
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଆଗାମୀ 24 ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ। ଆସନ୍ତା 48 ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡି଼ଶା ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି ।ଆଜି ପୁରା ରାଜ୍ୟରେ ପ୍ରବଳରୁ ଅତି ପର୍ବଳ ବର୍ଷା ନେଇ ଆଇଏମଡି ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି । ସାରା ରାଜ୍ୟରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ହେବା ସମ୍ଭାବାନା ରହିଛି । ଗୋଟେ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପ୍ରଭାବରେ ଆଜିଠାରୁ 4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ଓ ପବନ ବହିବାର ସମ୍ଭାବନା ରହିଛି । ରାଜ୍ୟର କିଛି ସ୍ଥାନରେ ବର୍ଷା ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି । ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଓ ମାଲକାନଗିରି ରେ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଚାରି ଜିଲ୍ଲାରେ 7ରୁ 20 ସେମି ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ 30ରୁ 40 କିମି ବେଗରେ ପବନ ବହିବ। ସେହିପରି ସୁନ୍ଦରଗଡ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଜପତିକୁ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।ଶୁକ୍ରବାର ଦିନ 2 ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାନେଇ ରେଡ ଆଲର୍ଟ ଜାରି ହୋଇଛି ।