
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ ୧୨ ତାରିଖ ଦିନ ହୋଇଥିବା ୱେବ ସାମ୍ବାଦିକଙ୍କୁ ହତ୍ୟା ଘଟଣାର ପର୍ଦାଫାସ କରିଛି ପୋଲିସ । ଜିଲ୍ଲାରେ ଏହା ପ୍ରଥମ କରି ଘଟିଥିବାରୁ ପୋଲିସ ପାଇଁ ଚ୍ୟାଲେଞ୍ଜିଂ ହୋଇଥିଲା । ଅନ୍ୟଦିଗରେ ସମ୍ବାଦିକ ସଂଘ ପକ୍ଷରୁ ବାରମ୍ବାର ପୋଲିସ ଉପରେ ମଧ୍ୟ ଚାପ ପ୍ରୋୟଗ କରାଯାଉଥିଲା। ଅତିରିକ୍ତ ଏସପି ରଶ୍ମିରଂଜନ ସେନାପତିଙ୍କ ନେତୃତ୍ବରେ ଡିଏସପି ଆର.ପ୍ରଧାନ, ମୋଟୁ ଆଇଆଇସି ଅର୍ଜୁନ କଅଁରକୁ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରି ଏହାର ତଦନ୍ତ କରାଯାଉଥିଲା । ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହି ତଦନ୍ତରୁ ଜଣାପଡିଥିଲା ଯେ ଅଭିଯୁକ୍ତମାନେ କେଉଁଠାକୁ ଯାଇ ଲୁଚିଛନ୍ତି । ସବୁ ଦିଗକୁ ତଦନ୍ତ କରିବା ପରେ ପୋଲିସ ଜାଣିପାରିଥିଲା ଅଭିଯୁକ୍ତମାନେ ହାଇଦ୍ରାବାଦରେ ଯାଇ ଲୁଚିଛନ୍ତି । ତୁରନ୍ତ ଏହି ଟିମ ହାଇଦ୍ରାବାଦ ଯାଇ ଦୁଇ ହତ୍ୟାକାରୀଙ୍କୁ ଗିରଫ କରି ଆଣି ଆଜି କୋର୍ଟ ଚାଲାଣ କରିଥିବା ନେଇ ଏସପି ବିନୋଦ ପାଟିଲ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । ହତ୍ୟାକାରୀ ଦୁଇ ଜଣ ହେଲେ ମୋଟୁ ଥାନା ଅଂଚଳର ଏମଭି-୭୫ ଗ୍ରାମର ସୁକୁମାର ରାୟ (୨୫) ଏବଂ ଏମପିଭି-୮୨ ଗ୍ରାମର କୋଙ୍କଣ ଜୋରଦାର (୨୧)।ସାମ୍ବାଦିକ ସମ୍ମିଳନୀରେ ମାଲକାନାଗିରି ଏସପି ବିନୋଦ୍ ପାଟିଲଙ୍କ ଅନୁଯାୟୀ, “ଗତ ୧୨ ତାରିଖ ଦିନ ମୋଟୁ ଥାନା ଠାରୁ ମାତ୍ର ୯ କିଲୋମିଟର ଦୁରରେ ରହିଥିବା ମୁରଲିଗୁଡାରେ ଦୁଇ ହତ୍ୟାକାରୀ ସୁକୁମାର ଏବଂ କୋଙ୍କଣ ଆଗରୁ ଠିଆ ହୋଇଥିଲେ । ଯେତେବେଳେ ସିଏଚ ନରେଶ ସମେତ ଅନ୍ୟ ଚାରି ଜଣ ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଉଥିଲେ ସେତେବେଳେ ଗାଡିକୁ ଅଟକାଇ ଏମାନେ ଅତର୍କିତ ଆକ୍ରମଣ କରିଥିଲେ । ସିଏଚ ନରେଶଙ୍କ ବାମ ହାତରେ ଖଣ୍ଡା ବାଜିବା ଯୋଗୁଁ ସେ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ । ଅନ୍ୟ ଜଣେ ସାମ୍ବାଦିକ ତରୁଣ କୁମାର କାର ଚାବିଟିକୁ ଫିଙ୍ଗି ଦେଇ ଦୌଡି ପଳାଇଥିଲେ ।

ଗତ କିଛି ଦିନ ତଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଓ୍ବେବ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା । ଏପରି ଏକ ଦୁଃଖଦ ଘଟଣା ଘଟିଥିଲା ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳରେ । ମୃତ ସାମ୍ବାଦିକ ଜଣକ ହେଲେ ମୁରଲୀଗୁଡା ଗାଁର ସିଏଚ ନରେଶ । ସେ ଏକ ଘରୋଇ ଓ୍ବେବ ଚ୍ୟାନେଲରେ କାର୍ଯ୍ୟରତ ଥିଲେ । ମୃତକ ନରେଶ ଓ ଅନ୍ୟ କିଛି ସାମ୍ବାଦିକ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ହଠାତ୍ ଦୁଇଟି ମୋଟର ସାଇକେଲରେ କିଛି ଦୁର୍ବୃତ୍ତ ବିଭିନ୍ନ ଧାରୁଆ ଅସ୍ତ୍ରରେ ମରଣାତ୍ମକ ଆକ୍ରମଣ କରିଥିଲେ । ଫଳରେ ନରେଶଙ୍କ ହାତରେ ଗଭୀର ଆଘାତ ଲାଗି, ସେ ଗୁରୁତର ଆହତ ହୋଇଥିଲେ । ଏପରିକି ଘଟଣା ସ୍ଥଳରୁ ସାମ୍ବାଦିକ ମାନଙ୍କ କାରକୁ ମଧ୍ୟ ଦୁର୍ବୃତ୍ତ ଛଡ଼ାଇ ନେଇଥିଲେ । ଗୁରୁତର ଅବସ୍ଥାରେ ନରେଶଙ୍କୁ ପ୍ରଥମେ ମୋଟୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଥିଲା । ତେବେ ସେଠାରେ ଡାକ୍ତର ନରେଶଙ୍କୁ ମୃତ ଘୋଷଣା କରିଥିଲେ ।