
ଜଗନ୍ନାଥ ପ୍ରସାଦ : ୧୧/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନ ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ପଞ୍ଚଭୂତି ବିଟ ହାଉସ ଯାତ୍ରାକୁମୁଟି ଗ୍ରାମ ନିକଟ କାଜୁ ତୋଟାରେ ଗତ ୭ରିଖ ମଧ୍ୟରାତ୍ରରେ ଏକ କୃଷ୍ଣସାର ମୃଗର ମୃତ୍ୟୁ ଘଟିଛି l ତେବେ ମୃଗର ମୃତ୍ୟୁ ସ୍ୱାଭାବିକ ନ ଥିବା ଜଣାପଡିବା ପରେ ପଞ୍ଚଭୂତି ବନପାଳ ପଲ୍ଲବୀ ନନ୍ଦକୁ ବନଖଣ୍ଡ ଅଧିକାରୀ ବିପାଷା ପାରୁଲ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ କରିଛନ୍ତି l ଖବର ନେବାରେ ଜଣାପଡୁଛି ଗତ ୭ରିଖ ମଧ୍ୟ ରାତିରେ ପଞ୍ଚଭୂତି ନିକଟ ଯାତ୍ରାକୁମୁଟି କାଜୁତୋଟାରେ କିଛି ବଣ୍ୟଜନ୍ତୁ ଶିକାରୀ ବିଦ୍ୟୁତତାର ବିଛାଇ ବିରଳ କୃଷ୍ଣସାର ମୃଗ ଶିକାର କରିଥିଲେ l ମୃଗଟି ବିଦ୍ୟୁତ ସଂସ୍ପର୍ଶ ରେ ଆସିବା ଯୋଗୁଁ ଅଞ୍ଚଳରେ ବିଦ୍ୟୁତ କଟି ଯାଇଥିଲା l ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ଖୋଜାଖୋଜି ପରେ ଶିକାର ଉଦ୍ୟେଶ୍ୟରେ ବିଚାଯାଇଥିବା ତାର ଗୁଡିକୁ ସଂଗ୍ରହ କରି ବନପାଳକୁ ଡାକି ବିଦ୍ୟୁତ ଉପକରଣ ଓ ମୃତ୍ୟୁ କୃଷ୍ଣ ସାର ମୃଗ ହସ୍ତାନ୍ତର କରି ବିଦ୍ୟୁତ ସଂଯୋଗ କରି ଚାଲି ଯାଇଥିଲେ l ତେବେ ବନପାଳ ପଲ୍ଲବୀ ନନ୍ଦ ଏ ନେଇ ଉପରସ୍ଥ ଅଧିକାରୀଙ୍କୁ କୌଣସି ସୂଚନା ନ ଦେଇ ତରବରିଆ ଭାବେ କର୍ମଚାରଙ୍କୁ ଲଗାଇ ଗାତ ଖୋଲି ପୋତି ଦେଇ କାମ ସରିଗଲା ଭାବି କାର୍ଯ୍ୟାଳୟକୁ ଫେରି ଆସିଥିଲେ l ସକାଳ ପାଇବା ପରେ ତୁଣ୍ଡ ବାଇଦ କରି ଏ ଖବର ଚାରିଆଡେ ପ୍ରସାର ହେବା ସହ ଭିଡ଼ିଓ ଭାଇରଲ ହୋଇଥିଲା l ସତ୍ୟସତ୍ୟର ଅନୁ ସନ୍ଧାନ ପାଇଁ ବନବିଭାଗ ଅଧିକାରୀଗଣ ପଞ୍ଚଭୂତିରର ବନପାଳଙ୍କୁ ସାଙ୍ଗରେ ଧରୀ ଘଟଣା ସ୍ଥଳରେ ପହଂଚି ଥିଲେ l ସେଠାରେ ପୋତା ଯାଇଥିବା ମୃଗର ଶବକୁ ଖୋଳି ବାହାର କରିବା ସହ ସ୍ଥାନୀୟ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଧିକାରୀ ଡାକ୍ତର ନିହାର ରଞ୍ଜନ ସାମନ୍ତରାୟଙ୍କୁ ଡକାଇ କୃଷ୍ଣସାର ମୃଗର ବ୍ୟବଛେଦ କରାଇଥିଲେ l ତେବେ ମୃତ୍ୟୁ ମୃଗଟିର ବୟସ ଚାରି ବର୍ଷ ଓ ସେ ଗର୍ଭବତୀ ଥିବା ଡାକ୍ତର ସାମନ୍ତରାୟ ସୂଚନା ଦେଇଛନ୍ତି l ଅନ୍ୟ ପକ୍ଷରେ ଏ ନେଇ ବୁଗୁଡ଼ା ବନାଞ୍ଚଳ କାର୍ଯ୍ୟାଳୟରେ ଅପମୃତ ମାମଲା ୩/୨୫ ଓ ୨୬ ପ୍ରକାରେ ଏକ ମାମଲା ରୁଜୁ ହୋଇ ଶିକାରୀଙ୍କୁ ଚିନ୍ହଟ କରି ଗିରଫ କରାଯିବା ପାଇଁ ପ୍ରଚେଷ୍ଟା ଜାରି ରହିଛି l କାର୍ଯ୍ୟରେ ଅବହେଳା ଓ ସୁରକ୍ଷାର ଢିଲାପଣ ଯୋଗୁଁ ଗଞ୍ଜାମ ଗୌରବ ବିରଳ କୃଷ୍ଣସାର ମୃଗର ମୃତ୍ୟୁ ହୋଇଥିବା ଅନୁଭବ କରି ଅଧିକାରୀ ପାରୁଲ ପଞ୍ଚଭୂତିରେ କାର୍ଯ୍ୟରତ ବନପାଳ ପଲ୍ଲବୀ ନନ୍ଦକୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ସୂଚନା ଦେଇଛନ୍ତି l