
ବାଲେଶ୍ବର: ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ସରକାର ଗୁରୁତ୍ବର ସହ ନେଇଛନ୍ତି ଏବଂ ତଦନ୍ତ ମଧ୍ୟ ଖୁବ୍ ସତର୍କତାର ସହ କରାଯାଉଛି। ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମିଳିସାରିଥିବା ବେଳେ ସାକ୍ଷୀମାନେ ବଦଳାଉଥିବା ବୟାନ କିଛିଟା ସମସ୍ୟା ସୃଷ୍ଟି କରୁଛି। ସେମାନେ ପୁଲିସ ଆଗରେ ଗୋଟିଏ କଥା କହୁଥିବା ବେଳେ ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ବୟାନ ଦେଉଛନ୍ତି ବୋଲି ଆଜି ବାଲେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।ଆଇଜିଙ୍କ କାର୍ଯ୍ୟାଳୟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ଆହୁରି କହିଲେ, ଛାତ୍ରୀଙ୍କ ଆତ୍ମାହୁତି ନେଇ ଯେଉଁ ପ୍ରମାଣ ହସ୍ତଗତ ହୋଇଛି, ସେଗୁଡ଼ିକର ତର୍ଜମା ଚାଲିଛି। ମିଳିଥିବା ଜିନିଷ ଓ ସିସିଟିଭି ଫୁଟେଜ୍କୁ ଫରେନ୍ସିକ୍ ଲ୍ୟାବ୍କୁ ପଠାଯାଇଛି। ମୃତ ଛାତ୍ରୀ ଜଣକ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ଥାନାରେ ବିଧିବଦ୍ଧ ଭାବେ କୌଣସି ଅଭିଯୋଗ କରି ନଥିଲେ। ଯେଉଁ ଅଭିଯୋଗ ଆଧାରରେ ଆଇସି କମିଟି ଗଠନ ହୋଇଥିଲା। ଆମେ ତଦନ୍ତକୁ ୨ଟି ଭାଗରେ ବିଭକ୍ତ କରିଛୁ। ଘଟଣା ପାଇଁ କେଉଁମାନେ ଦାୟୀ ଏବଂ କେଉଁମାନେ ଅବହେଳା କରିଛନ୍ତି; ସେ ଦିଗକୁ ନେଇ ବିଶେଷ ତର୍ଜମା ଚାଲିଛି। ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଟିମ୍ ଆଉ କିଛିଦିନ ବାଲେଶ୍ବରରେ ରହିବ। ଫରେନସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ମିଳିଲେ ବାକି ତଦନ୍ତ ଆଗକୁ ବଢ଼ିବ। ମୃତ ଛାତ୍ରୀ ନିଶ୍ଚିତ ନ୍ୟାୟ ପାଇବେ।ଡିଜି ଶ୍ରୀ ମିଶ୍ର ଆଜି ସକାଳ ୧୧ଟା ବେଳେ ଆଇଜି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ବିଭାଗୀୟ କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ସାଢ଼େ ୧୧ଟା ବେଳେ ଘଟଣାସ୍ଥଳକୁ ଯାଇଥିଲେ। କ୍ରାଇମ୍ବ୍ରାଞ୍ଚ ଆଇଜି ଏସ୍ ସାଇନି ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ପରେ ଡିଜି ଶ୍ରୀ ମିଶ୍ର କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଫିରୋଜ ପାଢ଼ୀଙ୍କ ସହ କଥା ହେବା ସହ ଆବଶ୍ୟକ କିଛି ପ୍ରଶ୍ନ ପଚାରିଥିଲେ। ସେହିପରି ଆଇସିସି ସଦସ୍ୟ, ପ୍ରତ୍ୟକ୍ଷଦର୍ଶୀ ଓ କିଛି ଛାତ୍ରଛାତ୍ରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ଅଢ଼େଇଟା ପରେ ଡିଜି ଶ୍ରୀ ମିଶ୍ର କଲେଜ ଛାଡ଼ିଥିବା ବେଳେ ୩ଟା ବେଳେ ଆଇଜିଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଠାରେ କ୍ରାଇମ୍ବ୍ରାଞ୍ଚ ଆଇଜି ଏସ୍ ସାଇନିଙ୍କ ସହ ତଦନ୍ତକାରୀ ଟିମ୍ର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।ଆଇସି କମିଟି ସଦସ୍ୟଙ୍କ ଛାତି ଧଡ୍ଧଡ୍!