
ଯାଜପୁର( ଅଭିମନ୍ୟୁ ମିଶ୍ରଙ୍କ ରିପୋର୍ଟ, ଓଡ଼ିଶା ଟୁଡେ): ତୁଳସୀ ଗଣନାଟ୍ୟ ଯାତ୍ରା ପାର୍ଟିର ରିହରସାଲ ବେଳେ ମଞ୍ଚରେ ଜଣେ କଳାକାର ଜିଅନ୍ତା ଅଜଗର ସାପ ପ୍ରଦର୍ଶିତ କରିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ଏ ନେଇ ଗତକାଲି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ନିକଟ ତୁଳସୀ ଗଣନାଟ୍ୟ ଆଖଡାଶାଳରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏଥି ସହିତ ବନ ବିଭାଗ ପକ୍ଷରୁ ଅଭିନେତା ସାଇ ସତ୍ୟଜିତ ପଣ୍ଡାଙ୍କୁ ବୁଧବାର ବୈରୀ-ଡାଳିଯୋଡ଼ା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜର ଜେରା କରାଯାଇଛି ।ତୁଳସୀ ଗଣନାଟ୍ୟର ଅଭିନେତା ସାଇ ସତ୍ୟଜିତ ପଣ୍ଡା ରିହରସାଲ ବେଳେ ଏକ ଅଜଗର ସାପ ଧରି ଅଭିନୟ କରୁଥିଲେ । ଏହାର ଭିଡିଓ ଭାଇରାଲ ହୋଇଥିଲା । ଏହା ବନ୍ୟପ୍ରାଣୀ ଆଇନ ଉଲ୍ଲଘଂନ କରୁଥିବା ଅଭିଯୋଗ ହୋଇଥିଲା । ଏ ନେଇ ବନ ବିଭାଗ ନିକଟରେ ଅଭିଯୋଗ ହେବା ପରେ ମଙ୍ଗଳବାର ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ନିକଟ ତୁଳସୀ ଗଣନାଟ୍ୟ ଆଖଡାଶାଳରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏଥିସହିତ ଅଭିନୟ କରିଥିବା କଳାକାର ଅଭିନେତା ସାଇ ସତ୍ୟଜିତଙ୍କୁ ବୈରୀ ରେଞ୍ଜ କାର୍ଯ୍ୟାଳୟରେ ହାଜିର ହେବାକୁ ନିର୍ଦ୍ଦେଶ ହେଇଥିଲା
ବିଷାକ୍ତ ଅଜଗର ନୁହେଁ, ବଲ ପାଇଥନ- ସାଇ ସତ୍ୟଜିତତୁଳସୀ ଗଣନାଟ୍ୟର ଖଳ ନାୟକ ଅଭିନେତା ସାଇ ସତ୍ୟଜିତଙ୍କୁ ବନ ବିଭାଗ ଜେରା କରିଛି । ବନ ବିଭାଗ ନିର୍ଦ୍ଦେଶ ପରେ ସେ ବୁଧବାର ବୈରୀ-ଡାଳିଯୋଡ଼ା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜର ହୋଇ ନିଜର ମତ ରଖିଥିଲେ । ମିଡ଼ିଆକୁ ସାକ୍ଷାତ ଦେଇ ଅଭିନେତା ସାଇ ସତ୍ୟଜିତ କହିଛନ୍ତି, “ଏହା ବିଷାକ୍ତ ଅଜଗର ନୁହେଁ ବା ଭାରତରେ ଦେଖା ଯାଉଥିବା ସାପ ନୁହେଁ । ଏହା ସାଉଥ ଆଫ୍ରିକାର ବଲ ପାଇଥନ । ଏହା ବିଷାକ୍ତ ମଧ୍ୟ ନୁହେଁ । ଏହା ବଜାରରେ ବିକ୍ରି ହେଉଛି ଏବଂ ସମସ୍ତେ ରଖୁଛନ୍ତି । ଏ ନେଇ ମୋ ପାଖରେ ସମସ୍ତ କାଗଜପତ୍ର ରହିଛି । ସେଥିପାଇଁ ଏହାକୁ ମୁଁ ମଞ୍ଚ ଉପରକୁ ଆଣିଥିଲି” ବୋଲି ସଫେଇ ଦେଇଛନ୍ତି ଅଭିନେତା ସାଇ ସତ୍ୟଜିତ ।ସେ ଆହୁରି କହିଛନ୍ତି, ଯାତ୍ରା ଜଗତରେ ମୁଁ ନୂଆ । ନିୟମ ବିଷୟରେ ମୁଁ ଜାଣି ନଥିଲି । ଯଦି ଏହା ଆଇନ ବିରୁଦ୍ଧ ତେବେ ଆଗକୁ ଏମିତି କରିବେ ନାହିଁ ବୋଲି କହିଛନ୍ତି ଅଭିନେତା ।ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବଅନ୍ୟପକ୍ଷେ ବୈରୀ-ଡାଳିଯୋଡ଼ା ବନାଞ୍ଚଳ ଅଧିକାରୀ ଅଦ୍ୱେତ କୁମାର ପ୍ରଧାନ କହିଛନ୍ତି, ସେ ତାଙ୍କର ସମସ୍ତ କାଗଜ ପତ୍ର ଦେଖାଇଛନ୍ତି । ଆଇନ ଅନୁଯାୟୀ ଯାହା ପଦକ୍ଷେପ ନିଆଯିବ ତାକୁ ସେ ଗ୍ରହଣ କରିବେ ବୋଲି ମଧ୍ୟ କହିଛନ୍ତି । ତେବେ ଆଇନଗତ ଦିଗରୁ କି ପଦକ୍ଷେପ ନିଆଯିବ ତାହା ଉପରିସ୍ଥ ଅଧିକାରୀ ତଦନ୍ତ କରିବା ପରେ ନେବେ ସ୍ଥିର କରାଯିବ ବୋଲି କହିଛନ୍ତି ବୈରୀ-ଡାଳିଯୋଡ଼ା ବନାଞ୍ଚଳ ଅଧିକାରୀ