ବିପଦ ବେଳେ ଜୀବନ ବଞ୍ଚାଇବ ଭୀଷ୍ମ: ବିଶ୍ୱର ସବୁଠାରୁ ଛୋଟ ଜରୁରୀକାଳୀନ ହସ୍ପିଟାଲ ଏବେ ଏମ୍ସରେ

ଭୁବନେଶ୍ୱର: ରୋଗୀ ଡାକ୍ତରଖାନା ଆସିବନି, ଏଣିକି ଡାକ୍ତରଖାନା ପହଂଚିବ ରୋଗୀଙ୍କ ପାଖରେ । ଦୁର୍ଘଟଣା ବା ପ୍ରାକୃତିକ ବିପର୍ଯ୍ୟୟ ଯେଉଁଠି ଘଟୁ ନା କାହିଁକି ସେଠି ପହଂଚିଯିବ ଏହି ଡ଼ାକ୍ତରଖାନା । ମାତ୍ର ୮ରୁ ୧୦ ମିନିଟରେ ଯୋଗାଇଦେବ ଚିକିତ୍ସା ସେବା । ଏଣିକି ଚିକିତ୍ସା ଅଭାବରେ ଆଉ କାହାର ଜୀବନ ଯିବନି । ଏଇ ଛୋଟ କିନ୍ତୁ ଜରୁରୀ ହସ୍ପିଟାଲ ଖୋଲିଛି ଭୁବନେଶ୍ୱର ଏମ୍ସରେ ।ବିଶ୍ୱର ସବୁଠାରୁ ଛୋଟ ଜରୁରୀକାଳୀନ ହସ୍ପିଟାଲ ଯାହାର ନାଁ ଭୀଷ୍ମ କ୍ୟୁବ୍ । ରୋଗୀ ନ ଆସି ପାରିଲେ ସେ ପହଂଚିଯିବ । ମାତ୍ର ୮ ରୁ ୧୦ ମିନିଟରେ ବସିଯିବ ଡାକ୍ତରଖାନା । ଯେଉଁଠି ଏମରଜେନ୍ସିଠାରୁ ଆରମ୍ଭ କରି ସର୍ଜରୀ, ରକ୍ତ ପରୀକ୍ଷା, ଇସିଜି ପର୍ଯ୍ୟନ୍ତ ସଵୁକିଛି ଚିକିତ୍ସା ଏଇ ଭୀଷ୍ମ ଡାକ୍ତରଖାନାରେ ମିଳିପାରିବ । ଏକକାଳୀନ ୨ ଶହରୁ ଅଧିକ ଲୋକଙ୍କୁ ମିଳି ପାରିବ ଚିକିତ୍ସା ସୁବିଧା ।

ଜୀବନ ରକ୍ଷାକାରୀ ଭୀଷ୍ମ ଡାକ୍ତରଖାନାସେତିକି ନୁହେଁ, ଏହି ଡାକ୍ଟଖାନାରେ ୨୫ ଜଣଙ୍କୁ ଏକ ସମୟରେ ପରୀକ୍ଷା କରାଯାଇପାରିବ। ଏମରଜେନ୍ସି ଠାରୁ ନେଇ ସର୍ଜରୀ, ନିଆଁ ଲାଗିବା, ଯୁଦ୍ଧ, ବନ୍ୟା, ଭୂକମ୍ପ ପୀଡିତ ଲୋକଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ଯୋଗାଇ ଦେବା ଏହି ଡାକ୍ତରଖାନାର ଲକ୍ଷ । ଜୀବନ ରକ୍ଷାକାରୀ ଏଇ ଭୀଷ୍ମ ଡାକ୍ତରଖାନା ପାଇଁ ବନ୍ୟା,ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଲୋକଙ୍କ ଅମୂଲ୍ୟ ଜୀବନ ବଞ୍ଚାଇ ପାରିବ ।

ସବୁଠାରୁ ଛୋଟ ଜରୁରୀକାଳୀନ ଭୀଷ୍ମ କ୍ୟୁବ ହସ୍ପିଟାଲ ନିର୍ମାଣ ପାଇଁ ତିନୋଟି କ୍ୟୁବିକଲ ବ୍ୟବହାର କରାଯାଇଛି । ତିନୋଟି କ୍ୟୁବିକଲରେ ରହିଛି ମୋଟ ୩୬ ବାକ୍ସ । ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମରେ ରହିଛି ଚିକିତ୍ସା ସାମଗ୍ରୀ। ଏଥିରେ ଔଷଧ ଏବଂ ପରୀକ୍ଷଣ ଉପକରଣ ଠାରୁ ଆରମ୍ଭ କରି ଅପରେସନ ଥିଏଟର ପାଇଁ ଆବଶ୍ୟକ ଚିକିତ୍ସା ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ରହିଛି। ଦ୍ୱିତୀୟ ହେଉଛି ବଞ୍ଚିବା ସାମଗ୍ରୀ। ଯେଉଁଥିରେ ଏହି ଡାକ୍ତରଖାନା ପାଇଁ କାମ କରୁଥିବା ଡାକ୍ତରଙ୍କ ଲାଗି ରୋଷେଇ ଘର, କମ୍ବଳ ଏବଂ ଖାଦ୍ୟ ସାମଗ୍ରୀ ରହିଥାଏ । ତୃତୀୟରେ କ୍ୟୁବିକଲ ମଧ୍ୟରେ ରହିଛି ଜେନେରେଟର ଏବଂ ସୌର ପ୍ୟାନେଲ ପରି ଅଣ-ଚିକିତ୍ସା ସାମଗ୍ରୀ ।ପ୍ରତ୍ୟେକ ବାକ୍ସରେ ଏକ QR Code ରହିଛି। QR Codeରେ ସ୍କାନ୍ କଲେ କେଉଁ ବାକ୍ସରେ ଔଷଧ ରହିଛି ଏବଂ ସେଗୁଡିକର ଏକ୍ସପାୟାରୀ ଡେଟ କେତେ ଜାଣିହେବ ।ଓଡିଶା ପାଇଁ କାହିଁକି ଜରୁରୀଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ । ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଏଠାରେ ସବୁବେଳେ ଲାଗି ରହିଥାଏ । ଏପରି ସ୍ଥିତିରେ ଲୋକଙ୍କୁ ଡାକ୍ତରଖାନାରେ ପହଂଚାଇବା କଷ୍ଟକର ହୋଇଥାଏ । ଫଳରେ ଚିକିତ୍ସା ନ ପାଇଁ ଅନେକ ଲୋକଙ୍କର ଜୀବନ ଯାଇଥାଏ । ହେଲେ ଏଣିକି ଏହି ଭୀଷ୍ମ କ୍ୟୁବ୍ ହସ୍ପିଟାଲ ବିପର୍ଯ୍ୟୟ ଇଲାକାରେ ପହଂଚି ଲୋକଙ୍କୁ ସେବା ଯୋଗାଇବ । ଏହା ଓଡ଼ିଶା ଲୋକଙ୍କ ପାଇଁ ବେଶ୍ ଲାଭ ଦାୟକ ହେବ ବୋଲି କହିଛନ୍ତି ଭୀଷ୍ମ କ୍ୟୁବ ନୋଡାଲ ଅଫିସର ଉପେନ୍ଦ୍ର କୁମାର ହାଁସଦା ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଏଚ୍.ଏଲ୍.ଏଲ୍ ଲାଇଫ୍ କେୟାର ସହଯୋଗରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି କ୍ୟୁବ୍ ହସ୍ପିଟାଲ ପ୍ରସ୍ତୁତ କରିଛି । ପ୍ରଥମ ଥର ପାଇଁ ଓଡ଼ିଶାର ଭୁବନେଶ୍ଵର ଏମ୍ସ ଏଭଳି ସୁବିଧା ଆଣିଛି ।

ଏମ୍ସରେ ଏହି ଭୀଷ୍ମ କ୍ୟୁବର ମୁଖ୍ୟ ପ୍ରସ୍ତୁତକର୍ତ୍ତା ହେଉଛନ୍ତି ଡ଼ ତନ୍ମୟ ରାୟ ।ଡ଼ ତନ୍ମୟ ରାୟ ଏହି ହସ୍ପିଟାଲର ଉଦଘାଟନ କରି ଏହାର ବ୍ୟବହାର କିପରି କରାଯିବ ଏବଂ ଏହା କେତେ ଜରୁରୀ ସେ ସମ୍ପର୍କରେ ଡେମୋ ମାଧ୍ୟମରେ ଏମ୍ସ ଟ୍ରମା କେୟାରର ସମସ୍ତ ଡାକ୍ତରମାନଙ୍କୁ ଅବଗତ କରାଇଥିଲେ । ଏହାକୁ ପ୍ରଶଂସା କରି ବିପର୍ଯ୍ୟୟ ସମୟରେ ଏହି ଭୀଷ୍ମ କ୍ୟୁବ ଲୋକଙ୍କ ଜୀବନ ବଞ୍ଚାଇବ ବୋଲି କହିଛନ୍ତି ଏମ୍ସର ନିର୍ଦ୍ଦେଶକ ଡ ଆଶୁତୋଷ ବିଶ୍ୱାସ ।

Leave a Reply

Your email address will not be published. Required fields are marked *