
ବେଲଗୁଣ୍ଠା ୨୪/୦୭(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ବୁଧୁବାର ଦିନ ଅପରାହ୍ନରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବଡ଼ ଗୋଲା ସାହିର ଜନୈକ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବେଲଗୁଣ୍ଠା ବଡ଼ ଗୋଲା ସାହି କୋଠ ଘର ନିକଟ ଜି.ସନ୍ତୋଷ କୁମାର ପାତ୍ରଙ୍କ ପୁଅ ଜି.କାହ୍ନା ପାତ୍ର(୨୪) ଅପରାହ୍ନରେ ବେଲଗୁଣ୍ଠା ନିକଟ ଜିରୋଲି ଛକ ଢ଼େପକୁ କୌଣସି କାମରେ ଯାଇଥିବା ବେଳେ ଅପରାହ୍ନରେ ୫ଟା ବେଳେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା । ପ୍ରବଳ ବର୍ଷା ଯୋଗୁଁ କାହ୍ନା ଛେଳି ପାଇଁ ନିର୍ମିତ ଏକ ବାଉଁଶ ତାଟି ଭିତରେ ଆଶ୍ରୟ ନେଇ ରହିଥିଲେ । ତେବେ ଅପରାହ୍ନ ପ୍ରାୟ ସାଢ଼େ ୫ଟା ବେଳେ ସମ୍ପୃକ୍ତ ସ୍ଥାନରେ ହଠାତ ବଜ୍ରପାତ ହୋଇଥିଲା । ଫଳରେ ବାଉଁଶ ତାଟି ଭିତରେ ଥିବା କାହ୍ନା ଗୁରୁତର ଆହତ ହୋଇ ସେଠାରେ ପଡ଼ି ରହିଥିଲେ । ନିକଟରେ ଥିବା କିଛି ଲୋକ ବଜ୍ରପାତ ସମ୍ପର୍କରେ ଜାଣି ଘଟଣା ସ୍ଥଳକୁ ଯାଇ କାହ୍ନାକୁ ଉଦ୍ଧାର କରିଥିଲେ । ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକେ ସ୍ଥାନୀୟ କାଉନସିଲର ଭାସ୍କର ପାତ୍ରଙ୍କ ସହଯୋଗରେ କାହ୍ନକୁ ସଙ୍ଗେ ସଙ୍ଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ କାହ୍ନକୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଯୁବକଙ୍କ ବେକ, ଛାତି ଇତ୍ୟାଦି ବଜ୍ରପାତ ଯୋଗୁଁ ପୋଡ଼ି ଯାଇଥିବା ଜଣାପଡ଼ିଛି ।