
ଭଞ୍ଜନଗର ୧୯/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଲୋକଙ୍କ ହାତପାହାନ୍ତାରେ ମିଳିବ ବ୍ୟାଙ୍କ୍ ସେବା। ଲୋକେ ଆର୍ଥିକ ସଶକ୍ତ ହେବେ। ଟଙ୍କା ନେଣଦେଣ ଠାରୁ ଋଣ ପାଇବା ପର୍ଯ୍ୟନ୍ତ, କେହି ହଇରାଣ ହରକତ ହେବେନି। ଏ ହେଉଛି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ଲୋଗାନ୍। ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ପଞ୍ଚାୟତରେ ଆଜି ବି ବ୍ୟାଙ୍କ ସେବା ଅପହଞ୍ଚ ହୋଇ ପଡୁଛି। ଉପଖଣ୍ଡରେ ଅଦ୍ୟାବଧି ୧୩୨ ପଞ୍ଚାୟତରେ ବ୍ୟାଙ୍କ୍ ସୁବିଧା ନାହିଁ। ଫଳରେ ଉପାନ୍ତ ଓ ସହର ଠୁ ଦୁରରେ ବସବାସ କରୁଥିବା ଜନସାଧାରଣ ବ୍ୟାଙ୍କିଙ୍ଗ ସେବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାନୁସାରେ, ଉପଖଣ୍ଡର ଆସିକା ବ୍ଲକ୍ର ୨୧, ବେଲଗୁଣ୍ଠାର ୧୦,ଭଞ୍ଜନଗରର ୧୫,ବୁଗୁଡ଼ାର ୧୫, ଧରାକୋଟର ୧୫,ଜଗନ୍ନାଥପ୍ରସାଦର ୧୭, ଶେରଗଡ଼ର ୧୫ ଓ ସୋରଡ଼ା ବ୍ଲକ୍ର ୨୪ ପଞ୍ଚାୟତରେ ଆଜିବି ବ୍ୟାଙ୍କ୍ ଶାଖା ନାହିଁ। ଏସବୁ ଅଞ୍ଚଳରେ ଲୋକେ ଆର୍ଥିକ ଦେଣନେଣ ଲାଗି ସମସ୍ୟା ଭୋଗୁଛନ୍ତି । ଖାସ୍ କରି ଉପାନ୍ତ ଗ୍ରାମାଞ୍ଚଳରେ ସ୍ଥିତି ସଙ୍ଗିନ୍ ହୋଇ ପଡୁଛି। ଲୋକେ କେଉଁଠି ଜନସେବା କେନ୍ଦ୍ର ତ କେଉଁଠି ଡାକଘର ଉପରେ ନିର୍ଭର କରି ଟଙ୍କା ନେଣଦେଣ କରୁଛନ୍ତି । ଅନେକ ଛୋଟ ଗାଁରେ ଗରିବ ଓ ମଧ୍ୟବିତ୍ତ ଲୋକେ ସହରକୁ ଆସି ବ୍ୟାଙ୍କ୍ ଖାତା ଖୋଲୁଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ ଗାଁ ଗଣ୍ଡାରେ ସାହୁକାର ଓ ମହାଜନ ଏହାର ଫାଇଦା ନେଉଥିବା ଅନେକ ସମୟରେ ଶୁଣିବାକୁ ମିଳୁଛି। ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ଏନେଇ ଏକ ତଥ୍ୟ ବିଧାନସଭାରେ ଉପସ୍ଥାପନ କରିଥିଲେ। ଯେଉଁଥିରେ ଗଞ୍ଜାମ ଜିଲ୍ଲାର ଏହି ବିକଳ ଚିତ୍ର ପଦାରେ ପଡ଼ିଥିଲା ।
ଗତ ମାର୍ଚ୍ଚ ୨୫ରେ ଜିଲ୍ଲା ବ୍ୟାଙ୍କ୍ ପରାମର୍ଶଦାତା କମିଟି ବୈଠକରେ ଏନେଇ ଉଦ୍ବେଗ ପ୍ରକାଶ ପାଇଥିଲା। ଅପହଞ୍ଚ ଇଲାକାରେ ବ୍ୟାଙ୍କ୍ ସେବା ସୁନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ । ଲୋକେ ଯେପରି ବ୍ୟାଙ୍କ ସେବାରୁ ବଞ୍ଚିତ ନ ହୁଅନ୍ତି, ତାହା ଦେଖିବାକୁ ସେ ଲିଡ୍ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ। ଗଞ୍ଜାମ ସହ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ସୁଦୂର ଗୁଜରାଟ ବ୍ୟାବସାୟିକ ଭାବେ ଅଙ୍ଗାଙ୍ଗୀ ଜଡ଼ିତ। ଦାଦନପ୍ରବଣ ଭାବେ ଗଞ୍ଜାମ ବଦନାମ ହୋଇଥିଲେ ବି ବାହାର ରାଜ୍ୟକୁ ପେଟ ପୋଷିବାକୁ ଯାଉଥିବା ଲୋକେ ବିଶେଷ ଭାବେ ଗ୍ରାମାଞ୍ଚଳର ଆର୍ଥିକ ଅନୁନ୍ନତ ଶ୍ରେଣୀର ଏହି ଲୋକେ ଘରକୁ ବ୍ୟାଙ୍କ୍ ଖାତାରେ ଟଙ୍କା ପଠାଇବାକୁ ଚାହିଁଲେ ବି ସମ୍ଭବ ହୋଇ ନଥାଏ । ଯଦି କେହି ଟଙ୍କା ପଠାଏ, ନିଜ ପଞ୍ଚାୟତରେ ବ୍ୟାଙ୍କ ଶାଖା ନଥିବାରୁ ସେମାନେ ଟଙ୍କା ଉଠାଇବାକୁ ଅତି କମ୍ରେ ୧୦ କିଲୋମିଟର ଗାଡ଼ି ଭଡ଼ା କରି ଆସିବାକୁ ପଡେ। ନଚେତ୍, ଅନ୍ୟ କାହା ପାଖକୁ ପଠାଇ ଘର ପାଖେ ପହଞ୍ଚାଇବେ। ଏ କାରବାରରେ ଅନେକ ସମୟରେ ମଧ୍ୟସ୍ଥି କମିସନ୍ ଖାଇଯାଏ ବୋଲି କୁହାଯାଏ । ତେଣୁ ସେ ଦାଉରୁ ମୁକ୍ତି ଲାଗି ପ୍ରତି ପଞ୍ଚାୟତରେ ବ୍ୟାଙ୍କ୍ ଶାଖା ଖୋଲିବା ଜରୁରି ହୋଇଛି। ବ୍ୟାଙ୍କ୍ ଶାଖା ନଥିବା ପଞ୍ଚାୟତରେ ବ୍ୟାଙ୍କ୍ ମିତ୍ର ଓ ପ୍ରତିନିଧି (ବିସି) ପହଞ୍ଚି ଲୋକଙ୍କୁ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସୁବିଧା ସହ ନୂଆ ଖାତା ଖୋଲାଇବାକୁ ସଚେତନ କରାଉଥିବା ଜଣାପଡିଛି ।