାଷୀକୁ ଭଗବାନଙ୍କ ଭରସାରେ ରହିବାକୁ ପଡ଼ୁଛି ।ବର୍ତ୍ତମାନ ସମୟରେ ଖରିଫ୍ ଚାଷ କାମ ଆରମ୍ଭ ହୋଇ ଯାଇଛି।ହେଲେ ଆବଶ୍ୟକ କୃଷି କର୍ମଚାରୀ ନ ଥିବାରୁ ଚାଷୀ ବୈଜ୍ଞାନିକ ପରାମର୍ଶ ସହ ଆବଶ୍ୟକ ସୂଚନା ପାଇପାରୁନି। କୃଷି ଜିଲାରେ ବର୍ତମାନ ୫୮ ଜଣ କ୍ଷେତ୍ର କର୍ମଚାରୀ ଙ୍କ ସ୍ଥାନରେ ମାତ୍ର ୧୮ ଜଣ କାର୍ଯ୍ୟ କରୁଛନ୍ତି। ବର୍ତମାନ ବୁଗୁଡ଼ାରେ ବ୍ଲକ କୃଷି ଅଧିକାରୀ ପଦବୀ ଖାଲି ଥିବା ବେଳେ ଚଳିତ ସପ୍ତାହ ରେ ଜଗନାଥପ୍ରସାଦ ଓ ବେଲଗୁଣ୍ଠାରେ ଏହି ପଦବୀ ଖାଲି ପଡୁଛି।ସେଠାରେ ସହକାରୀ କୃଷି ଅଧିକାରୀ ଅତିରିକ୍ତ ଦାୟିତ୍ଵ ତୁଲାଉଛନ୍ତି। ସେହିଭଳି ୪ଟି ବ୍ଲକ ପାଇଁ ୯ ଜଣ ସହକାରୀ କୃଷି ଅଧିକାରୀ ଙ୍କ ସ୍ଥାନରେ ୭ଜଣ କାମ କରୁଥିବା ବେଳେ ବିଡିପୁର ଓ ବୁଗୁଡାରେ ଏହି ପଦବୀ ଖାଲି ପଡିଛି।ସେହିଭଳି ୬ଜଣ କୃଷି ଓଭରସିୟରଙ୍କ ସ୍ଥାନରେ ୩ଜଣ କାମ କରୁଥିବା ବେଳେ ଭଞ୍ଜନଗରର କୁଲାଡ, ଜଗନ୍ନାଥପ୍ରସାଦର କୋକୋଳବା ଓ ବେଲଗୁଣ୍ଠାର କ୍ଷେତ୍ରୀୟବରପୁରରେ ଏହି ପଦବୀ ଖାଲି ପଡିଛି।ସେହିଭଳି ତୃଣମୂଳ ସ୍ତରରେ ସମସ୍ତ ସରକାରୀ ଯୋଜନାର ପ୍ରଚାର ପ୍ରସାର ସହ ଚାଷୀଙ୍କୁ ନୁତନ ଜ୍ଞାନ କୌଶଳ ବାବଦରେ ପରାମର୍ଶ ଦେବା ପାଇଁ ୫୮ ଜଣ ଗ୍ରାମ୍ୟ କୃଷି କର୍ମଚାରୀ ଙ୍କ ଆବଶ୍ୟକ ଥିବା ବେଳେ ମାତ୍ର ୧୮ ଜଣ କର୍ମଚାରୀ ୪ଟି ବ୍ଲକରେ କାମ କରୁଛନ୍ତି। ସେଥିମଧ୍ୟରୁ ଭଞ୍ଜନଗର ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୧୫ ଜଣ ଗ୍ରାମ୍ୟ କୃଷି କର୍ମଚାରୀ ଆବଶ୍ୟକ ଥିବା ବେଳେ ୪ ଜଣ କର୍ମଚାରୀ ଚାଷୀଙ୍କ ଭଲ ମନ୍ଦ ବୁଝୁଛନ୍ତି । ଏଠାରେ ୧୧ଟି ଭିଏଡବ୍ଲ୍ୟୁ ପଦବୀ ଖାଲି ପଡିଛି। ସେହିଭଳି ବେଲଗୁଣ୍ଠା ବ୍ଲକର ୧୮ ପଞ୍ଚାୟତ ପାଇଁ ୧୧ ଜଣ ଭିଏଡବ୍ଲ୍ୟୁ ଆବଶ୍ୟକ ଥିବା ବେଳେ ମାତ୍ର ୫ ଜଣ ଚାଷୀଙ୍କ ଭଲମନ୍ଦ ବୁଝୁଛନ୍ତି। ଏଠାରେ ମଧ୍ୟ ୬ଟି ଭିଏଡବ୍ଲ୍ୟୁ ପଦବୀ ଖାଲି ପଡିଛି। ସେହିପରି ଜଗନ୍ନାଥପ୍ରସାଦ ବ୍ଲକର ୨୫ ପଞ୍ଚାୟତ ପାଇଁ ୧୮ ଜଣ ଭିଏଡବ୍ଲ୍ୟୁଙ୍କ ଆବଶ୍ୟକ ଥିବା ବେଳେ ଏଠାରେ ୬ ଜଣ କର୍ମଚାରୀ କାମ କରୁଛନ୍ତି। ଏଠାରେ ୧୨ଟି ପଦବୀ ଖାଲି ପଡିଛି ।
ସେହିଭଳି ବୁଗୁଡା ବ୍ଲକର ୨୧ ପଞ୍ଚାୟତ ପାଇଁ ୧୪ ଜଣ ଭିଏଡବ୍ଲ୍ୟୁଙ୍କ ଆବଶ୍ୟକ ଥିବା ବେଳେ ଏଠାରେ ୩ ଜଣ କାମ କରୁଛନ୍ତି। ଏଠାରେ ମଧ୍ୟ ୧୧ ଟି ପଦବୀ ଖାଲି ପଡିଛି।ଏହା ସହ କୃଷି ଜିଲାରେ ଦୁଇଟି ବରିଷ୍ଠ କିରାଣୀ, ଗୋଟିଏ ଲେଖାଏଁ ପିଅନ,ରାତ୍ର ଜଗୁଆଳି, ପ୍ଲାଣ୍ଟ ପ୍ରୋଟେକ୍ସନ ଆସିଷ୍ଟାଣ୍ଟ, କନିଷ୍ଠ କିରାଣି ଓ ଡ୍ରାଇଭର ପଦବୀ ଖାଲି ପଡିଛି। କୃଷି ବିଭାଗରେ କର୍ମଚାରୀ ଓ ଅଧିକାରୀଙ୍କ ସଙ୍କଟ ଯୋଗୁ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଫଳ କାର୍ଯ୍ୟକାରିତାରେ ବାଧା ସୃଷ୍ଟି ହେଉଛି । ଏହା ସହ ପିଏମ୍ କିଷାନ, କାଳିଆ, କୃଷକ ପୋର୍ଟାଲ, କୃଷକ ରେଜିଷ୍ଟ୍ର ଭଳି ବିଭିନ୍ନ କାର୍ଯ୍ୟ କୃଷି କର୍ମଚାରୀଙ୍କ ଉପରେ ନ୍ୟସ୍ତ ଥିବାରୁ ସେମାନେ ଚାଷୀଙ୍କୁ ସମୟ ଦେଇପାରୁ ନାହାନ୍ତି। ସରକାର ଆବଶ୍ୟକ ପଦବୀ ପୁରଣ ଦିଗରେ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ଉଠିଛି ।