
ପୁରୀ (ବଳରାମ ତ୍ରିପାଠି, ଓଡ଼ିଶା ଟୁଡେ) :ପୁରୀ ମ୍ୟୁନିସିପାଲଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ର ଗାଡ଼ି ଚକ ତଳେ ଶୋଇ ବଡ଼ଦାଣ୍ଡ ଉଠା ଦୋକାନୀଙ୍କ ହାଇଡ୍ରାମା । ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଭୋଗ ଓ ଫଟୋ ଦୋକାନ କରିଥିବା ପ୍ରଦୀପ ନାୟକ ଓ ପ୍ରମୋଦ ନାୟକଙ୍କ ଦୋକାନ ଉଚ୍ଛେଦ ସମୟରେ ଏଭଳି ସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସମ୍ପୃକ୍ତ ଦୋକାନୀଙ୍କୁ ଧକ୍କା ମାରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ତେବେ ଶନିବାର ଉଠା ଦୋକାନୀଙ୍କୁ ଉଠାଇବା ପାଇଁ ପୁରୀ ପୌରପାଳିକା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାକୁ ଅବମାନନା କରିଥିଲେ ଉଠା ଦୋକାନୀ । ହାଇକୋର୍ଟରୁ ନିର୍ଦ୍ଦେଶ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ସେ ବ୍ୟବସାୟ କରୁଥିବା କହିଥିଲେ ମଧ୍ୟ ଏହାକୁ ଅଧିକାରୀ ମାନେ କର୍ଣ୍ଣପାତ କରିନଥିଲେ । ପରେ ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ସିଟି ଡିଏସପି, ସିଂହଦ୍ଵାର ଓ ଟାଉନ ଥାନା ଅଧିକାରୀ, ତହସିଲଦାର ପହଞ୍ଚି ବୁଝାସୁଝା କରିଥିଲେ। କିନ୍ତୁ ଉଠା ଦୋକାନୀ ନିଜ ଜିଦ୍ ରେ ଅଟଳ ଥିବାରୁ ପୌରପାଳିକା ପକ୍ଷରୁ ରବିବାର ସୁଦ୍ଧା ଦୋକାନ ଉଠାଇବାକୁ ନୋଟିସ ଦିଆଯାଇଛି । ନଚେତ୍ ପୌରପାଳିକା ପକ୍ଷରୁ ଜୋର ଜବରଦସ୍ତ ଉଠା ଦୋକାନକୁ ଉଚ୍ଛେଦ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।