
ଭଞ୍ଜନଗର ୨୪/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ)
ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ସ୍ଥାନୀୟ ସୋମନାଥ ଅଭ୍ୟାସ ଉଚ୍ଚ ବିଦ୍ୟାଳୟ ଠାରେ ୭୬ ତମ ବନମହୋତ୍ସବ ପାଳନ ସହିତ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଆଧୁନିକ ଯୁଗରେ ଯନ୍ତ୍ର ଦାନବର ଦାଉରେ ଓ ମଣିଷ ମାନଙ୍କ ଅପରିଣାମି ଚିନ୍ତାଧାରା ଓ ଦୁଃସ୍ଥ ମାନସିକତା ପାଇଁ ପରିବେଶ ନଷ୍ଟ ହେବାରେ ଲାଗିଛି। ଆଧୁନିକିକରଣ, ସହରିକରଣ, ଜଗତିକରଣ ଯୋଗୁଁ ଜଙ୍ଗଲ ନଷ୍ଟ ଓ ଧ୍ଵଂସ ହେବା କାରଣରୁ ଦିନକୁ ଦିନ ବୃକ୍ଷ ସଂଖ୍ୟା କମିବାରେ ଲାଗିଛି। ଏହାର କୁପ୍ରଭାବ ସାରା ବିଶ୍ବରେ ଅନୁଭୂତ ହେଉଛି। ଫଳରେ ପ୍ରକୃତିରେ ଅବକ୍ଷୟ, ତାପମାତ୍ରାରେ ବୃଦ୍ଧି, ସବୁଜ କୋଠରୀ ପ୍ରଭାବ, ଅମ୍ଳବର୍ଷା, ଓଜନ ସ୍ତରରେ କ୍ଷୟ, ଅନୀୟମିତ ବୃଷ୍ଟିପାତ, ପରିବେଶ ସନ୍ତୁଳନତା ହ୍ରାସ ଓ ଜୈବ ବିବିଧତା ନଷ୍ଟ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି। ଏହି କାରଣରୁ ଲୋକ ମାନଙ୍କ ଜୀବନ ଯାପନ ଶୈଳୀ ପ୍ରଭାବିତ ଓ ବାଧାପ୍ରାପ୍ତ ହେଉଛି।ଏହାର ମୁକାବିଲା ଓ ପ୍ରତିକାର କରିବା ପାଇଁ ସରକାରୀ, ବେସରକାରୀ ସଂସ୍ଥା ଓ ବିଭିନ୍ନ ସ୍ବେଛାସେବୀ ସଂସ୍ଥା ତଥା ଅନୁଷ୍ଠାନ ମାନଙ୍କ ଦ୍ଵାରା ଅନେକ ପଦକ୍ଷେପ ହାତକୁ ନିଆଯାଉଛି। ଏଥି ପାଇଁ ସବୁ ସ୍ତରରେ ଉଦ୍ୟମ ସହିତ ବ୍ୟାପକ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ସଂପ୍ରତି ସାରା ଭାରତରେ ବନମହୋତ୍ସବ ପାଳନ ସହିତ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଅଛି। ଏହି କ୍ରମରେ ବିଭିନ୍ନ ପ୍ରାକୃତିକ ସମସ୍ୟାର ପ୍ରତିକାର, ପରିବେଶ ସୁରକ୍ଷା, ପ୍ରକୃତି ସଂରକ୍ଷଣ, ବୃକ୍ଷ ଚାରା ରୋପଣ ତଥା ଜନଜାଗରଣ ସୃଷ୍ଟି କରି ଏହାକୁ ଏକ ଜନଆନ୍ଦୋଳନ ର ରୂପ ଦେବା ପାଇଁ ଭଞ୍ଜନଗର ବିଇଡି କଲେଜ୍ ନିକଟସ୍ଥ ସୋମନାଥ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଆଗେଇ ଆସିଛନ୍ତି। ସେଥିପାଇଁ ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟ ସହଯୋଗ ରେ ବିଦ୍ୟାଳୟ ତରଫରୁ ଜଙ୍ଗଲ ସୁରକ୍ଷା ଶୋଭାଯାତ୍ରା ସହିତ ବନମହୋତ୍ସବ ପାଳନ ସଚେତନତା ସଭା ଆୟୋଜନ ଏବଂ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ସଂପାଦନ କରାଯାଇଛି।
କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସୋମନାଥ ଅଭ୍ୟାସ ଉଚ୍ଚ ବିଦ୍ୟାଳୟ ଠାରୁ ବିଇଡି କଲେଜ, ମେଇନ୍ ରୋଡ଼, ଲଣ୍ଡେଇ ସାହି ଓ ରାମ ମନ୍ଦିର ସାହି ପରିକ୍ରମା କରି ବିଦ୍ୟାଳୟରେ ଶୋଭାଯାତ୍ରା ଶେଷ କରିଥିଲେ। ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ କାଳୀଚରଣ ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରବୀଣ କୁମାର ଖାଡଙ୍ଗା, ସଂସ୍କୃତ ଶିକ୍ଷକ ବାସୁଦେବ ମିଶ୍ର, ବିଦ୍ୟାଳୟ କର୍ମଚାରୀ ରବିନ୍ଦ୍ର ପ୍ରଧାନ ଓ ପ୍ରଶାନ୍ତ ଚୌଧୁରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପୂର୍ବତନ ରେଞ୍ଜ ଅଫିସର ତଥା ସମାଜସେବୀ ଅନୁପମ ବାନାର୍ଜୀ, ପ୍ରକୃତି ବନ୍ଧୁ ଶିକ୍ଷକ ଶ୍ରୀଯୁକ୍ତ ଦ୍ଵିତୀକୃଷ୍ଣ ଲେଙ୍କା, ସିଆରସିସି ଶ୍ରୀଯୁକ୍ତ ମନୋଜ କୁମାର ଗୌଡ଼ ଏହି ଶୋଭାଯାତ୍ରା ରେ ଅଂଶଗ୍ରହଣ କରିଥିଲେ। ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ବନପାଳକ ବବୁଲ୍ କୁମାର ସେଠୀ, ଗାର୍ଡ ସଙ୍ଗୀତା ପଟ୍ଟନାୟକ, ବନ ସୁରକ୍ଷା ବାହିନୀର କର୍ମଚାରୀ ସାଗର ସାହୁ, ମିଥୁନ ପ୍ରଧାନ ଓ ସଞ୍ଜୟ କୁମାର ସ୍ବାଇଁ ଏଥିରେ ସହଯୋଗ କରିଥିଲେ। ପରିବେଶ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ସ୍ଲୋଗାନ ଦେଇ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ କାଳୀଚରଣ ପରିଡ଼ା ଓ ପ୍ରକୃତି ବନ୍ଧୁ ତଥା ପରିବେଶ ପ୍ରେମୀ ଦ୍ଵିତୀକୃଷ୍ଣ ଲେଙ୍କା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ମଧ୍ୟରେ ବନମହୋତ୍ସବ ପାଳନ ସହିତ ସଚେତନତା ସଭା ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଳୀଚରଣ ପରିଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ରୂପେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ ସମସ୍ତଙ୍କୁ ପ୍ରାଣୀ ମାନେ ଜୀବନ ଯାପନ କରିବାପାଇଁ ବୃକ୍ଷ ର ଆବଶ୍ୟକତା, ପରିବେଶ ସୁରକ୍ଷା ଓ ପ୍ରକୃତି ସଂରକ୍ଷଣ ତଥା ବର୍ତ୍ତମାନ ସମୟରେ ଜଙ୍ଗଲର ସ୍ଥିତି ଓ ପରିସଂଖ୍ୟାନ ଉପରେ ଉଦବୋଧନ ଦେଇଥିଲେ। ଅନ୍ୟାନ୍ୟ ବରେଣ୍ୟ, ସମ୍ମାନିତ ଅତିଥି ଓ ବକ୍ତା ଭାବେ ମଞ୍ଚାସୀନ ଥିଲେ ମୁଜାଗଡ ରେଞ୍ଜ ଅଫିସର
ବିମ୍ବାଧର ସାହୁ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ପ୍ରଧାନ, ଏବିଇଓ ଶ୍ରୀଯୁକ୍ତ ଗଜେନ୍ଦ୍ର କୁମାର ସେଠୀ, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଦନମୋହନ ରଥ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ସମ୍ବାଦ ସାହିତ୍ୟ ଘରର ସଂପାଦକ ସନ୍ତୋଷ କୁମାର ଯେନା, ପୂର୍ବତନ ରେଞ୍ଜ ଅଫିସର ତଥା ସମାଜସେବୀ ଶ୍ରୀଯୁକ୍ତ ଅନୁପମ ବାନାର୍ଜୀ, ସିଆରସିସି ତଥା ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ଦ୍ଵିତୀକୃଷ୍ଣ ଲେଙ୍କା, ସିଆରସିସି ଶ୍ରୀଯୁକ୍ତ ମନୋଜ କୁମାର ଗୌଡ଼। ମଞ୍ଚାସୀନ ସମସ୍ତ ଅତିଥି ବୃକ୍ଷର ମହତ୍ତ୍ୱ, ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇବା ସହ ବୃକ୍ଷ ଚାରା ରୋପଣ ଉପରେ ଗୁରୁତ୍ଵ ଦେବାପାଇଁ ଆହ୍ୱାନ ଦେଇ ଅନୁରୋଧ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀ ମତୀ ସୁଷମା ଦିଗାଲ୍ ଅତିଥି ପରିଚୟ ପ୍ରଦାନ କରିଥିଲେ। ସନ୍ତୋଷ କୁମାର ଯେନା ସଭା ସଂଯୋଜନା କରିଥିବା ବେଳେ ଶ୍ରୀ ଅନୁପମ ବାନାର୍ଜୀ ମୁଖ୍ୟବକ୍ତା ରୂପେ କାର୍ଯ୍ୟ ନିର୍ବାହ କରିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଆକୃଷ୍ଟ କରିବା ସହ ମନୋରଞ୍ଜନର ଖୋରାକ ଯୋଗାଇଥିଲେ। ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ବାରା ଅଭିନୀତ ନାଟକ ସମସ୍ତଙ୍କୁ ମୋହିତ କରିଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କୃତି ଶିକ୍ଷାର୍ଥୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସଭା ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସଭାପତି ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଫଳ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା। ଉପସ୍ଥିତ ସମସ୍ତ ଅତିଥି ଛାତ୍ରଛାତ୍ରୀ ମାନଙ୍କ ଗହଣରେ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ “ଏକ ପେଡ ମା କେ ନାମ” ସଂପାଦନ କରିଥିଲେ। ବୃକ୍ଷ ସମ୍ପର୍କିତ ବିଭିନ୍ନ ନାରାବାଜି ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିଲେ କାଳୀଚରଣ ପରିଡ଼ା ଓ ଦ୍ଵିତୀକୃଷ୍ଣ ଲେଙ୍କା। ପରିଶେଷରେ ପ୍ରକୃତି ବନ୍ଧୁ ଶ୍ରୀ ଲେଙ୍କା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ଏବଂ ବୃକ୍ଷ ଚାରା ରୋପଣ ପାଇଁ ଶପଥ ପାଠ କରାଇଥିଲେ। ପ୍ରକୃତି ବନ୍ଧୁ ତଥା ପରିବେଶ ପ୍ରେମୀ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ପ୍ରେରଣା ଓ ଆହ୍ଵାନ କ୍ରମେ ଏବଂ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କାଳୀଚରଣ ପରିଡ଼ାଙ୍କ ଉଦ୍ୟମ, ତତ୍ତ୍ୱାବଧାନ ଓ ପରିଚାଳନାରେ ଏହି ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପାଚିକା ସହାୟିକା ଓ ଅଭିଭାବକ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ। ପ୍ରକାଶ ଥାଉକି, ଗତବର୍ଷ ମଧ୍ୟ ଏହି ବିଦ୍ୟାଳୟ ତରଫରୁ ବନମହୋତ୍ସବ ଏବଂ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଥିଲା।